ଆଜି ଭଙ୍ଗାଯିବ ମେଘନାଦ ପ୍ରାଚୀର ପାଖକୋଠା

ଜିଲା ପ୍ରଶାସନ-କୋଠା ମାଲିକ ଛକାପଞ୍ଝା

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ମେଘନାଦ ପ୍ରାଚୀର ନିକଟରେ ଥିବା କୋଠା ଗୁଡିକୁ ସୋମବାର ଉଚ୍ଛେଦ କରାଯିବ। ଜିଲା ପ୍ରଶାସନ ଏବଂ ପୁଲିସ ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନାକେନ୍ଦ୍ର, ସିଂହଦ୍ବାର ଫାଣ୍ଡି ଏବଂ ତାହାକୁ ଲାଗି ରହିଥିବା ୨ଟି ଘରୁ ରବିବାର ସମସ୍ତ ଜିନିଷପତ୍ର ସ୍ଥାନାନ୍ତର କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସିଂହଦ୍ବାରଠାରୁ ଲକ୍ଷ୍ମୀବଜାର ମଧ୍ୟରେ ରହିଥିବା ୫ଟି କୋଠା ଭଙ୍ଗାଯିବା ପ୍ରସ୍ତାବ ରହିଛି। ଉଚ୍ଛେଦ ତାଲିକାରୁ ତିନୋଟି ପ୍ରାଚୀନ ମଠକୁ ବାଦ୍‌ ଦିଆଯାଇଛି। ଏକ୍‌ଜ୍ୟୁକୁଟିଭ ମାଜିଷ୍ଟ୍ରେଟ ଓ ପୁଲିସ ଫୋର୍ସଙ୍କ ଉପସ୍ଥିତିରେ କୋଠା ଭଙ୍ଗାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଗଣ୍ଡଗୋଳ ଆଶଙ୍କାରେ ପ୍ରଶାସନ ବ୍ୟାପକ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରିଛି। ମେଘନାଦ ପ୍ରାଚୀର ନିକଟରେ ଥିବା କୋଠା ଗୁଡିକ ଶ୍ରୀଜଗନ୍ନାଥ ମନ୍ଦିର ସୁରକ୍ଷାପ୍ରତି ବିପଦ ସୃଷ୍ଟି କରୁଥିବା ଜିଲାପାଳ ବଲୱନ୍ତ ସିଂହ ପ୍ରକାଶ କରିଛନ୍ତି। ଦକ୍ଷିଣଦ୍ବାର ଏବଂ ପଶ୍ଚିମଦ୍ବାର ନିକଟରେ ମେଘନାଦ ପ୍ରାଚୀରକୁ ଲାଗି ରହିଥିବା କୋଠା ସମେତ ଖଜାଦୋକାନ, ଜିନିଷ ରଖିବା ଘର ଏବଂ ସୁଲଭ ଶୌଚାଳୟ ଦ୍ବିତୀୟ ପର୍ଯ୍ୟାୟରେ ଉଚ୍ଛେଦ କରାଯିବ। ଏହାପରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ ଏବଂ ଭକ୍ତଙ୍କ ପାଇଁ ପରିକ୍ରମା ମାର୍ଗ ନିର୍ମାଣ କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ନିକଟରୁ କୋଠା ଭାଙ୍ଗିବା ନେଇ ଓଡ଼ିଶା ହାଇକୋର୍ଟ ପୂର୍ବରୁ ତିନୋଟି ମାମଲାରେ ଦେଇଥିବା ନିର୍ଦେଶକୁ ପ୍ରଶାସନ ତର୍ଜମା କରୁଛି। ଘରୋଇ ମାଲିକାନାରେ ଥିବା କୋଠା ଏବଂ ବ୍ୟବସାୟୀକ ପ୍ରତିଷ୍ଠାନ ଉଚ୍ଛେଦ କରାଗଲେ ଆଇନ ଅନୁଯାୟୀ ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଜୋତାଷ୍ଟାଣ୍ଡ ସମେତ ୨ଟି ଖଜାଦୋକାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଦେଇଥିବା ଅନୁମତି ସୋମବାର ପୂର୍ବରୁ ପ୍ରତ୍ୟାହାର କରାଯିବା ସମ୍ଭାବନା ରହିଛି। ଯେଉଁ ଜମିରୁ କୋଠା ଗୁଡିକୁ ଭଙ୍ଗାଯିବ ତାହାର ମାଲିକାନା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ରହିଥିବା ଜଣାପଡିଛି। ପ୍ରତିହାରୀ ନିଯୋଗ କୋଠା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ନାମରେ ରହିଥିଲା। ପରେ ତାହା ପ୍ରତିହାରୀ ନିଯୋଗ ନାମରେ ରେକର୍ଡ ହୋଇଥିବା କୁହାଯାଉଛି। ତେଣୁ ପ୍ରତିହାରୀ ନିଯୋଗ କୋଠା ଯଦି ଭଙ୍ଗାଯାଏ ତାଙ୍କୁ ଅନ୍ୟସ୍ଥାନରେ ସମାନ ପରିମାଣର ଜମି ଯୋଗାଇ ଦେବାକୁ ପ୍ରଶାସନ ଚିନ୍ତା କରୁଛି। ଆନ୍ସିଏଣ୍ଟ ମନୁମେଣ୍ଟସ୍‌ ଆଣ୍ଡ ଆର୍କୋଲଜିକାଲ୍‌ ସାଇଟସ୍‌ ଆଣ୍ଡ ରିମେନ୍ସ ଆକ୍ଟ-୧୯୮୨ରେ ଥିବା ବ୍ୟବସ୍ଥା ଅନୁଯାୟୀ ପ୍ରାଚୀନ ଐତିହ୍ୟ ଭାବେ ସ୍ବୀକୃତି ପାଇଥିବା ଶ୍ରୀଜଗନ୍ନାଥ ମନ୍ଦିରଠାରୁ ୧୦୦ମିଟର ଅଞ୍ଚଳ ମଧ୍ୟରେ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ କରାଯାଇ ପାରିବ ନାହିଁ। ସଂପୃକ୍ତ ଅଞ୍ଚଳକୁ ଆଇନରେ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି। କିନ୍ତୁ ତାହାକୁ ଉଲ୍ଲଙ୍ଘନ କରି ନିଷିଦ୍ଧାଞ୍ଚଳରେ ସମ୍ପୂର୍ଣ୍ଣ ବେଆଇନ ଭାବେ ବହୁ ସଂଖ୍ୟକ କୋଠା ନିର୍ମାଣ କରାଯାଇଛି। ମେଘନାଦ ପ୍ରାଚୀର ନିକଟରେ ଥିବା ଜବରଦଖଲ ଗୁଡିକୁ ଉଚ୍ଛେଦ କରିବା ପାଇଁ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ପୂର୍ବରୁ ସରକାରଙ୍କୁ ପରାମର୍ଶ ଦେଇଥିଲା। ଦ୍ବାଦଶ ଶତାବ୍ଦୀରେ ନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିର ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି। ମେଘନାଦ ପ୍ରାଚୀର ନିକଟରେ ଥିବା କୌଣସି କୋଠାଦେଇ ଯେକେହି ବ୍ୟକ୍ତି ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବା ସମ୍ଭାବନା ରହିଛି। କିଛିଦିନ ତଳେ ଦକ୍ଷିଣଦ୍ବାର ନିକଟସ୍ଥ ରାମମନ୍ଦିର ଏବଂ ଉତ୍ତରଦ୍ବାର ନିକଟରେ ଥିବା କୋଇଲି ବୈକୁଣ୍ଠ ସୁଆର ନିଯୋଗ ଗୋଦାମ ଘରୁ ଚୋରି ହୋଇଥିଲା। ସେଥିରେ ସଂପୃକ୍ତଥିବା ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ କୌଣସି କୋଠାଦେଇ ମନ୍ଦିର ଭିତରେ ପ୍ରବେଶ କରିଥିବା ସନ୍ଦେହ କରାଯାଉଛି। ତେଣୁ ଶ୍ରୀଜଗନ୍ନାଥ ମନ୍ଦିର ସୁରକ୍ଷା ଦୃଷ୍ଟିରୁ ମେଘନାଦ ପ୍ରାଚୀର ନିକଟରେ ଥିବା ସମସ୍ତ ସରକାରୀ ଓ ବେସରକାରୀ କୋଠା ସମେତ ଜବରଦଖଲ ଉଚ୍ଛେଦ ପାଇଁ ଜିଲା ପ୍ରଶାସନ ପୁଣିଥରେ ଅଣ୍ଟା ଭିଡିଛି। ପ୍ରଶାସନର ଏଭଳି ନିଷ୍ପତ୍ତିକୁ କିଛି ବ୍ୟକ୍ତି ହାଇକୋର୍ଟରେ ଚାଲେଞ୍ଜ କରିବା ସମ୍ଭାବନା ରହିଛି। କୋଠା ଭାଙ୍ଗିବା ପାଇଁ ୩ଟି ଜେସିବି ସମେତ ୮ଜଣ ଏକ୍‌ଜ୍ୟୁକୁଟିଭ ମାଜିଷ୍ଟ୍ରେଟ ଏବଂ ୨୫ପ୍ଲାଟୁନ ପୁଲିସ ଫୋର୍ସଙ୍କୁ ସୋମବାର ନିୟୋଜିତ କରାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.