ପୋଖରୀରେ ବୁଡ଼ି ଭାଇ, ଭଉଣୀ ମୃତ

0

ବୈପାରିଗୁଡ଼ା : କୋରାପୁଟ ଜିଲା ବୈପାରିଗୁଡା ବ୍ଲକ ରାମଗିରି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଅପରାହ୍ଣ ପ୍ରାୟ ୩ଟାରେ ଏଠାରେ ଏକ ପୋଖରୀରେ ବୁଡିଯାଇ ଦୁଇ ଭାଇଭଉଣୀଙ୍କର ମୃତ୍ୟୁ ହୋଇଛି। ପିଲା ଦୁଇଜଣ ଏହି ଜିଲା ଜୟପୁର ବ୍ଲକ ଘିଉରୀ ଗାଁର ବରୁଣ ଗୌଡଙ୍କର ପୁଅ କହ୍ନା(୫) ଓ ଝିଅ ଲକ୍ଷ୍ମୀ(୭)। କୌଣସି କାରଣରୁ ଏମାନେ ଘରୁ ବାହାରି ପୋଖରୀ ନିକଟକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା। ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ବହୁ ସମୟ ପର୍ଯ୍ୟନ୍ତ ଏମାନଙ୍କ ପତ୍ତା ମିଳି ନଥିଲା। ଶେଷରେ ପିଲା ଦୁହିଁଙ୍କର ମୃତ ଦେହ ପୋଖରୀରେ ଭାସୁଥିବା ଦେଖିଥିଲେ। କେତେଜଣ ଯୁବକ ମୃତଦେହକୁ ଉଦ୍ଧାର କରି ରାମଗିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ବରୁଣ ସପରିବାରେ ରାମଗିରି ପଞ୍ଚାୟତକୁ ଆସି ରହୁଥିବାବେଳେ ସ୍ଥାନୀୟ ଗୋପାଳ ଉଚ୍ଚ ବିଦ୍ୟାଳୟ ପଛ ପାଖରେ ଥିବା ଏକ ଗାଈ ଫାର୍ମରେ କାମ କରୁଥିଲେ। ଖବର ପାଇ ରାମଗିରି ଗାଁର ଶହଶହ ଜନତା ପୋଖରୀ କୂଳରେ ପହଞ୍ଚି ଥିଲେ। ଲୋକେ ତୁରନ୍ତ ବୈପାରିଗୁଡା ଦମକଳ ବାହିନୀକୁ ଖବର ଦେଇଥିଲେ।
ଦମକଳ ବାହିନୀ ଆସିବା ପୂର୍ବରୁ ଗାଁର କିଛି ସାହସୀ ଯୁବକ ପୋଖରୀ ଭିତରକୁ ଯାଇ ଉଭୟଙ୍କୁ ଉଦ୍ଧାର କରିଥିଲେ। ଖବର ପ୍ରଚାର ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଖବର ପାଇ ରାମଗିରି ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଛନ୍ତି। କେଉଁ କାରଣରୁ ଉଭୟ ଭାଇ ଭଉଣୀ ପୋଖରୀରେ ବୁଡି ଗଲେ ସେ ନେଇ ଭିନ୍ନ ଭିନ୍ନ କଥା ଆଲୋଚନା ହେଉଛି। ଏହି ପରିବାର ବହୁ ଦିନରୁ ଫାର୍ମରେ ରହି କାମ କରି ଆସୁଥିବା ବେଳେ ଏହି ଘଟଣାକୁ ସହଜରେ କେହି ଗ୍ରହଣ କରିପାରୁ ନାହାନ୍ତି। ଦୁର୍ଘଟଣାର ପ୍ରକୃତ କାରଣ ଖୋଜି ବାହାର କରିବାକୁ ସାଧରଣରେ ଦାବି ହୋଇଛି। ଏ ନେଇ ଜିଲା ଜରୁରିକାଳୀନ ବିଭାଗ ସହାୟକ ଜିଲାପାଳ ଦେବବ୍ରତ କରାଟେଙ୍କ ସହ ଯୋଗାଯୋଗ କରିବାରୁ ସେ ଏହାକୁ ନେଇ ଦୁଃଖ ପ୍ରକାଶ କରିବା ସହ ତୁରନ୍ତ ବୈପାରିଗୁଡା ତହସିଲଦାର ଜ୍ୟୋତିପ୍ରକାଶ ସେଠୀଙ୍କୁ ଫୋନ ଯୋଗେ ଅବଗତ କରାଇଥିଲେ। ତହସିଲଦାର ଶ୍ରୀ ସେଠୀ, ଅତିରିକ୍ତ ତହସିଲଦାର ସଂଜୀବକୁମାର ସାହୁଙ୍କୁ ଏହାର ତଦନ୍ତ ପାଇଁ କହିଥିଲେ। ଖବର ପାଇ ଅତିରିକ୍ତ ତହସିଲଦାର ଶ୍ରୀ ସାହୁ ଓ ରାମଗିରି ରାଜସ୍ୱ ନିରୀକ୍ଷକ ଘଟଣାର ତଦନ୍ତ କରି ଫେରିଥିବା ଜଣାପଡିଛି। ମୃତ ପିଲାଙ୍କ ମୁଣ୍ଡ ପିଛା ୪ ଲକ୍ଷ ଟଙ୍କା ହିସାବରେ ଏହି ପରିବାରକୁ ସରକାରଙ୍କ ପକ୍ଷରୁ ୮ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି ଏହି ଅଧିକାରୀମାନେ ସୂଚନା ଦେଇଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଉଭୟ ଭାଇ ଭଉଣୀଙ୍କ ମୃତ ଦେହ ବୈପରିଗୁଡା ଅଣାଯାଇ ନଥିଲା। ବ୍ୟବଚ୍ଛେଦ ପରେ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସ୍ଥାନୀୟ ପୁଲିସ ପ୍ରକାଶ କରିଛି। ପୋଖରୀଟି ବୈପାରିଗୁଡାଠାରୁ ଗୁପ୍ତେଶ୍ୱର ଯିବା ବାଟରେ ରାମଗିରି ଛକସ୍ଥିତ ରାସ୍ତାର ବାମ ପାର୍ଶ୍ବରେ ରହିଛି। ଏଇଟ ବହୁ ପୁରୁଣା ଓ ଚଳିତ ବର୍ଷାରେ ଏଥିରେ ପାଣି ଭରି ରହିଛି।

Leave A Reply