ଦୁଇ ମାସରେ ୪ ବଳାତ୍କାରୀଙ୍କୁ ଫାଶୀ ଦଣ୍ଡାଦେଶ

0

ଭୁବନେଶ୍ୱର : ଦେଶରେ ନାବାଳିକା ବଳାତ୍କାର ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ପୂର୍ବରୁ ଏଭଳି ମାମଲାରେ ଅଭିଯୁକ୍ତଙ୍କୁ କୋହଳ ଦଣ୍ଡ ମିଳୁଥିଲା। ଅତିବେଶୀରେ କିଛି ବର୍ଷ ଜେଲଦଣ୍ଡ ଭୋଗିବା ପରେ ଦୋଷୀ ମୁକୁଳିଯାଉଥିଲେ। କିନ୍ତୁ ନିର୍ଭୟା ମାମଲା ପରେ କେନ୍ଦ୍ର ସରକାର ଆଣିଥିବା ପୋକ୍ସୋ ଆଇନ ଅଧୀନରେ ଅଭିଯୁକ୍ତଙ୍କୁ ଏବେ ଫାଶୀ ଭଳି କଠୋର ଦଣ୍ଡାଦେଶ ମିଳୁଛି, ଯାହା ଝିଅମାନଙ୍କ ପ୍ରତି ଖରାପ ମାନସିକତା ରଖୁଥିବା ଅପରାଧୀଙ୍କୁ ସାବାଡ଼ କରିବାରେ ସହାୟକ ହେଉଥିବା କୁହାଯାଉଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ୨ ମାସ ମଧ୍ୟରେ ୪ଟି ପୃଥକ ବଳାତ୍କାର ମାମଲାରେ ଅଭିଯୁକ୍ତକୁ କୋର୍ଟ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୁଇମାସ ମଧ୍ୟରେ ୪ଟି ବଳାତ୍କାର ମାମଲାରେ ଅଭିଯୁକ୍ତମାନଙ୍କୁ ଫାଶୀ ଦଣ୍ଡାଦେଶ ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ବୋଲି କୁହାଯାଉଛି।

ପୋକ୍ସୋ ଆଇନ ଆଧାରରେ ପ୍ରଥମେ ଜୁଲାଇ ୨୬ରେ ଅନୁଗୁଳ ଜିଲା କାଙ୍ଗୁଲାରେ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତ ଅନାମ ଦେହୁରୀକୁ ଫାଶୀ ଦଣ୍ଡାଦେଶ ହୋଇଥିଲା । ଜାନୁଆରୀ ୨୦ରେ ୧୨ ବର୍ଷର ନାବାଳିକା ବାପାଙ୍କ ପାଇଁ ଖାଇବାକୁ ନେଇ ଯାଉଥିବା ବେଳେ ଅଭିଯୁକ୍ତ ତାକୁ ରାସ୍ତାରୁ ଉଠାଇ ନେଇ ବଳାତ୍କାର କରିବା ପରେ ପଥରରେ ଛେଚି ହତ୍ୟା କରିଥିଲା । ହତ୍ୟା କରିବା ପରେ ଅଭିଯୁକ୍ତ ନାବାଳିକାକୁ ନିକଟସ୍ଥ ନାଳରେ ଫିଙ୍ଗି ଦେଇ ପଳାଇଥିଲା।

ଅଗଷ୍ଟ ୨୮ରେ ମୟୂରଭଞ୍ଜ ଜିଲାର ଯାମିନୀକାନ୍ତକୁ ଦ୍ବିତୀୟ ଫାଶୀ ଦଣ୍ଡାଦେଶ ହୋଇଥିଲା । ୨୦୧୮ ଜୁନ୍ ୧୪ରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଏକ ଗାଁରେ ଏହି ଅଘଟଣ ଘଟିଥିଲା। ଅଭିଯୁକ୍ତ ଯାମିନୀକାନ୍ତ ୮ ବର୍ଷର ନାବାଳିକାକୁ ସାଇକେଲ ଚଳାଇବା ଶିଖାଇବା ବାହାନାରେ ନିକଟସ୍ଥ ଜଙ୍ଗଲକୁ ଡାକି ନେଇଥିଲା। ସେଠାରେ ସେ ନାବାଳିକାକୁ ବଳାତ୍କାର କରିବା ପରେ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇ ଆସିଥିଲା। ଜୁନ୍ ୧୫ରେ ନେଇ ଏକ ମାମଲା ରୁଜୁ ହେବା ପରେ ପୁଲିସ ଯାମିନୀକାନ୍ତକୁ ଗିରଫ କରିଥିଲା । ପରେ ୨୭ଜଣଙ୍କ ସାକ୍ଷ୍ୟ ପ୍ରମାଣ ଆଧାରରେ ପୋକ୍ସୋ କୋର୍ଟ ଯାମିନୀକାନ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ।

ଚଳିତମାସ ୧୦ରେ ତୃତୀୟ ଫାଶୀ ଦଣ୍ଡାଦେଶ ହୋଇଥିଲା। ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ଗଡହରିଶପୁରରେ ଘଟିଥିବା  ନାବାଳିକା ବଳାତ୍କାର ଓ ହତ୍ୟା ମାମଲାରେ ଏଡିଜେ କୋର୍ଟ ପୋକ୍ସୋ ଆଇନ ଆଧାରରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ । ଗତ ୨୦୧୮ ମାର୍ଚ୍ଚ ୨୧ରେ ନାବାଳିକା ଦାଣ୍ଡରେ ଖେଳୁଥିବା ବେଳେ ଅଭିଯୁକ୍ତ ଜଣଙ୍କ ତାକୁ ଉଠାଇ ନେଇ କାଜୁ ଜଙ୍ଗଲରେ ବଳାତ୍କାର କରିବା ପରେ ହତ୍ୟା କରିଥିଲା। ଏହି ଘଟଣାରେ ୨୫ଜଣ ସାକ୍ଷୀଙ୍କ ବୟାନ ଆଧାରରେ କୋର୍ଟ ଅଭିଯୁକ୍ତ ଲବ ମାନା ଓରଫ କାଳିଆକୁ ଫାଶୀ ଦଣ୍ଡାଦେଶ ଦେଇଥିଲେ ।

ସେପ୍ଟେମ୍ବର ୧୯ ଗୁରୁବାର ଅର୍ଥାତ୍‌ ଆଜି ଚଳିତ ମାସର ଦ୍ବିତୀୟ ତଥା ରାଜ୍ୟର ଚତୁର୍ଥ ଫାଶୀ ଦଣ୍ଡାଦେଶ ହୋଇଛି । କଟକ ଜିଲା  ସାଲେପୁରରେ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀକୁ ଅଦାଲତ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଦୋଷୀ ସେକ୍ ମୁସ୍ତାକକୁ କଟକ ସ୍ବତନ୍ତ୍ର ପୋକ୍ସୋ ଅଦାଲତ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ୨୦୧୮ ଏପ୍ରିଲ ୨୧ ତାରିଖରେ ସାଲେପୁର ଅଞ୍ଚଳରେ ଏହି ଘଟଣା ଘଟିଥିଲା । ୬ ବର୍ଷର ନାବାଳିକା ଜଣକ ନିଜ ଭାଇ ସହ ଖେଳୁଥିବା ସମୟରେ ଚକୋଲେଟ ଦେବା ବାହାନାରେ ମୁସ୍ତାକ ତାକୁ ଡାକି ନେଇ ବଳାତ୍କାର କରିଥିଲା । ପରେ ଏକ ଇଟାରେ ପୀଡିତାଙ୍କ ମୁଣ୍ଡକୁ ଛେଚି ହତ୍ୟା କରିବାକୁ ଉଦ୍ୟମ କରିଥିଲା। ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏସସିବିରେ ଭର୍ତ୍ତି କରାଯାଇଥିଲା। ପୀଡିତା ଜଣଙ୍କ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଥିଲେ ।

ଏନେଇ ସାମାଜିକ ଉନ୍ନୟନ ସଂସ୍ଥାର ନିର୍ଦେଶକ ତଥା ସମାଜସେବୀ ସୁଭଶ୍ରୀ ଦାସ କହିଛନ୍ତି ଯେ, ପୋକ୍ସୋ ଅଦାଲତ ଖୁବଶୀଘ୍ର ଏହି ମାମଲାରେ ବିଚାର କରି ଦୋଷୀକୁ ଫାଶି ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ନିଷ୍ପତ୍ତି ସ୍ବାଗତ ଯୋଗ୍ୟ। ଏହାର ପ୍ରଭାବ ସମାଜ ଉପରେ ପଡିବା ସହିତ ଏହାଦ୍ବାରା ଦୁଷ୍କର୍ମ ଘଟଣାରେ କିଛି ମାତ୍ରାରେ ଅଙ୍କୁଶ ଲାଗିପାରେ। ଏହିଭଳି ବଳାତ୍କାରୀମାନଙ୍କ ସମାଜରେ ବଞ୍ଚିବାର କୌଣସି ଅଧିକାର ନାହିଁ ବୋଲି ମଧ୍ୟ ସେ କହିଛନ୍ତି।

ଏନେଇ ସମାଜସେବୀ ନିବେଦିତା ପଟ୍ଟନାୟକ କହିଛନ୍ତି, ଏହିଭଳି ବଳାତ୍କାରୀମାନଙ୍କ ସମାଜରେ ବଞ୍ଚିବାର କୌଣସି ଅଧିକାର ନାହିଁ। ଏହି ଘଟଣାରେ ପୁଲିସ୍ ପକ୍ଷରୁ ମଧ୍ୟ ଖୁବଶୀଘ୍ର ଚାର୍ଜସିଟ ଦାଖଲ କରି ପ୍ରଶଂସନିୟ କାର୍ଯ୍ୟ କରାଯାଇଛି।

 

Leave A Reply