ଦିଲ୍ଲୀ ବ୍ୟାଟିଂ ବିଫଳ; ସନ୍‌ରାଇଜର୍ସ ବିଜୟୀ

ନୂଆଦିଲ୍ଲୀ : ଆଇପିଏଲ୍‌ର ୧୨ଶ ସଂସ୍କରଣରେ ଗୁରୁବାର ବିଜୟୀ ହୋଇଛି ସନ୍‌ରାଇଜର୍ସ ହାଇଦରାବାଦ। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ୫ ୱିକେଟରେ ସନ୍‌ରାଇଜର୍ସ ପରାସ୍ତ କରିଛି। ଅଧିନାୟକ ଶ୍ରେୟାସ ଆୟରଙ୍କ ଲଢ଼ୁଆ ୪୩ ରନ୍‌ର ଇନିଂସ ସତ୍ତ୍ବେ ଦିଲ୍ଲୀ ୮ ୱିକେଟରେ ୧୨୯ ରନ୍ କରି ପାରିଥିଲା। ପରେ ଜନି ବେୟାରଷ୍ଟୋଙ୍କ ବିସ୍ଫୋରକ ଇନିଂସ ବଳରେ ୧୮.୩ ଓଭରରେ ୫ ୱିକେଟ ହରାଇ ସନ୍‌ରାଇଜର୍ସ ବିଜୟୀ ହୋଇଥିଲା। ସନ୍‌ରାଇଜର୍ସ ୪ଟି ମ୍ୟାଚ୍‌ରୁ ୩ୟ ବିଜୟ ପରେ ପଏଣ୍ଟ ଟେବୁଲ୍‌ର ଶୀର୍ଷକୁ ପେରିପାରିଛି। ଦିଲ୍ଲୀ କ୍ୟାପିଟାଲ୍‌ସ ୫ମ ମ୍ୟାଚ୍‌ରେ ୩ୟ ପରାଜୟ ବରଣ କରିଛି।
ଫର୍ମରେ ଥିବା ସନ୍‌ରାଇଜର୍ସ ଦୃଢ଼ତାର ସହ ୧୩୦ ରନ୍ ସହଜ ବିଜୟଲକ୍ଷ୍ୟର ପିଛା କରିଥିଲା। ଡେଭିଡ୍ ୱାର୍ଣ୍ଣର ବିସ୍ଫୋରକ ବ୍ୟାଟିଂକରିବେ ବୋଲି ଅନୁମାନ କରା ଯାଉଥିବା ବେଳେ ସେ ଜଗରଖି ଖେଳିଥିଲେ। ତେବେ ଅନ୍ୟପଟେ ଜନି ବେୟାରଷ୍ଟୋ ବିସ୍ଫୋରକ ଢଙ୍ଗରେ ବ୍ୟାଟିଂ କରିଥିଲେ। ଓପ୍‌ନିଂ ଯୋଡ଼ି ୬୫ ରନ୍ କରିଥିବା ବେ​‌େ​‌ଳ ସେଥିରୁ ବେୟାରଷ୍ଟୋଙ୍କ ଯୋଗଦାନ ଥିଲା ୪୮ ରନ୍। ବେୟାରଷ୍ଟୋ ୨୮ ବଲ୍‌ରୁ ଗୋଟିଏ ଛକା ଓ ୯ଟି ଚୌକା ସହ ୪୮ ରନ୍ କରି ଆଉଟ ହୋଇଥିଲେ। ଏହାସହ ୩୭ ରନ୍‌ରେ ୪ଟି ୱିକେଟ ନେଇ ଦିଲ୍ଲୀ ମ୍ୟାଚ୍‌କୁ ଫେରିବାର ପ୍ରୟାସ କରିଥିଲା। ୮ ଓଭର କ୍ରିଜ୍‌ରେ ରହି ୧୮ଟି ବଲ୍‌ରୁ ୧୦ ରନ୍‌କରି ୱାର୍ଣ୍ଣର ଆଉଟ ହୋଇଥିଲେ। ମନୀଷ ପାଣ୍ଡେ ୧୩ ବଲ୍‌ରୁ ୧୦ ଏବଂ ବିଜୟ ଶଙ୍କର ୧୬ ରନ୍‌କରି ବିଦାୟ ନେଇଥିଲେ। ଦୀପକ ହୁଡା ୧୦ ରନ୍ କରିଥିଲେ। ମହମ୍ମଦ ନବି ୯ ବଲ୍‌ରୁ ୧୭ ଓ ୟୁସୁଫ୍ ପଠାନ୍ ୧୧ ବଲ୍‌ରୁ ୯ ରନ୍‌ରେ ଅପରାଜିତ ରହି ଦଳକୁ ଜିତାଇଥିଲେ। ବିସ୍ଫୋରକ ଇନିଂସ ପାଇଁ ଜନି ବେୟାରଷ୍ଟୋ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ସନ୍‌ରାଇଜର୍ସ ହାଇଦରାବାଦ ଟସ୍ ଜିତି ଫିଲ୍‌ଡିଂ ନେବା ପରେ ଘରୋଇ ଦଳ ଦିଲ୍ଲୀ କ୍ୟାପିଟାଲ୍‌ସ ଓପ୍‌ନର ପୃଥ୍ବୀ ସ’ ୧୧ ବଲ୍‌ରୁ ୨ଟି ଚୌକା ସହ ୧୧ ରନ୍‌କରି ବିଦାୟ ନେଇଥିଲେ। ଶିଖର ଧାୱନ୍ ପୁଣି ବିଫଳ ହୋଇ ୧୪ ବଲ୍‌ରୁ ୧୨ ରନ୍‌କରି ଆଉଟ ହୋଇଥିଲେ। ଅଧିନାୟକ ଶ୍ରେୟାସ ଆୟର ପରବର୍ତ୍ତୀ ୧୪ ଓଭର କ୍ରିଜ୍‌ରେ ରହିଥିଲେ ହେଁ ଅନ୍ୟପଟୁ ୱିକେଟ ପଡ଼ି ଚାଲିଥିଲା। ମଧ୍ୟକ୍ରମରେ ଋଷଭ ପନ୍ତ୍, ରାହୁଲ ତିୱାତିଆ ଓ କଲିନ୍ ଇନ୍‌ଗ୍ରାମ୍ ୫ ରନ୍ ଲେଖାଏଁ ସ୍କୋର୍‌କରି ଆଉଟ ହୋଇଥିଲେ। ଫଳରେ ୭୫ ରନ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ସ ୫ଟି ୱିକେଟ ହରାଇଥିଲା। ଶ୍ରେୟାସ ଆୟର ୪୧ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୪୩ ରନ୍‌କରି ବିଦାୟ ନେଇଥିଲେ। କ୍ରିସ୍ ମରିସ୍ ୧୫ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୭ ରନ୍ କରିଥିଲେ। ଶେଷ ଓଭରରେ ୨ଟି ଛକା ମାରିଥିବା ଅକ୍ଷର ପଟେଲ ୧୩ ବଲ୍‌ରୁ ୨୩ ରନ୍‌କରି ଅପରାଜିତ ଥିଲେ। ସନ୍‌ରାଇଜର୍ସ ଅଧିନାୟକ ଭୁବନେଶ୍ବର କୁମାରଙ୍କ ସହ ସିଦ୍ଧାର୍ଥ କୌଲ ଓ ମହମ୍ମଦ ନବି ୨ଟି ଲେଖାଏଁ ୱିକେଟ ପାଇଥିଲେ।

 

Comments are closed.