ସୁରକ୍ଷିତ ଶ୍ରୀକ୍ଷେତ୍ର ଅଭିଯାନ ଆରମ୍ଭ : ମୁକୁଳିଲା ମେଘନାଦ

ପୁରୀ : ପୂର୍ବ ନିର୍ଧାରିତ କାର୍ଯ୍ୟଖସଡ଼ା ଅନୁଯାୟୀ ଜିଲା ପ୍ରଶାସନ ପକ୍ଷରୁ ସୋମବାର ଠାରୁ ଆରମ୍ଭ ହୋଇଛି ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ଚତୁଃପାର୍ଶ୍ବସ୍ଥ ଘରଭଙ୍ଗା ଅଭିଯାନ। ପ୍ରଥମ ପର୍ଯ୍ୟାୟରେ ମେଘନାଦ ପ୍ରାଚୀର ନିକଟରୁ ୬ଟି କୋଠା ଉଚ୍ଛେଦ କରାଯାଇଛି। ସିଂହଦ୍ବାର ପୁଲିସ ଫାଣ୍ଡି ସମେତ ସୁଲଭ ଶୌଚାଳୟ, ଜିନିଷ ରଖିବା ଘର, ଖଜା ଦୋକାନ, ସେସୁ କାର୍ଯ୍ୟାଳୟ ଏବଂ ଏକ ରୋଷଘର ଜେସିବି ଲଗାଇ ଭାଙ୍ଗି ଦିଆଯାଇଛି। ମଙ୍ଗଳବାର ସିଂହଦ୍ବାର ନିକଟରୁ ସୂଚନାକେନ୍ଦ୍ର ସମେତ ଏକ ବେସରକାରୀ କୋଠା ଭଙ୍ଗାଯିବା ପ୍ରସ୍ତାବ ରହିଛି। ଘଟଣାସ୍ଥଳରେ ୮ ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ ଏବଂ ୨୫ପ୍ଲାଟୁନ ସଶସ୍ତ୍ର ପୁଲିସ ଫୋର୍ସ ନିୟୋଜିତ କରାଯାଇଛି।
ହାଇକୋର୍ଟଙ୍କ ନିର୍ଦେଶ ଏବଂ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ସୁପାରିସକୁ ଭିତ୍ତିକରି ମେଘନାଦ ପ୍ରାଚୀର ପାଖରୁ କୋଠା ଗୁଡିକୁ ଭଙ୍ଗା ଯାଉଥିବା ଜିଲାପାଳ ବଲୱନ୍ତ ସିଂହ ପ୍ରକାଶ କରିଛନ୍ତି। ସିଂହଦ୍ବାର ନିକଟରେ ଥିବା ଛାଉଣୀମଠ, ଛତାମଠ ଓ ରାମଦୟା ପରିଷଦ ଉଚ୍ଛେଦ କରାଯାଇ ନାହିଁ। ଦକ୍ଷିଣଦ୍ବାରକୁ ଲାଗି ରହିଥିବା ହନୁମାନ ମନ୍ଦିର ଭାଙ୍ଗିବା ସମ୍ପର୍କରେ ପ୍ରଶାସନ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ଗ୍ରହଣ କରିନାହିଁ। ପଶ୍ଚିମଦ୍ବାର ନିକଟରୁ ଆଉ ଦୁଇଟି କୋଠା ଭଙ୍ଗାଯିବା ସମ୍ଭାବନା ରହିଛି। ଘରଭଙ୍ଗା ସାମଗ୍ରୀଗୁଡିକୁ ଟ୍ରକ୍‌ ଓ ଟ୍ରାକ୍ଟର ମାଧ୍ୟମରେ ସଙ୍ଗେ ସଙ୍ଗେ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ଏସ୍‌ପି ଡଃ ଉମାଶଙ୍କର ଦାଶ, ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ ଏବଂ ଉପଜିଲାପାଳ ଭବତାରଣ ସାହୁ ଉଚ୍ଛେଦ ଅଭିଯାନ ତଦାରଖ କରୁଛନ୍ତି।
ସୋମବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କୋଠାଭଙ୍ଗା କାର୍ଯ୍ୟ ଅବ୍ୟାହତ ରହିଛି। ଉଚ୍ଛେଦ କାର୍ଯ୍ୟରେ ୫ଗୋଟି ଜେସିବି ନିୟୋଜିତ କରାଯାଇଛି।
ସିଂହଦ୍ବାର ପୁଲିସ ଫାଣ୍ଡି ସମେତ ତାହାକୁ ଲାଗି ରହିଥିବା ନୂତନ କୋଠାକୁ ବିଦ୍ୟୁତ୍‌ କଟର ମାଧ୍ୟମରେ ଭଙ୍ଗାଯାଉଛି। ଜନସ୍ବାସ୍ଥ୍ୟ ଡିଭିଜନର ଜଳଯୋଗାଣ କେନ୍ଦ୍ର ଏବଂ ସେସୁ ଫ୍ୟୁଜକଲ୍‌ ସେଣ୍ଟର ଯଥାଶୀଘ୍ର ସ୍ଥାନାନ୍ତର ପାଇଁ ନିର୍ଦେଶ ଦିଆଯାଇଛି। ଗଣ୍ଡଗୋଳ ଆଶଙ୍କା କରି ଶ୍ରୀମନ୍ଦିର ଆଖପାଖରେ ଥିବା ଜହ୍ନିମୁଣ୍ଡିଆଛକ, ଲବଣିଖିଆଛକ, କାକୁଡିଖାଇଛକ, ଗାଣ୍ଡୁଆଚଉରାଛକ, ଗଡ଼ନ୍ତିଛକ ଏବଂ ମରୀଚିକୋଟଛକ ଠାରୁ କୌଣସି ବାଇକ୍‌ ସିଂହଦ୍ବାର ଅଭିମୁଖେ ଯିବାକୁ ଅନୁମତି ଦିଆଯାଉ ନାହିଁ। ସେସବୁ ଛକରେ ପୁଲିସ ଫୋର୍ସ ମୁତୟନ କରାଯାଇଛି।
ବୁଧବାର ସନ୍ଧ୍ୟାସୁଦ୍ଧା ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ସମ୍ପୂର୍ଣ୍ଣ ଅବରୋଧମୁକ୍ତ ହେବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଉଚ୍ଛେଦ ପ୍ରକ୍ରିୟା ଶେଷହେବା ପରେ ସଂପୃକ୍ତ ସ୍ଥାନରୁ ଘରଭଙ୍ଗା ସାମଗ୍ରୀ ସଫା କରାଯାଇ ତାରବାଡ କରିବା ନିମନ୍ତେ ପ୍ରଶାସନ ପ୍ରସ୍ତୁତ ହୋଇ ରହିଛି। ଏହାଛଡା ପରିକ୍ରମା ମାର୍ଗ ନିର୍ମାଣ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଛି। ଆନ୍ସିଏଣ୍ଟ ମନୁମେଣ୍ଟ ଆଇନରେ ଥିବା କଟକଣା ଉଲ୍ଲଙ୍ଘନ କରି ବେଆଇନ ଭାବେ ଏହିସବୁ କୋଠା ନିର୍ମାଣ କରାଯାଇଥିବା ଜିଲାପାଳ ଶ୍ରୀ ସିଂହ ଗଣମାଧ୍ୟମକୁ କହିଛନ୍ତି।

Comments are closed.