ପନ୍ତଙ୍କ ଧୂଆଁଧାର ବ୍ୟାଟିଂ; ମୁମ୍ବଇକୁ ୩୭ ରନରେ ହରାଇଲା ଦିଲ୍ଲୀ

0

ମୁମ୍ବଇ: ଋଷଭ ପନ୍ତଙ୍କ ଧୂଆଁଧାର ବ୍ୟାଟିଂ ଫଳରେ ଏଠାରେ ଅନୁଷ୍ଠିତ ଆଇପିଏଲ-୨୦୧୯ର ୩ୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୩୭ ରନରେ ମୁମ୍ବଇ ଇଣ୍ଡିଆନ୍ସକୁ ହରାଇ ଦେଇଛି। ଦିଲ୍ଲୀ ପକ୍ଷରୁ ଧାର୍ଯ୍ୟ ୨୧୪ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ମୁମ୍ବଇ ସମସ୍ତ ଉଇକେଟ ହରାଇ ୧୭୬ ରନ କରିବାରେ ସମର୍ଥ ହୋଇଥିଲା।

ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨୧୩ ରନ କରିଥିଲା। ଦଳ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୩.୪ ଓଭରରେ ୨୯ ରନ ହୋଇଥିବାବେଳେ ୨ଟି ଉଇକେଟର ପତନ ଘଟିଥିଲା। ଏହା ପରେ ଧୱନ ଏବଂ  ଇନ୍‌ଗ୍ରାମ ଇନିଂସ ସମ୍ଭାଳିଥିଲେ। ଦଳର ସ୍କୋର ୧୧୨ ହୋଇଥିବା ବେଳେ ଇନଗ୍ରାମ ଆଉଟ ହୋଇଯାଇଥିଲେ। ଏକଦା ଦଳ ୧୭.୨ ଓଭରରେ ୧୬୫ ରନ କରିଥିଲା। କିନ୍ତୁ ହାର୍ଡ ହିଟର ଋଷଭ ପନ୍ତଙ୍କ ଧମାକାଦାର ବ୍ୟାଟିଂ(୨୭ ବଲରେ ୭୮ ରନ) ଯୋଗୁ ଦିଲ୍ଲୀ ୨୦ ଓଭରରେ ୬ ଉଇକେଟ ହରାଇ ୨୧୩ ରନ କରିବାରେ ସଫଳ ହୋଇଥିଲା। ଦଳ ପକ୍ଷରୁ ଧୱନ ୪୩ ଏବଂ ଇନଗ୍ରାମ ୪୭ ରନର ଇନିଂସ ଖେଳିଥିଲେ।

୨୧୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ମୁମ୍ବଇ ଭଲ ଆରମ୍ଭ କରିଥିଲା। କିନ୍ତୁ ୩.୩ ଓଭରରେ ଦଳ ୩୩ ରନରେ ପ୍ରଥମ ଉଇକେଟ ଭାବେ ରୋହିତ ଶର୍ମାଙ୍କୁ ହରାଇଥିଲା। ଏହା ପରେ ଆଉ ୧୨ ରନ ମଧ୍ୟରେ ସୂର୍ଯ୍ୟକୁମାର ଯାଦବ ଏବଂ ଡି କକ୍‌ ପ୍ୟାଭିଲିଅନ ଫେରିଥିଲେ। ପରେ ପରେ ପୋଲାର୍ଡ, ଯୁବରାଜ ସିଂହ ଏବଂ କୃନାଲ ପାଣ୍ଡ୍ୟା ମ୍ୟାଚର ସ୍ଥିତିକୁ ସମ୍ଭାଳିଥିଲେ ମଧ୍ୟ ଦଳକୁ ବିଜୟ ସ୍ବାଦ ଚଖାଇବାରେ ସଫଳ ହୋଇପାରି ନ ଥିଲେ। ମୁମ୍ବଇ ପକ୍ଷରୁ ଯୁବରାଜ ସର୍ବାଧିକ ୫୩ ରନ(୩୫ ବଲ)ର ଇନିଂସ ଖେଳିଥିଲେ।  ଦିଲ୍ଲୀ ପକ୍ଷରୁ ଇଶାନ୍ତ ଏବଂ ରବାଡା ୨ଟି ଲେଖାଏ ଉଇକେଟ ନେଇଥିଲେ।

Leave A Reply