ଦେଶର ଅର୍ଥନୀତିକୁ ନେଇ ରାଜ୍ୟସଭାରେ ବିତର୍କ; ଅର୍ଥମନ୍ତ୍ରୀ କହିଲେ ଅଭିବୃଦ୍ଧି ଖସିଛି, କିନ୍ତୁ ମାନ୍ଦାବସ୍ଥା ନାହିଁ

ନୂଆଦିଲ୍ଲୀ: ଦେଶରେ ଅର୍ଥନୀତିର ସ୍ଥିତିକୁ ନେଇ ବୁଧବାର ରାଜ୍ୟସଭାରେ ବିତର୍କ ହୋଇଛି। ଏହି ଅବସରରେ ବିରୋଧୀମାନେ ଆର୍ଥିକ ମାନ୍ଦାବସ୍ଥାକୁ ନେଇ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ବିତର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାଗନେଇ ଜିଡିପି ଅଭିବୃଦ୍ଧିରେ ମନ୍ଥରତା ଦେଖାଦେଇଥିବା ସ୍ବୀକାର କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ମାନ୍ଦାବସ୍ଥା ସୃଷ୍ଟି ହୋଇନାହିଁ କିମ୍ବା ଆଗକୁ ମାନ୍ଦାବସ୍ଥା ସୃଷ୍ଟି ହେବାର ସମ୍ଭାବନା ନାହିଁ।

ବିତର୍କରେ କଂଗ୍ରେସ ସାଂସଦ ଆନନ୍ଦ ଶର୍ମା କହିଥିଲେ, ଜିଡିପି ଅଭିବୃଦ୍ଧି କମ୍‌ ହେଉଛି। ରୋଜଗାର ହ୍ରାସ ପାଉଛି। ଫ୍ୟାକ୍ଟ୍ରି ବନ୍ଦ ହେଉଛି। ଭାରତର କୃଷକ ତ୍ରାହି ତ୍ରାହି ଡାକିଲେଣି। ଧନୀ ଏବଂ ଗରିବଙ୍କ ମଧ୍ୟରେ ପାର୍ଥକ୍ୟ ବଢ଼ିବାରେ ଲାଗିଛି। ଗତ ୫ବର୍ଷରେ ଦେଶର ସମ୍ପତ୍ତି ମଧ୍ୟରୁ ୧% ଧନୀଙ୍କ ସମ୍ପତ୍ତି ପରିମାଣ ୪୦%ରୁ ବୃଦ୍ଧି ପାଇ ୬୦% ହେଲାଣି। ବିଜେପି ନିଜ ଘୋଷଣା ପତ୍ରରେ କହିଥିଲା ଯେ ସେ ୫ବର୍ଷରେ କୃଷି କ୍ଷେତ୍ରରେ ୨୫ ଲକ୍ଷ କୋଟି ଟଙ୍କା ନିବେଶ କରିବ। ଅର୍ଥାତ ପ୍ରତି ୫ବର୍ଷର ୫ ଲକ୍ଷ କୋଟି ଖର୍ଚ୍ଚ ହେବ। କିନ୍ତୁ ବଜେଟରେ କେବଳ ୫୩ ହଜାର କୋଟି ଟଙ୍କା ଆବଣ୍ଟିତ ହୋଇଛି। ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଇ ସୀତାରମଣ କହିଥିଲେ, ଅର୍ଥନୀତିକୁ ଅଧିକ ସମର୍ଥନ ଦରକାର, ଯାହା ସରକାର ଯୋଗାଇ ଦେଉଛନ୍ତି। ଏହି ଅବସରରେ ସେ ଉପା-୨ ସରକାର ଏବଂ ଏନଡିଏ-୧ ସରକାର ସମୟର ଅର୍ଥନୈତିକ ସମ୍ବନ୍ଧୀୟ ଟିକିନିଖି ତଥ୍ୟକୁ ତୁଳନା କରିଥିଲେ। ସେ ଦର୍ଶାଇଥିଲେ ଯେ, ୨୦୦୯-୨୦୧୪ ସରକାରର ଶେଷ ସମୟରେ ଜିଡିପି ଅଭିବୃଦ୍ଧି ୬.୪% ଥିଲାବେଳେ ୨୦୧୪-୧୦୧୯ ମଧ୍ୟରେ ୭.୫% ରହିଥିଲା। ୨୦୦୯-୧୪ରେ ଦେଶରେ ୧୮ ହଜାର ୯୫୦ କୋଟି ଡଲାର ପୁଞ୍ଜିନିବେଶ ହୋଇଥିଲା ବେଳେ ୨୦୧୪-୧୯ରେ ଏହା ବୃଦ୍ଧି ପାଇ ୨୮ ହଜାର ୩୯୦ କୋଟି ଡଲାରରେ ପହଞ୍ଚିଛି। ବିଦେଶୀ ମୁଦ୍ରା ଭଣ୍ଡାରରେ ବି ବୃଦ୍ଧି ଘଟିଛି। ଏହା ୩୦ ହଜାର ୪୨୦ କୋଟି ଡଲାରରୁ ବୃଦ୍ଧି ପାଇ ୪୧ ହଜାର ୨୬୦ କୋଟି ଡଲାରରେ ପହଞ୍ଚିଛି। ଦେଶର ଅର୍ଥନୀତିରେ ବିକାଶ ଲାଗି ସରକାରଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଉଛି। ଅର୍ଥନୀତି ଶକ୍ତିଶାଳୀ କରିବା ଲାଗି ବର୍ତ୍ତମାନ ପ୍ରଚୁର ସମର୍ଥନ ଯୋଗାଇବାର ଆବଶ୍ୟକତା ରହିଛି। ବିତର୍କ ସମୟରେ ଏମ. ବିରାପ୍ପା ମୋଇଲି, କପିଲ ଶିବଲ, ଦିଗବିଜୟ ସିଂହ ଉପସ୍ଥିତ ଥିଲେ। ତେବେ ବିତର୍କ ବେଳେ ଅଧିକାଂଶ ସଦସ୍ୟ ଅନୁପସ୍ଥିତ ଥିଲେ।

Comments are closed.