୮୨ ପୂର୍ବତନ ସାଂସଦ ଖାଲି କରିନାହାନ୍ତି ସରକାରୀ ବଙ୍ଗଳା, ୩ ଦିନରେ କଟାଯିବ ବିଦ୍ୟୁତ ସରବରାହ

0

ନୂଆଦିଲ୍ଲୀ : ଲୋକସଭା ଆବାସ କମିଟିର କଡ଼ା ଚେତବାନୀ ସତ୍ତ୍ବେ ୮୨ ଜଣ ପୂର୍ବତନ ସାଂସଦ ସେମାନଙ୍କ ସରକାରୀ ବଙ୍ଗଳା ଖାଲି କରିନାହାନ୍ତି। ଦିଲ୍ଲୀରେ ଲୁଟିୟନ୍ସ ଜୋନରେ ଥିବା ଏହି ସବୁ ସରକାରୀ ବଙ୍ଗଳା ଖାଲି କରିବା ପାଇଁ ସେମାନଙ୍କୁ ପୂର୍ବରୁ ନୋଟିସ୍‍ ଜାରି କରାଯାଇଛି। ସରକାର ଏବେ ଅନାଧିକୃତ ଦଖଲ ଖାଲି କରିବା ଆଇନ ଅନୁଯାୟୀ ଏହି ପୂର୍ବତନ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଚାର କରୁଛନ୍ତି।

ସୂଚନା ଅନୁସାରେ ସିଆର ପାଟିଲଙ୍କ ନେତୃତ୍ୱାଧୀନ ଲୋକସଭା ଆବାସ କମିଟି ଅଗଷ୍ଟ ୧୯ରେ ପାଖାପାଖି ୨୦୦ ଜଣ ପୂର୍ବତନ ସାଂସଦଙ୍କୁ ଏକ ସପ୍ତାହ ମଧ୍ୟରେ ବଙ୍ଗଳା ଖାଲି କରିବାକୁ ନିର୍ଦେଶ ଦେଇଥିଲା। କମିଟିର ନିର୍ଦେଶ ପରେ ଅନେକ ପୂର୍ବତନ ସାଂସଦ ସେମାନଙ୍କୁ ମିଳିଥିବା ବଙ୍ଗଳା ଖାଲି କରିଦେଇଛନ୍ତି। କିନ୍ତୁ ୮୨ ଜଣ ପୂର୍ବତନ ସାଂସଦ ଏପର୍ଯ୍ୟନ୍ତ ବଙ୍ଗଳା ଖାଲି କରିନାହାନ୍ତି। ଫଳରେ ଏହି ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଲୋକସଭା ଆବାସ କମିଟି ବିଚାର କରୁଛି। ଏହି ପୂର୍ବତନ ସାଂସଦଙ୍କୁ ପୁନଃ ନୋଟିସ୍ ଜାରି କରାଯାଇଛି ।  ବଙ୍ଗଳା ଖାଲି ନକଲେ ୩ ଦିନ ମଧ୍ୟରେ ବିଦ୍ୟୁତ ସରବରାହ, ପାଣି ଯୋଗାଣ ଏବଂ ଗ୍ୟାସ ସଂଯୋଗ କାଟି ଦିଆଯିବାର ଚେତାବନୀ ଦିଆଯାଇଛି ।  ନିୟମ ଅନୁସାରେ ଲୋକସଭା ଭଙ୍ଗ ହେବାର ମାସେ ମଧ୍ୟରେ ପୂର୍ବତନ ସାଂସଦଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ପଡିଥାଏ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ୧୬ତମ ଲୋକସଭା ମଇ ୨୫ରେ ଭଙ୍ଗ କରିଥିଲେ। ଲୋକସଭା ଭଙ୍ଗ ହେବାର ସାଢେ ୩ ମାସ ବିତିଯାଇଥିଲେ ବି ୮୨ ପୂର୍ବତନ ସାଂସଦ ବଙ୍ଗଳା ଛାଡ଼ି ନାହାନ୍ତି।

Leave A Reply