ପୋଖରୀରୁ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର

0

ପିପିଲି: ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଖଣ୍ଡିଆଗିରୀ ଗ୍ରାମସ୍ଥିତ ଏକ ପୋଖରୀ ମଧ୍ୟରୁ ଜନୈକା ଅଚିହ୍ନା ମହିଳାଙ୍କ ମୃତଦେହକୁ ପୁଲିସ ବୁଧବାର ସକାଳେ ଉଦ୍ଧାର କରିଛି।
ପିପିଲି ବାଇପାସ ରାସ୍ତା କଡ଼ରେ ଥିବା ଖଣ୍ଡିଆଗିରୀ ଗ୍ରାମର ବଡ଼ପୋଖରୀରେ ଏକ ଶବ ଭାସୁଥିବାର ଦେଖିବା ପରେ ଲୋକେ ପୁଲିସକୁ ଖବର ଦେଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ମୃତଦେହକୁ ପୋଖରୀ ମଧ୍ୟରୁ କାଢିବା ପରେ ତାହା ଏକ ମହିଳାଙ୍କ ମୃତଦେହ ହୋଇଥିବା ଜଣାପଡିଥିଲା । ଉକ୍ତ ମହିଳାଙ୍କ ଦୁଇହାତରେ ଶଙ୍ଖାଥିବା ପରିଲକ୍ଷିତ ହୋଇଥିଲା । ପୁରୁଷଙ୍କ ଭଳି ସେ ଏକ ଟ୍ରାକ୍‍ସୁଟ୍‍ର ପ୍ୟାଣ୍ଟ କେବଳ ପିନ୍ଧିଥିବା ବେଳେ ଶରୀରରେ କୌଣସି କ୍ଷତଚିହ୍ନ ନଥିଲା । ମୃତକଙ୍କ ବୟସ ୨୫ରୁ ୩୦ ମଧ୍ୟରେ ହୋଇଥିବା ପୁଲିସ ଅନୁମାନ କରୁଛି । ତେବେ ଉକ୍ତ ମହିଳା ଜଣକ ମାନସିକ ବିକାରଗ୍ରସ୍ତ ହୋଇଥିବା ଓ ସେ ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ବୁଲାବୁଲି କରୁଥିବା ସମ୍ପର୍କରେ ଲୋକେ ପୁଲିସକୁ ସୂଚନା ଦେଇଛନ୍ତି । ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇଛି । ମହିଳାଙ୍କ ପରିଚୟ ଜାଣିବା ପାଇଁ ପୁଲିସ ଉଦ୍ୟମ ଚଳାଇଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ଓ ସେହି ଅନୁଯାଇ ପରବର୍ତ୍ତି ତଦନ୍ତ କରାଯିବ ବୋଲି ଆଇଆଇସି ଶରତ କୁମାର ସାହୁ ସୂଚନା ଦେଇଛନ୍ତି।

Leave A Reply