ଦିଲ୍ଲୀ ବାୟୁ ପ୍ରଦୂଷଣ : ୪ ରାଜ୍ୟର ମୁଖ୍ୟ ଶାସନ ସଚିବ ବ୍ୟକ୍ତିଗତ ଭାବେ ହାଜର ହେବା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ଦିଲ୍ଲୀ ବାୟୁ ପ୍ରଦୂଷଣ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ୍

ନୂଆଦିଲ୍ଲୀ :  ଦିଲ୍ଲୀ-ଏନ୍‍ସିଆର୍‍ ଅଞ୍ଚଳରେ ପ୍ରଦୂଷଣ ହ୍ରାସ କରିବାପାଇଁ ପଞ୍ଜାବ,ହରିୟାଣା, ଉତ୍ତର ପ୍ରଦେଶ ଓ ଦିଲ୍ଲୀ ସରକାରଙ୍କ ପକ୍ଷରୁ କି ପ୍ରକାର ପଦକ୍ଷେପ ନିଆଯାଇଛି, ସେ ସଂକ୍ରାନ୍ତରେ ଅବଗତ କରାଇବାପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ଏହିସବୁ ରାଜ୍ୟ ଗୁଡ଼ିକର ମୁଖ୍ୟ ଶାସନ ସଚିବମାନଙ୍କୁ ସମନ କରିଥିଲେ।
ଜଷ୍ଟିସ୍‍ ଅରୁଣ ମିଶ୍ର ଓ ଦୀପକ୍‍ ଗୁପ୍ତାଙ୍କ ଖଣ୍ଡପୀଠ କହିଛନ୍ତି, ଏ ଦିଗରେ ଫଳପ୍ରଦ ପଦକ୍ଷେପ ନିଶ୍ଚିତ ନିଆଯିବା ଆବଶ୍ୟକ । ଦିଲ୍ଲୀରେ ଯେଉଁ ୧୩ଟି ସ୍ଥାନରେ ପ୍ରଦୂଷଣ ସ୍ତର ଭୟଙ୍କର ସ୍ଥିତିରେ ରହିଛି, ସେହିସବୁ ସ୍ଥାନରୁ ତୁରନ୍ତ ପ୍ରଦୂଷଣକୁ ଦୂର କରିବାକୁ ପଡ଼ିବ। ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ କହିଛନ୍ତି, ଅଡ୍‍-ଇଭିନ୍‍ ଯୋଜନା କାର୍ଯ୍ୟକାରୀ ସମୟରେ ଦୁଇଚକିଆ ଓ ତିନି ଚକିଆ ଯାନକୁ ଏଥିରୁ କାହିଁକି ବାଦ୍‍ ଦିଆଗଲା ଏବଂ ଅଡ୍‍-ଇଭିନ୍‍ ଯୋଜନା କାର୍ଯ୍ୟକାରୀ ସତ୍ତ୍ବେ ଦିଲ୍ଲୀର ପ୍ରଦୂଷଣ ସ୍ତର କାହିଁକି ବୃଦ୍ଧି ପାଇଲା, ସେ ବିଷୟରେ ଅବଗତ କରାଯାଉ। ଖଣ୍ଡପୀଠ କହିଛନ୍ତି, ଫସଲର ଅବଶିଷ୍ଟାଂଶ ପୋଡ଼ିବା ବନ୍ଦ୍‍ ହେବା ସତ୍ତ୍ବେ ଦିଲ୍ଲୀର ପ୍ରଦୂଷଣ ସ୍ତର ଅତି ମାରାତ୍ମକ ସ୍ଥିତିରେ ରହିବା ଉଦ୍‍ବେଗର ବିଷୟ।

ତେବେ ନଭେମ୍ବର ୨୫ ତାରିଖରେ ଏହି ୪ ରାଜ୍ୟର ମୁଖ୍ୟ ଶାସନ ସଚିବ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ ସର୍ବୋଚ୍ଚ ଅଦାଲତ ନିର୍ଦେଶ ଦେଇଛନ୍ତି।

ଦିଲ୍ଲୀ ସରକାର ଅଦାଲତରେ କହିଛନ୍ତି, ଅଡ୍‍-ଇଭିନ୍‍ ଯୋଜନା କାର୍ଯ୍ୟକାରୀ ଦ୍ୱାରା ପ୍ରଦୂଷଣ ହ୍ରାସ ପାଇଥିଲା; ମାତ୍ର ଫସଲର
ଅବଶିଷ୍ଟାଂଶ ପୋଡ଼ିବା ଦ୍ୱାରା ପ୍ରଦୂଷଣ ହାର ଅତିମାତ୍ରାରେ ବୃଦ୍ଧି ପାଇଛି। ଦିଲ୍ଲୀରେ ପ୍ରଦୂଷଣ ହ୍ରାସ କରିବାପାଇଁ ସ୍ମଗ୍‍ ଟାୱାର୍‍ ସ୍ଥାପନ ସକାଶେ କ’ଣ ସବୁ ସମ୍ଭାବନା ରହିଛି, ତାହା ବିଷୟରେ ତର୍ଜମା କରାଯାଉଛି ବୋଲି କେନ୍ଦ୍ର ସରକାର କୋର୍ଟଙ୍କୁ ଜଣାଇଛନ୍ତି। କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି, ଏହି ସମସ୍ୟାର ସମାଧାନ ପାଇଁ ସବୁ ସଂସ୍ଥାଗୁଡ଼ିକ ପକ୍ଷରୁ ମିଳିତ ସହଯୋଗର ଆବଶ୍ୟକତା ରହିଛି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସହ କଥାବାର୍ତ୍ତାବେଳେ ଶ୍ରୀ ଜାବଡେକର କହିଛନ୍ତି, ପ୍ରଦୂଷଣ ସମସ୍ୟାକୁ ନେଇ ସରକାର ଅତି ଗୁରୁତର ସହ ବିଚାର କରୁଛନ୍ତି। ଏଣୁ ପ୍ରଥମ ଥରପାଇଁ ‘ବାୟୁ ଛାଉଣି’ ସୃଷ୍ଟି ଲାଗି ସରକାର ବିବେଚନା କରୁଛନ୍ତି।

Comments are closed.