ମଦ ଯୋଗୁଁ ବଚସା, ଯୁବକଙ୍କୁ ହତ୍ୟା ଅଭିଯୋଗ

ଝାରସୁଗୁଡ଼ା  : ଝାରସୁଗୁଡ଼ା ଜିଲା ତାଳପଟିଆ ଥାନା ଅନ୍ତର୍ଗତ ଦୁର୍ଲଗା ପଞ୍ଚାୟତ କାର୍ଯ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି।  ପଞ୍ଚାୟତ କାର୍ଯ୍ୟାଳୟ ଛାତ ଉପରୁ ଦୁଇଜଣ ଯୁବକ ଅନ୍ୟ ଜଣେ ଯୁବକଙ୍କୁ ଧକ୍କା ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ତପନ ସାହୁ (୨୨)। ସମ୍ପୃକ୍ତ ଘଟଣାରେ ତାଳପଟିଆ ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି। ଏହି ଘଟଣାରେ ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ପଞ୍ଚାୟତ କାର୍ଯ୍ୟାଳୟର ଛାତରେ ଏକ ଘରେ ମଦ ପିଇବା ପରେ କୌଣସି କାରଣ ନେଇ ତିନି ଜଣଙ୍କ ମଧ୍ୟରେ ବଚସା ହୋଇଥିଲା। ସେହି ସମୟରେ ଦୁଇ ଜଣ ସାଙ୍ଗ ତପନକୁ ଧକ୍କା ଦେବାରୁ ସେ ତଳେ ପଡ଼ିଯାଇ ତା’ର ମୃତ୍ୟୁ ହୋଇଥିଲା। ସୋମବାର ସକାଳେ ସ୍ଥାନୀୟଲୋକେ ତପନକୁ ପଡ଼ିଥିବାର ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତପନକୁ ଝାରସୁଗୁଡ଼ା ହସ୍ପିଟାଲକୁ ନେଇଥିଲେ। ମାତ୍ର ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.