ପୁରୀ ବିକାଶ ରୋକାଯିବା ଅନୁଚିତ : କୋର୍ଟମିତ୍ର

0

ପୁରୀ : ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ ପୂର୍ବରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଭିତ୍ତିଭୂମି ବିକାଶ କାର୍ଯ୍ୟ ରାଜ୍ୟ ସରକାର ଆରମ୍ଭ କରିଛନ୍ତି। ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ ସହର କରାଯିବା ପରିକଳ୍ପନା ସ୍ବାଗତଯୋଗ୍ୟ। ଏହାଦ୍ବାରା ଶ୍ରୀଜଗନ୍ନାଥ ସଂସ୍କୃତିର ବ୍ୟାପକ ପ୍ରଚାର ପ୍ରସାର ହୋଇପାରିବ ବୋଲି କୋର୍ଟମିତ୍ର ରଣଜିତ କୁମାର ମତ ଦେଇଛନ୍ତି। ପୁରୀ ବିକାଶକୁ ରୋକାଯିବା ଅନୁଚିତ ବୋଲି ସେ କହିଛନ୍ତି। ସୁପ୍ରିମ​କୋର୍ଟଙ୍କ ନିର୍ଦେଶକ୍ରମେ ସଲିସିଟର ଜେନେରାଲ ତୁଷାର ମେହେଟା ଏବଂ କୋର୍ଟମିତ୍ର ରଣଜିତ କୁମାର ଶନିବାର ପୁରୀ ଗସ୍ତରେ ଆସି ବିଭିନ୍ନ ବର୍ଗସହ ଆଲୋଚନା କରିଛନ୍ତି। ସରକାରଙ୍କ ପ୍ରସ୍ତାବିତ ବିକାଶ ଯୋଜନା ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେମାନଙ୍କୁ ଅବଗତ କରାଯାଇଛି। ୨୫ବର୍ଷ ପରେ ଆଗାମୀ ବର୍ଷ ଦାରୁବ୍ରହ୍ମଙ୍କ ନାଗାର୍ଜୁନ ବେଶ ହେଉଥିବାରୁ ପ୍ରାୟ ୧୫ଲକ୍ଷ ଭକ୍ତଙ୍କ ସମାଗମ ହେବା ସମ୍ଭାବନା ରହିଥିବା ମୁଖ୍ୟ ପ୍ରଶାସକ ଡଃ କିଷନ କୁମାର ସେମାନଙ୍କୁ ସୂଚନା ଦେଇଛନ୍ତି। ଏତେସଂଖ୍ୟକ ଶ୍ରଦ୍ଧାଳୁ ଭକ୍ତ ଯେପରି ଅବାଧରେ ନାଗାର୍ଜୁନ ବେଶ ଦର୍ଶନ କରିପାରିବେ ତାହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଚତୁଃପାର୍ଶ୍ବ ରାସ୍ତା ସମ୍ପ୍ରସାରଣ ଆବଶ୍ୟକ ରହିଥିବା ସେ ଯୁକ୍ତି ବାଢିଛନ୍ତି। ଏହାଛଡା ଶ୍ରୀଜଗନ୍ନାଥ ମନ୍ଦିର ସୁରକ୍ଷା ପାଇଁ ମେଘନାଦ ପ୍ରାଚୀରଠାରୁ ୭୫ମିଟର ମଧ୍ୟରେ ଥିବା କୋଠା ଗୁଡିକୁ ଉଚ୍ଛେଦ ନିମନ୍ତେ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସେ ଅବଗତ କରାଇଛନ୍ତି। ଏମାରମଠ, ରଘୁନନ୍ଦନ ପାଠାଗାର ଏବଂ ଲଙ୍ଗୁଳିମଠର ଅସୁରକ୍ଷିତ କୋଠା ଭାଙ୍ଗିବା ବେଳେ ପ୍ରଶାସନ ବଳପ୍ରୟୋଗ କରିନଥିବା ଜିଲାପାଳ ବଲୱନ୍ତ ସିଂହ କୋର୍ଟମିତ୍ରଙ୍କୁ କହିଛନ୍ତି।
ଘରୋଇ ମାଲିକାନାରେ ଥିବା କୋଠାଗୁଡିକର ଉଚ୍ଛେଦ ପୂର୍ବରୁ ଜମି ଅଧିଗ୍ରହଣ ଆଇନ ଅନୁଯାୟୀ ନୋଟିସ ଜାରି କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ବିସ୍ଥାପିତ ଏବଂ କ୍ଷତିଗ୍ରସ୍ତ ହେବାକୁ ଥିବା ଲୋକଙ୍କ ପାଇଁ ସରକାର ଘୋଷଣା କରିଥିବା ଥଇଥାନ ତଥା ସହାୟତା ପ୍ୟାକେଜ ସମ୍ପର୍କରେ ସେ ସୂଚନା ଦେଇଛନ୍ତି। କୋର୍ଟମିତ୍ର ଶ୍ରୀ କୁମାର ଏବଂ ସଲିସିଟର ଜେନେରାଲ ଶ୍ରୀ ମେହେଟା ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଶ୍ରୀମନ୍ଦିର ରୋଷଶାଳା, ଚାହାଣିମଣ୍ଡପ ଏବଂ ନୀଳାଚଳ ଉପବନ ପାଖରେ ଛିଡାହୋଇ ସେମାନେ ଉଚ୍ଛେଦ ହୋଇଥିବା ଏବଂ ଉଚ୍ଛେଦ ହେବାକୁ ଥିବା ସ୍ଥାନ ଅନୁଧ୍ୟାନ କରିଥିଲେ। ଶ୍ରୀନଅରକୁ ଯାଇ ସେମାନେ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବଙ୍କୁ ସାକ୍ଷାତ କରିଥିଲେ। ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ବିକାଶ ଯୋଜନା ସମ୍ପର୍କରେ ସେମାନେ ଗଜପତି ମହାରାଜାଙ୍କ ମତାମତ ଲୋଡ଼ିଥିଲେ। ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା, ମୁଖ୍ୟ ପ୍ରଶାସକ ଡଃ କିଷନ କୁମାର, ଜିଲାପାଳ ବଲୱନ୍ତ ସିଂହ, କେନ୍ଦ୍ରାଞ୍ଚଳ ପୁଲିସ ଡିଆଇଜି ଆଶିଷ କୁମାର ସିଂହ, ଏସ୍‌ପି ଡଃ ଉମାଶଙ୍କର ଦାଶଙ୍କ ସମେତ କିଛି ପରିଚାଳନା କମିଟି ସଭ୍ୟ ସେଥିରେ ଉପସ୍ଥିତ ଥିଲେ। ଶ୍ରୀମନ୍ଦିର ସିଂହଦ୍ବାର ଏବଂ ଚତୁଃପାର୍ଶ୍ବ ରାସ୍ତା ଅଧିକ ପ୍ରଶସ୍ତ କରାଯିବା ସପକ୍ଷରେ ପ୍ରଶାସନ ମତ ରଖିଥିଲା। ତିନୋଟି ଅସୁରକ୍ଷିତ କୋଠା ଭାଙ୍ଗିବା ପୂର୍ବରୁ ମଠମହନ୍ତଙ୍କୁ ଓଡ଼ିଶା ପୌର ଆଇନର ଧାରା ୨୭୫ ଅନୁଯାୟୀ ନୋଟିସ ଜାରି କରାଯାଇଥିବା ଜିଲାପାଳ ପ୍ରକାଶ କରିଥିଲେ।

Leave A Reply