ବାଲିଯାତ୍ରା ପଡିଆରେ ପ୍ରଧାନମନ୍ତ୍ରୀଙ୍କ ସଭାସ୍ଥଳକୁ ବୁଲି ଦେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

କଟକ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା ୨୬ ତାରିଖ କଟକ ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ସଭାରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ବାଲିଯାତ୍ରା ପଡିଆରେ ବିଶାଳ ମଞ୍ଚ ସହ ସଭାକୁ ଆସିବାକୁ ଥିବା ଲୋକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଗୁରୁବାର ଅପରାହ୍ନରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଭାସ୍ଥଳ ପହଞ୍ଚି ବିଭିନ୍ନ ଆୟୋଜନ ଓ ସୁରକ୍ଷା ବ୍ୟବସ୍ଥା ବିଷୟରେ ଅନୁଧ୍ୟାନ କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଦିନିକିଆ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି କମିଶନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିବା ପରେ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ସ୍ୱାଗତ କରିବେ। ବିମାନବନ୍ଦରରୁ ବାୟୁସେନାର ଏକ ହେଲିକପ୍ଟର ଯୋଗେ ପ୍ରଧାନମନ୍ତ୍ରୀ କଟକ ନରାଜଠାରେ ଥିବା ଅବସ୍ଥାୟୀ ହେଲିପ୍ୟାଡ଼୍‌ରେ ଓହ୍ଲାଇବେ। ସେଠାରୁ ୧୧ କିଲୋମିଟର ଦୂର ବାଲିଯାତ୍ରା ପଡିଆରେ ଥିବା କାର୍ଯ୍ୟକ୍ରମକୁ ମହାନଦୀ ବନ୍ଧ ରାସ୍ତା ଦେଇ ପ୍ରଧାନମନ୍ତ୍ରୀ ଯିବେ। ତେଣୁ ଉକ୍ତ ରାସ୍ତାରେ ଟ୍ରାଫିକ୍‌ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ସାଧାରଣସଭା ସ୍ଥଳକୁ ସୁରକ୍ଷା ବଳୟରେ ରଖାଯିବ ।ଏହାବ୍ୟତୀତ ଆପଦକାଳୀନ ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ବନ୍ଦୋବସ୍ତ କରାଯାଇଛି। ପାଗ ଅନୁକୂଳ ନ ରହିଲେ ଏହାର ବିକଳ୍ପ ଚିନ୍ତା କରାଯାଇଥିବା ପୁଲିସ ସୂଚନା ଦେଇଛି। ପ୍ରଧାନମନ୍ତ୍ରୀ ରାଜଭବନରେ ରହିବା ବ୍ୟବସ୍ଥା କରାଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ବିମାନବନ୍ଦରରୁ କଟକକୁ ସଡ଼କ ପଥରେ ଯାତାୟାତ କରିବା ଲାଗି ମଧ୍ୟ ପୁଲିସ ଏକ ପ୍ରକାର ପ୍ରସ୍ତୁତ ରହିଥିବା ସେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆର୍‌ପିଏଫ୍‌, ଜିଆର୍‌ପି, ତଟରକ୍ଷୀ, ନୌସେନା ଓ ପ୍ରଶାସନ ଏକପ୍ରକାର ତତ୍ପର ରହିଛନ୍ତି । ଗୁରୁବାରରେ ଏହି ଗସ୍ତ ପାଇଁ ତିଆରି ହୋଇଥିବା ଅସ୍ଥାୟୀ ହେଲିପ୍ୟାଡରେ ହେଲିକାପ୍ଟର ଓହ୍ଲାଇଥିଲା । ବରିଷ୍ଠ ପୁଲିସ ଅଧିକାରୀମାନେ ସେଠାରେ ଉପସ୍ଥିତ ରହି ସୁରକ୍ଷା  ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ ।

Leave A Reply