ଆଦିବାସୀଙ୍କ ବିକାଶ ମୋଦୀ ସରକାରଙ୍କ ପ୍ରାଥମିକତା – ଶାହା

ନୂଆଦିଲ୍ଲୀ: ଆଦିବାସୀ ସଂପ୍ରଦାୟର ବିକାଶ ନରେନ୍ଦ୍ର ମୋଦୀ ସରକାରଙ୍କ ପ୍ରାଥମିକତା ବୋଲି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ନୂଆଦିଲ୍ଲୀଠାରେ ଜାତୀୟ ଆଦିବାସୀ ଉତ୍ସବ ‘ଆଦି ମହୋତ୍ସବ’କୁ ଉଦ୍‍ଘାଟନ କରିବା ଅବସରରେ ସେ କହିଛନ୍ତି, ବିଜେପି କ୍ଷମତାକୁ ଆସିବା ପରେ ଆଦିବାସୀ ସମୁଦାୟଙ୍କ ଉନ୍ନତି ନିମନ୍ତେ କାର୍ଯ୍ୟକରି ଆସୁଛି। ଆଦିବାସୀ ବହୁଳ ଅଞ୍ଚଳରେ ସରକାର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ଶାହା କହିଛନ୍ତି। ଆଦିବାସୀ କଲ୍ୟାଣମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା ଏହି ଅବସରରେ କହିଛନ୍ତି ଯେ, ଆଦିବାସୀମାନଙ୍କୁ ସଶକ୍ତ କରିବା ନିମିତ୍ତ ସରକାରଙ୍କ ପକ୍ଷରୁ ବନ-ଧନ ଯୋଜନା ଆରମ୍ଭ ହୋଇଛି। ଏଥିସହିତ ଆନ୍ତର୍ଜାତିକ ବଜାରରେ ଆଦିବାସୀଙ୍କ ସ୍ୱତନ୍ତ୍ର କଳା ସଂସ୍କୃତି ହସ୍ତଶିଳ୍ପକୁ ପରିଚିତ କରାଇବା ପାଇଁ ମନ୍ତ୍ରଣାଳୟ ପ୍ରୟାସ କରୁଛି।

ଆଦିବାସୀ ଉନ୍ନୟନ ରାଜ୍ୟ ମନ୍ତ୍ରୀ ରେଣୁକା ସିଂ କହିଛନ୍ତି, ଆଦି ମହୋତ୍ସବର ଉଦ୍ଦେଶ୍ୟ ହେଉଛି ପ୍ରମୁଖ ସହରଗୁଡ଼ିକରେ ମଧ୍ୟସ୍ଥିଙ୍କ ବିନା ସହାୟତାରେ ଆଦିବାସୀ କାରିଗରଙ୍କ ଉତ୍ପାଦକୁ ଏକ ବିସ୍ତୃତ ବଜାରରେ ପରିଚିତ କରାଇବା। ଏହି ୧୫ ଦିନିଆ ଉତ୍ସବରେ ଆଦିବାସୀଙ୍କ ସଂସ୍କୃତି, ହସ୍ତଶିଳ୍ପ, ପାକ ପ୍ରଣାଳୀ ଏବଂ ବାଣିଜ୍ୟକୁ ପ୍ରଦର୍ଶନ କରାଯାଉଛି।

Comments are closed.