ଦାରୁଠେଙ୍ଗ ଡମ୍ପିଂୟାର୍ଡ଼ ନନ୍ଦନକାନନ ପଶୁପକ୍ଷୀଙ୍କ ମୃତ୍ୟୁର କାରଣ : ସୁରେଶ ରାଉତରାୟ

ଭୁବନେଶ୍ୱର :ଭୁବନେଶ୍ୱର ଉପକଣ୍ଠସ୍ଥିତ ଦାରୁଠେଙ୍ଗ ଗ୍ରାମଠାରେ ସମଗ୍ର ଭୁବନେଶ୍ୱର ମହାନଗର ନିଗମର ଅଳିଆ ଓ ଆର୍ବଜନା ପାହାଡ଼ ପରି ଗଦାହେବା ଫଳରେ ସେଠିକାର ପରିବେଶ ଅତ୍ୟନ୍ତ ଦୂଷିତ ହୋଇପଡ଼ିଛି ବୋଲି ଜଟଣୀର ବିଧାୟକ ଶ୍ରୀ ସୁରେଶ  ରାଉତରାୟ ଅଭିଯୋଗ କରିଛନ୍ତି। ଦୀର୍ଘଦିନ ହେବ ସେ ଏ ସଂପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବି ରାଜ୍ୟ ସରକାର ଏ ସମସ୍ୟା ପ୍ରତି ଦୃଷ୍ଟି ଦେଉନାହାନ୍ତି। ବାରମ୍ବାର ଆନ୍ଦୋଳନ ଏବଂ ପ୍ରତିବାଦ ସଭା କରାଯାଇଛି। ଆନ୍ଦୋଳନରେ ଅଂଶଗ୍ରହଣ କରି ସେଠିକାର ୫୦ ରୁ ଊର୍ଦ୍ଧ୍ବ ବାସିନ୍ଦା ମାସ ମାସ ଜେଲ ଦଣ୍ଡ ଭୋଗିଛନ୍ତି । ଏହି ପ୍ରଦୁଷଣ ଫଳରେ ବହୁଲୋକ ମୃତ୍ୟୁବରଣ କଲେଣି। ମୁଖ୍ୟ ପ୍ରସଙ୍ଗ ଏହିକି ଯେ ଏବେ ଏହି ଅଳିଆ ଗଦା ଭାରତ ବିଖ୍ୟାତ ନନ୍ଦନକାନନର ପଶୁପକ୍ଷୀଙ୍କୁ ଆକ୍ରାନ୍ତ କରିଛି। ଏଥିରୁ ଜନ୍ମିତ ଭୂତାଣୁ ଦ୍ୱାରା ୫ଟା ହାତୀ, ଗଣ୍ଡା, ନୀଳଗାଈ, ହରିଣ, ଧଳା ବାଘ, ଡେଲେରା ମୂଷା, ଓ ଅନ୍ୟାନ୍ୟ ପଶୁପକ୍ଷୀ ମୃତ୍ୟୁବରଣ କରିଥିବା ସ୍ଥଳେ ନନ୍ଦନକାନନ କତୃପକ୍ଷ ଏହି ପଶୁପକ୍ଷୀଙ୍କର ମୃତ୍ୟୁରକାରଣ ଦାରୁଠେଙ୍ଗ ସ୍ଥିତ ଅଳିଆ ଗଦା ବୋଲି ପ୍ରକାଶ ନକରି ସରକାରଙ୍କ ଚାପରେ ନୀରବ ରହିଛନ୍ତି।

କେବଳ ଦାରୁଠେଙ୍ଗ, ପଟିଆ, ରଘୁନାଥପୁର, ଚନ୍ଦକା, ଅନ୍ଧାରୁଆ, ପାଇକେରାପୁର, କଂଟାବାଡ଼, ମେଣ୍ଢାଶାଳ ଅଂଚଳର ବାସିନ୍ଦା ନୁହଁନ୍ତି ଭାରତ ପ୍ରଶିଦ୍ଧ ନନ୍ଦନକାନନର ସୁରକ୍ଷା ଦୃଷ୍ଟିର ମଧ୍ୟ ଦାରୁଠେଙ୍ଗ ସ୍ଥିତ ଡମ୍ପିଂୟାଡ଼କୁ ସ୍ଥାନାନ୍ତରଣ କରିବାପାଇଁ ଜଟଣୀ ବିଧାୟକ ଶ୍ରୀ ରାଉତରାୟ ଦାବୀ କରିଛନ୍ତି। ଏହାର ପ୍ରତିକାର କରାନଗଲେ ଆସନ୍ତା ତା ୨୫.୦୯.୨୦୧୯ ରିଖ ବୁଧବାର ଦିବା ୧୦ ଟା ସମୟରେ ନନ୍ଦନକାନନ ଗେଟ୍‍ ନଂ-୨ ରେ ଧାରଣା ଦିଆଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି।

Comments are closed.