‘ଖୋଜିଖୋଜି ସମସ୍ତ ବେଆଇନ ଦେଶାନ୍ତରୀଙ୍କୁ ଦେଶରୁ ବିଦାକରାଯିବ’

ନୂଆଦିଲ୍ଲୀ : ଭାରତ ମାଟିରେ ଜଣେ ହେଲେ ବେଆଇନ ଦେଶାନ୍ତରୀଙ୍କୁ ରଖାଇଦିଆଯିବ ନାହିଁ। ଆନ୍ତର୍ଜାତିକ ଆଇନ ଆଧାରରେ ସମସ୍ତଙ୍କୁ ଖୋଜିଖୋଜି ବାହାର କରି ଦେଶରୁ ବିଦା କରାଯିବ ବୋଲି ରାଜ୍ୟସଭାରେ କହିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଆସାମ ଭଳି ଦେଶର ଅନ୍ୟ ରାଜ୍ୟରେ କେବେ ରାଷ୍ଟ୍ରୀୟ ନାଗରିକତା ପଞ୍ଜୀକରଣ (ଏନ୍‌ଆରସି) କାର୍ଯ୍ୟକାରୀ ହେବ ବୋଲି ସମାଜବାଦୀ ପାର୍ଟି ସାଂସଦ ଜାଭେଦ ଅଲ୍ଲି ଖାଁଙ୍କ ପ୍ରଶ୍ନର ଜବାବରେ ଶାହା ଏହି ଜବାବ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ତତ୍ତ୍ବାବଧାନରେ ଆସାମରେ ଏନ୍‌ଆରସି କାର୍ଯ୍ୟକାରୀ କରାଯାଉଛି ଏବଂ ଏହାର ଚୂଡ଼ାନ୍ତ ତାଲିକା ପ୍ରକାଶନର ଶେଷ ତାରିଖ ଚଳିତ ମାସ ୩୧ତାରିଖ ରହିଛି ବୋଲି ଶାହା ସୂଚନା ଦେଇଛନ୍ତି। ଏହା ଆସାମ ରାଜିନାମାର ଅଂଶବିଶେଷ ଥିଲା। ବହୁ ପ୍ରକୃତ ନାଗରିକ ତାଲିକାରୁ ବଞ୍ଚିତ ହେଉଥିବାରୁ ଏହି ଅବଧି ବୃଦ୍ଧି ପାଇଁ ସରକାର ସୁପ୍ରମିକୋର୍ଟରେ ଆବେଦନ କରିଛନ୍ତି ବୋଲି ସେ କହିଛନ୍ତି; ତେବେ ଦେଶରେ କେତେ ସଂଖ୍ୟାରେ ରୋହିଙ୍ଗ୍ୟା ଶରଣାର୍ଥୀ ରହିଛନ୍ତି ତାହାର ହିସାବ ନ ଥିବା ଶାହା ସ୍ବୀକାର କରିଛନ୍ତି। ଆସାମ ଏନ୍‌ଆରସିଙ୍କୁ ନେଇ ବିରୋଧୀଙ୍କ ପକ୍ଷରୁ ହଟ୍ଟଗୋଳ କରାଯାଉଥିବା ବେଳେ ସରକାର ବେଆଇନ୍‌ ଦେଶାନ୍ତରୀଙ୍କୁ ବିଦା କରିବା ଲାଗି ଦୃଢ଼ ପଦକ୍ଷେପ ନେଉଛନ୍ତି।

Comments are closed.