ମାଟିରେ ମିଶିଲା ବଡ଼ଆଖଡ଼ାମଠ

ଉଚ୍ଛେଦ ଅଭିଯାନ ଜୋରଦାର ଲୋପ ପାଇଲା ଲକ୍ଷ୍ମୀବଜାର

0

ପୁରୀ  : ବିଶ୍ବ ଐତିହ୍ୟ ସଂରକ୍ଷଣ ଯୋଜନା କ୍ରମରେ ଶ୍ରୀକ୍ଷେତ୍ର ସୌନ୍ଦର୍ଯ୍ୟକରଣ ପାଇଁ ମାଟିରେ ମିଶିଛି ୬ଶହ ବର୍ଷର ପୁରୁଣା ପ୍ରସିଦ୍ଧ ବଡ଼ଆଖଡ଼ାମଠ। ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରୁ ଅସୁରକ୍ଷିତ କୋଠାବାଡ଼ି ଉଚ୍ଛେଦକ୍ରମରେ ୫ ଦିନ ତଳେ ବଡ଼ଆଖଡ଼ାମଠ ଭଙ୍ଗାଯିବାବେଳେ ସାଧୁସନ୍ଥମାନେ ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ସୁପ୍ରିମକୋର୍ଟରେ ମଧ୍ୟ ଅଭିଯୋଗ ଉଠିଥିଲା। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦେଶମତେ ପୁରୀ ଆସିଥିବା କୋର୍ଟମିତ୍ର ଗତକାଲି ସ୍ଥିତି ପରିଦର୍ଶନ ଓ ଅନୁଧ୍ୟାନ କରିବା ପରେ ଉଚ୍ଛେଦକୁ ସବୁଜ ସଙ୍କେତ ଦେଇ ବିକାଶ ପାଇଁ ପୁନର୍ଗଠନ ଜରୁରୀ ଏବଂ ଏଥିପାଇଁ ଉଚ୍ଛେଦକୁ ବିରୋଧ କରାଯିବା ଅନୁଚିତ ବୋଲି ମତ ଦେଇଥିଲେ। ଏହାପରେ ଆଜି (ରବିବାର) ସକାଳେ ଜିଲା ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷାମଳୟ ମଧ୍ୟରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ବୁଲ୍‌ଡୋଜର୍‌ ଲଗାଇ ବଡ଼ଆଖଡ଼ାମଠ ଭଙ୍ଗାକାର୍ଯ୍ୟ ଆରମ୍ଭ କରିଥିଲେ।
ଜିଲା ପ୍ରଶାସନ ପକ୍ଷରୁ ମଠର ଘରଗୁଡିକୁ ଅସୁରକ୍ଷିତ ଦର୍ଶାଇ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ଧରାଶାୟୀ ହୋଇଛି ଲୁଗାପଟି। ୧୮ ବଖରା ଦୋକାନଘର ସମେତ ପୂର୍ବରୁ ସିଂହଦ୍ବାରଥାନା, ଦମକଳକେନ୍ଦ୍ର ଏବଂ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଥିବା କୋଠରିଗୁଡିକୁ ଭାଙ୍ଗି ଦିଆଯାଇଛି। ଆଉ ୧୨ବଖରା ଘର ସୋମବାର ଉଚ୍ଛେଦ କରାଯିବ। ତେବେ ମଠ ପରିସରରେ ଥିବା ଠାକୁରଙ୍କ ମନ୍ଦିର ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। ତାହାକୁ ସଂରକ୍ଷଣ କରାଯିବା ସହ ଠାକୁରଙ୍କ ସେବାପୂଜା ଅକ୍ଷୁଣ୍ଣ ରହିବ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି। ମଠମହନ୍ତ ହରିନାରାୟଣ ଦାସଙ୍କୁ ନୀଳାଦ୍ରି ଭକ୍ତନିବାସରେ ଗୋଟିଏ କୋଠରି ଯୋଗାଇ ଦିଆଯାଇଛି। ଅନ୍ୟ ଅନ୍ତେବାସୀଙ୍କୁ ଧର୍ମଶାଳାରେ ରଖାଯାଇଛି।
ବଡ଼ଆଖଡାମଠ ଭାଙ୍ଗିବା ନିଷ୍ପତ୍ତିକୁ କେନ୍ଦ୍ରକରି କିଛିଦିନ ଧରି ବିବାଦ ଲାଗି ରହିଥିଲା। ପୌରସଂସ୍ଥା ପକ୍ଷରୁ ଅସୁରକ୍ଷିତ ଦର୍ଶାଯାଇଥିବା ଘରଗୁଡିକ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ମହନ୍ତ ଯୁକ୍ତି ବାଢିଥିଲେ। ଶ୍ରୀଜଗନ୍ନାଥ ମନ୍ଦିର ମେଘନାଦ ପ୍ରାଚୀରଠାରୁ ୭୫ମିଟର ସୁରକ୍ଷା ଜୋନ୍‌ ଭିତରେ ଏହି ମଠର କିଛି ଅଂଶ ରହିଛି। ଓଡ଼ିଶା ପୌର ଆଇନର ଧାରା ୨୭୫ ଅନୁଯାୟୀ ମଠ ସମ୍ମୁଖରେ ଥିବା ଦୋକାନଗୁଡିକ ସମେତ ଅନ୍ୟ ଘରଗୁଡିକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା। ଜନସାଧାରଣଙ୍କ ଧନଜୀବନ ପ୍ରତି ବିପଦ ଥିବା ଦର୍ଶାଇ ତାହାକୁ ଭାଙ୍ଗିବା ନିମନ୍ତେ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଗତ ୩୧ତାରିଖ ଦିନ ମହନ୍ତଙ୍କୁ ନୋଟିସ ଜାରି କରିଥିଲେ। ଜିଲାପାଳ ଏବଂ ମଠାଧୀଶଙ୍କ ମଧ୍ୟରେ ସେବେଠାରୁ ଆଲୋଚନା ଜାରି ରହିଥିଲା। ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିଯୁକ୍ତ କୋର୍ଟମିତ୍ର ରଣଜିତ କୁମାର ଶନିବାର ପୁରୀଗସ୍ତରେ ଆସି ଶ୍ରୀମନ୍ଦିର ଚତୁଃପାର୍ଶ୍ବ ସୌନ୍ଦର୍ଯ୍ୟକରଣ ଏବଂ ଅସୁରକ୍ଷିତ କୋଠା ଉଚ୍ଛେଦ ସପକ୍ଷରେ ମତ ଦେଇଥିଲେ। ତେଣୁ ରବିବାର ବୁଲଡୋଜର ଲଗାଇ ବଡ଼ଆଖଡାମଠ ଉଚ୍ଛେଦ କରାଯାଇଛି। ୬ଟି ଦୋକାନଘର ସମ୍ମୁଖରେ ଗଣେଶମୂର୍ତ୍ତି ପୂଜା ପାଉଥିବାରୁ ସୋମବାର ତାହାକୁ ଉଚ୍ଛେଦ କରାଯିବା କାର୍ଯ୍ୟକ୍ରମ ରହିଛି ବୋଲି ଜିଲାପାଳ ବଲୱନ୍ତ ସିଂହ ପ୍ରକାଶ କରିଛନ୍ତି। ଘରଗୁଡିକୁ ଭାଙ୍ଗିବା ପାଇଁ ଏକକାଳୀନ ୬ଟି ବୁଲଡୋଜର ନିୟୋଜିତ କରାଯାଇଥିଲା।
ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ ଏବଂ ଉପଜିଲାପାଳ ଭବତାରଣ ସାହୁଙ୍କ ସମେତ ୬ଜଣ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ, ୮ ପୁଲିସ ଅଧିକାରୀ ଏବଂ ୧୫ପ୍ଲାଟୁନ ପୁଲିସ ଫୋର୍ସ ସେଠାରେ ଉପସ୍ଥିତ ଥିଲେ। ସକାଳ ୭ଟାରୁ ଅପରାହ୍ଣ ୬ଟା ପର୍ଯ୍ୟନ୍ତ ଉଚ୍ଛେଦ ପ୍ରକ୍ରିୟା ଚାଲିଥିଲା। ମଠ ଚତୁଃପାର୍ଶ୍ବରେ ପୁଲିସ ବ୍ୟାରିକେଡ ସହ ତିନୋଟି ରାସ୍ତା ସିଲ୍‌ କରାଯାଇଥିଲା। ଉଚ୍ଛେଦ ପୂର୍ବରୁ ମଠାଧୀଶଙ୍କ ସମେତ ଅନ୍ୟ ଅନ୍ତେବାସୀଙ୍କୁ ପ୍ରଶାସନ ସ୍ଥାନାନ୍ତର କରିଥିଲା। ବଡ଼ଆଖଡାମଠ ଉଚ୍ଛେଦ ପରେ ଶ୍ରୀମନ୍ଦିର ସିଂହଦ୍ବାର ଅଞ୍ଚଳ ଅଧିକ ପ୍ରଶସ୍ଥ ହୋଇଛି। ଲକ୍ଷ୍ମୀବଜାର ଏବଂ ବଡ଼ଦାଣ୍ଡ ଏକ ହୋଇଯାଇଛି। ଶ୍ରୀନଅର ସମ୍ମୁଖରେ ଛିଡାହେଲେ ମେଘନାଦ ପ୍ରାଚୀର ସ୍ପଷ୍ଟ ଦେଖାଯାଉଛି। ଘରଭଙ୍ଗା ସାମଗ୍ରୀଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ସୂଚନା ଅନୁଯାୟୀ ଶ୍ରୀଜଗନ୍ନାଥ ମନ୍ଦିର ସୁରକ୍ଷା ପାଇଁ ୧୪୦୨ ରେ ବଡ଼ଆଖଡାମଠ ନିର୍ମାଣ କରାଯାଇଥିଲା। ମୋଗଲଙ୍କ ବିରୋଧରେ ୧୪ବର୍ଷଧରି ନାଗା ସାଧୁମାନେ ଲଢେଇ କରିଥିଲେ। ଅଖିଳ ଭାରତୀୟ ପଞ୍ଚ ରାମାନନ୍ଦୀ ଦିଗମ୍ବର ଆଖଡା ସମ୍ପ୍ରଦାୟ ଏହି ମଠ ନିର୍ମାଣ କରିଥିଲେ। ବଡ଼ଆଖଡା ମଠରେ ରାମ, ଲକ୍ଷ୍ମଣ, ସୀତା ଏବଂ ହନୁମାନଙ୍କୁ ପୂଜା କରାଯାଉଛି। ଏହାଛଡା ଧାମ ଅଧିପତି ଭାବେ ଶ୍ରୀଜଗନ୍ନାଥଙ୍କୁ ସେଠାରେ ପୂଜା କରାଯାଉଛି। ରବିବାର ପ୍ରଶାସନ ମଠର ଘରଗୁଡିକୁ ଉଚ୍ଛେଦ ପରେ ଏହାକୁ ନେଇ ପ୍ରାୟ ୧୦ଦିନ ଧରି ଲାଗିରହିଥିବା ବାଦବିବାଦର ଅବସାନ ଘଟିଛି।

Leave A Reply