ଛିଣ୍ଡୁନି ବିଜେପି-ଶିବସେନା ଅଛିଣ୍ଡା ଅଙ୍କ, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଫଡନବିସ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଜାରୀରହିଥିବା ଅନିଶ୍ଚିତତା ଥମିବାର ନାଁ ନେଉନାହିଁ ଆଉ ଏହାରି ମଧ୍ୟରେ କାମଚଳା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଦେବେନ୍ଦ୍ର ଫଡନବିସ। ଶୁକ୍ରବାର ରାଜ୍ୟପାଳ ଭଗତ ସିଂ କୌସିୟାରୀଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ଦେଇଥିବା ସୂଚନା ମିଳିଛି। ଫଡନବିସଙ୍କ ସହ ତାଙ୍କ ମନ୍ତ୍ରୀ ମଣ୍ଡଳର ମଧ୍ୟ ରାଜ୍ୟପାଳଙ୍କୁ ଭେଟିଥିଲେ। ରାଜ୍ୟପାଳଙ୍କୁ ଭେଟିବାପରେ ଫଡନବିସ ଗଣମାଧ୍ୟକୁ ବିବୃତ୍ତି ଦେଇ କହିଛନ୍ତି ତାଙ୍କୁ ମହାରାଷ୍ଟ୍ର ସେବା କରିବା ପାଇଁ ମହାରାଷ୍ଟ୍ରବାସୀ ସୁଯୋଗ ଦେଇଥିଲେ । ଏଥିପାଇଁ ମହାରାଷ୍ଟ୍ରବାସୀ, ପ୍ରଧାନମନ୍ତ୍ରୀ ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହ, କାର୍ୟ୍ୟକାରୀ ଅଧ୍ୟକ୍ଷ ଜେ.ପି ନଡ୍ଡା ଓ ଅନ୍ୟାନ୍ୟ ନେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସରକାର ଗଠନ କରିବାରେ ସହାୟକ ସହଯୋଗୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ଫଡ଼ନବିସ। ଗଣମାଧ୍ୟମକୁ ବିବୃତ୍ତି ଦେବା ସମୟରେ ଫଡନବିସ କହିଛନ୍ତି ଚଳିତ ନିର୍ବାଚନରେ ଦଳ ଯେଉଁ ସଫଳତା ଆଶା କରିଥିଲା ତାହା ପାଇନି ସତ କିନ୍ତୁ ଦଳର ଭୋଟ ପ୍ରତିଶତ ବଡିଛି। ମହାରାଷ୍ଟ୍ରରେ ମେଣ୍ଟ କରି ନିର୍ବାଚନ ଲଢୁଥିବା ବିଜେପି ଏବଂ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ଅଧା ଅଧା (୫୦-୫୦) ବଣ୍ଟନନେଇ ଯେଉଁ ଆଲୋଚନା କଥା ଶିବସେନା କହୁଛି ସେପରି କିଛି ଆଲୋଚନା ହୋଇନଥିବା ଫଡନବିସ କହିଛନ୍ତି। ମହାରାଷ୍ଟ୍ରରେ ଲାଗିରହିଥିବା ରାଜନୌତିକ ଅସ୍ତିରତା କେବଳ ଶିବସେନା ପାଇଁ କାରଣ ସେମାନେ ଆଲୋଚନା ପାଇଁ ରାଜି ହେଉନାହାନ୍ତି। ବିଜେପି ସର୍ବଦା ଆଲୋଚନା ପାଇଁ ରାଜି ବୋଲି ଫଡନବିସ କହିଛନ୍ତି। ପାଞ୍ଚ ବର୍ଷର କାର୍ୟ୍ୟକାଳରେ ଆମ ସରକାର ଜନତାଙ୍କ ବିକାଶ ଲାଗି ବହୁତ କାମ କରିଛି। ଏହି କାମ ଯୋଗୁଁ ଜନତା ପୁଣି ଥରେ ଏନଡିଏ ପ୍ରତି ସମର୍ଥନ ବ୍ୟକ୍ତ କରିଛନ୍ତି।

Comments are closed.