ନଡ଼ା ପୋଡ଼ି ବନ୍ଦ ନ ହେବା ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ : ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦରକାର

ସହାୟତା ରାଶି ପ୍ରଦାନ, ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ପାଇଁ ନିର୍ଦେଶ

ନୂଆଦିଲ୍ଲୀ : ଦିଲ୍ଲୀ ପ୍ରଦୂଷଣ ପାଇଁ ମୁଖ୍ୟତଃ ଦାୟୀ ପଡ଼ୋଶୀ ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶ ଚାଷୀଙ୍କ ନଡ଼ା ପୋଡ଼ି ପ୍ରସଙ୍ଗରେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ପୂର୍ବ ନିର୍ଦେଶ ସତ୍ତ୍ବେ ଏହାକୁ ବନ୍ଦ କରିବାରେ ସମ୍ପୃକ୍ତ ରାଜ୍ୟ ସରକାରମାନେ ବିଫଳ ହୋଇଥିବା ଦର୍ଶାଇ ସରକାରୀ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି ବୁଧବାର ସୁପ୍ରିମକୋର୍ଟ କହିଛନ୍ତି। ଏହି ବିଫଳତା ପାଇଁ ଦିଲ୍ଲୀ ସମେତ ଉପରୋକ୍ତ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ସମାଲୋଚନା କରିଛନ୍ତି। କୌଣସି ଦେଶରେ କୃଷକଙ୍କୁ ଏଭଳି ନଡ଼ା ପୋଡ଼ି ପାଇଁ ଅନୁମତି ଦିଆଯାଇ ନ ଥାଏ। ସରକାରଙ୍କ ଉଦାସୀନତା କୃଷକଙ୍କୁ ନଡ଼ା ପୋଡ଼ି ପାଇଁ ପ୍ରୋତ୍ସାହିତ କରୁଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପୂର୍ବ ନିର୍ଦେଶ ଅନୁସାରେ ଉପରୋକ୍ତ ୪ ରାଜ୍ୟର ମୁଖ୍ୟ ଶାସନ ସଚିବମାନେ ବୁଧବାର ସୁପ୍ରିମକୋର୍ଟରେ ହାଜର ହୋଇଥିଲାବେଳେ ବିଚାରପତିଙ୍କ କଡ଼ା ମନ୍ତବ୍ୟର ସମ୍ମୁଖୀନ ହୋଇଛନ୍ତି।
ଏଥିସହିତ ସୁପ୍ରିମକୋର୍ଟ ନଡ଼ା ପୋଡ଼ୁଥିବା ସମ୍ପୃକ୍ତ ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ନଡ଼ାର କ୍ବିଣ୍ଟାଲ ପିଛା ୧୦୦ଟଙ୍କା ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାରମାନଙ୍କୁ ନିର୍ଦେଶ ଦେଇଛନ୍ତି। ସପ୍ତାହକ ମଧ୍ୟରେ ଏହି ଟଙ୍କା ଦେବାକୁ କୋର୍ଟ କହିଛନ୍ତି। ପୁନଶ୍ଚ ନଡ଼ା ପୋଡ଼ି ବନ୍ଦ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କୁ ଆବଶ୍ୟକ ଯନ୍ତ୍ରାଦି ଯୋଗାଇଦେବାକୁ ନିର୍ଦେଶ ଦେଇଛନ୍ତି। ଏତଦ୍‌ବ୍ୟତୀତ ଏଭଳି ସମସ୍ୟାର ସବୁଦିନିଆ ସମାଧାନ ପାଇଁ ତିନି ମାସ ମଧ୍ୟରେ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି।
ପରିବେଶ ନିୟନ୍ତ୍ରଣ ପ୍ରାଧୀକରଣ (ଇପିସିଏ)ଙ୍କ ଆବେଦନ ଉପରେ ଶୁଣାଣି ସମୟରେ ଜଷ୍ଟିସ ଅରୁଣ ମିଶ୍ର ଓ ଜଷ୍ଟିସ ଦୀପକ ଗୁପ୍ତାଙ୍କ ପୀଠ କହିଛନ୍ତି ଯେ ପ୍ରଦୂଷଣ ମାତ୍ରା ୧୮୦୦ରେ ପହଞ୍ଚିଲାଣି, ଲୋକେ ମୃତ୍ୟୁମୁଖରେ ପଡ଼ୁଛନ୍ତି। ବିମାନର ଗତିପଥ ପରିବର୍ତ୍ତନ କରାଯାଉଛି। ଏପରି ସ୍ଥଳେ ଅଫିସରମାନେ ନିଜର ସଫଳତା ପାଇଁ ଗର୍ବ କରୁଛନ୍ତି। ନିଜର ବିଫଳତା ଲୁଚାଇବାକୁ କୃଷକଙ୍କ ଉପରେ ଦୋଷ ଲଦୁଛନ୍ତି। ଏଭଳି ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସମୟ ଆସିଛି। ତୁରନ୍ତ ସେମାନଙ୍କୁ ନିଲମ୍ବନ କରାଯିବା ଦରକାର। ପଞ୍ଜାବ ମୁଖ୍ୟ ଶାସନ ସଚିବଙ୍କୁ ତାଙ୍କର ବିଫଳତା ପାଇଁ ଆଗେ ନିଲମ୍ବନ କରାଯିବା ଆବଶ୍ୟକ। ନଡ଼ା ପୋଡ଼ି ବନ୍ଦ ପାଇଁ ଗରିବ ଚାଷୀଙ୍କୁ ଦଣ୍ଡବିଧାନ କରିବା ଅନୁଚିତ ଓ ଏହା ସମାଧାନର ବାଟ ନୁହେଁ ବୋଲି ପୀଠ ମତ ଦେଇଛନ୍ତି। ସୋମବାର ନଡ଼ା ପୋଡ଼ି ବନ୍ଦ ପାଇଁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦେଶ ସତ୍ତ୍ବେ ବୁଧବାର ୭ହଜାର ସ୍ଥାନରେ ଏହା ଜାରି ରହିଥିବା ଓ ପଞ୍ଜାବର ଅଧିକାଂଶ ସ୍ଥାନରେ ନଡ଼ା ପୋଡ଼ାଯାଉଥିବା ମୃତ୍ତିକା ବିଜ୍ଞାନ ମନ୍ତ୍ରଣାଳୟ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି। ଆଟର୍ଣ୍ଣି ଜେନେରାଲ କେ.କେ ବେଣୁଗୋପାଳ କେନ୍ଦ୍ର ସରକାର ଓ ସମ୍ପୃକ୍ତ ରାଜ୍ୟମାନଙ୍କ ପକ୍ଷରୁ ପୀଠକୁ ଜଣାଇଛନ୍ତି ଯେ ପରିବେଶକୁ ପ୍ରଦୂଷିତ କରୁଥିବା ଧୂଆଁର ୪୪ପ୍ରତିଶତ ନଡ଼ା ପୋଡ଼ିରୁ ହିଁ ଆସୁଛି। ଏହା ସତ୍ତ୍ବେ ଦୁଇ ଲକ୍ଷ କୃଷକଙ୍କୁ ନଡ଼ା ପୋଡ଼ିରୁ ନିବୃତ୍ତ କରିବା ସମ୍ଭବ ନୁହେଁ ବୋଲି ବେଣୁଗୋପାଳ ଦର୍ଶାଇବାରେ ପୀଠ ଏହାକୁ ଅଗ୍ରାହ୍ୟ କରିଥିଲେ। ଏହାକୁ ତୁରନ୍ତ ବନ୍ଦ କରିବାକୁ ପୀଠ ନିର୍ଦେଶ ଦେଇଥିଲେ। ସେହିଭଳି ପଞ୍ଜାବ ମୁଖ୍ୟ ସଚିବ ନଡ଼ା ପୋଡ଼ି ନିୟନ୍ତ୍ରଣ ପାଇଁ ଅର୍ଥାଭାବ ଥିବା କହିବାରେ ପୀଠ ବିରକ୍ତ ହୋଇ ‘ଆପଣଙ୍କର ଟଙ୍କା ନାହିଁ, ଯୋଜନା ନାହିଁ; ତେଣୁ ଆପଣଙ୍କର ମୁଖ୍ୟ ସଚିବ ହେବାର ଅଧିକାର ମଧ୍ୟ ନାହିଁ’ ବୋଲି କହିଥିଲେ। ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ ଓ ଆବର୍ଜନା ପୋଡ଼ି ବନ୍ଦ ହୋଇ ନ ପାରିବା ନେଇ ମୁଖ୍ୟ ସଚିବ କାହିଁକି ଚୌକିରେ ବସିଛନ୍ତି ବୋଲି ପୀଠ ବିରକ୍ତି ପ୍ରକାଶ କରିଥିଲେ।

Comments are closed.