ଦୁଇ ପତ୍ନୀଙ୍କୁ ହତ୍ୟା କରି ଆତ୍ମହତ୍ୟା କଲା ସ୍ୱାମୀ

ଦ୍ୱାରଶୁଣି/ବଡ଼ସାହି: ମୟୂରଭଞ୍ଜ ଜିଲା ତାଡ଼କିଶୋଳ ଗ୍ରାମରେ ବୁଧବାର ସକାଳୁ ଜଣେ ସ୍ବାମୀ ତାର ଦୁଇ ପତ୍ନୀଙ୍କୁ ହତ୍ୟାକରିବାପରେ ନିଜେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ସ୍ବାମୀ ଜଣଙ୍କ ଶ୍ୟାମ ଭାଟି ।

ସୂଚନା ମୁତାବକ, ବିଳମ୍ବିତ ରାତିରେ ଶ୍ୟାମ ଦୁଇ ପତ୍ନୀଙ୍କୁ ହତ୍ୟା କିରବା ପରେ  ନିଜେ ଆତ୍ମହତ୍ୟା କରିଥିବା ତାଙ୍କ ଶ୍ୱଶୁର ଘର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ କେହି ଦୁର୍ବୃତ୍ତ ଏମାନଙ୍କୁ ହତ୍ୟା କରି ଫେରାର ହୋଇଯାଇଥିବା ମଧ୍ୟ ଗାଁ ଲୋକେ ସନ୍ଦେହ କରୁଛନ୍ତି। ବୁଧବାର ସକାଳୁ ଗାଁ ଲୋକେ ଶ୍ୟାମଙ୍କ ମୃତଦେହ ଘରପାଖ ଏକ ଗଛରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ଘର ଭିତରେ ଦୁଇ ପତ୍ନୀଙ୍କ ମୃତଦେହ ୨ଟି କୋଠରୀରେ ପଡିଥିଲା। ସେଠାରେ ଏକ ହାତୁଡ଼ି ମଧ୍ୟ ପଡ଼ିଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଥିଲା, ଉଭୟଙ୍କୁ ହାତୁଡ଼ିରେ ଛେଚି ହତ୍ୟା କରାଯାଇଛି। ଏ ଘଟଣା ନେଇ ଶ୍ୟାମ ଭାଟିଙ୍କ ଶଳା ସୁନାରାମ ମୁର୍ମୁ ଥାନାରେ ଏତଲା ଦେଇଛନ୍ତି। ସୁନାରାମଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କର ଦୁଇ ଭଉଣୀ ଶ୍ୟାମଙ୍କୁ ବିବାହ କରିଥିଲେ।  ଭିଣୋଇ ଶ୍ୟାମ ମାନସିକ ବିକାରଗ୍ରସ୍ତ ଥିଲେ। କୌଣସି କାରଣରୁ ଗତକାଲି ସେ ତାଙ୍କ ୨ ଭଉଣୀଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।

Comments are closed.