ଦାଦନ ଦୁଃଖରେ କାନ୍ଦୁଛି କଳାହାଣ୍ଡି

-୫ ବର୍ଷରେ ୨୦୦ରୁ ଅଧିକ ଶ୍ରମିକଙ୍କ ଶବ ଫେରିଲାଣି
-୨୦୧୮ରେ ୨୩ରୁ ଊର୍ଦ୍ଧ୍ବ ମୃତ, ୧୦ରୁ ଊର୍ଦ୍ଧ୍ବ ନିଖୋଜ
-୨୦୧୯ ନଭେମ୍ବର ପର୍ଯ୍ୟନ୍ତ ୧୭ ମୃତ, ୮ ନିଖୋଜ
-ଦାଦନ ଖଟିଯିବାର ମୁଖ୍ୟ କାରଣ ଏସ୍‌ଏଚ୍‌ଜି ଋଣ

ଭବାନୀପାଟଣା : କଳାହାଣ୍ଡି ଜିଲାର ଗରିବ, ଆଦିବାସୀ, ଦଳିତ, ପଛୁଆ ବର୍ଗ ଲୋକଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଦିନ ନୂଆନୂଆ ଯୋଜନା କରୁଛନ୍ତି। ଏଥିପାଇଁ ବର୍ଷକୁ ପାଞ୍ଚ ଶହ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଅନୁଦାନ ଆସି ଖର୍ଚ୍ଚ ହେଉଛି। କିନ୍ତୁ ପ୍ରତିବର୍ଷ ଏଠାରୁ ବାହାର ରାଜ୍ୟକୁ ଦାଦନ ଶ୍ରମିକଙ୍କ ଚାଲାଣ, ଶୋଷଣ ଓ ସେଠାରେ ଦୁଃଖଦ ମୃତ୍ୟୁ ଘଟଣା କମିବା ବଦଳରେ ବଢ଼ିଚାଲିଛି। ଗତ ୫ ବର୍ଷରେ ଜିଲାରେ ପ୍ରାୟ ଦୁଇ ଶହରୁ ଊର୍ଦ୍ଧ୍ବ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୧୮ ବର୍ଷକ ଭିତରେ ୨୩ରୁ ଊର୍ଦ୍ଧ୍ବ ଶ୍ରମିକଙ୍କ ଶବ ନିଜ ଗ୍ରାମକୁ ଫେରିଥିଲା। ବହୁ ଶ୍ରମିକଙ୍କ ଶବ ଅର୍ଥାଭାବରୁ ସେହି ବାହାର ରାଜ୍ୟରେ ହିଁ ମାଟିରେ ମିଶିଯାଇଛି। ସେହିପରି ୨୦୧୯ ନଭେମ୍ବର ପର୍ଯ୍ୟନ୍ତ ୧୭ ଶ୍ରମିକଙ୍କ ଶବ ଜିଲାକୁ ଫେରିଥିବାବେଳେ ୮ ଜଣଙ୍କ ଶବ ଅର୍ଥ ଓ ବ୍ୟବସ୍ଥା ଅଭାବରୁ ଘରକୁ ଆସିପାରିନାହିଁ। ନିକଟରେ କଲମପୁର ବ୍ଲକ ଅନ୍ତର୍ଗତ ମଣ୍ଡଳ ଗାଁର ବନମାଳି ପାଳ ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇ ସେଠାରେ ମୃତ୍ୟୁ ହୋଇଥିବାବେଳେ ଅର୍ଥ ଅଭାବରୁ ଶବ ନିଜ ଗ୍ରାମକୁ ଆସିପାରିନଥିଲା। କଳାହାଣ୍ଡିର ଦାରିଦ୍ର୍ୟ ଏକଦା ବିଶ୍ବରେ ଚହଳ ପକାଇଥିବାବେଳେ ଏବେ ବି ଏହା ଦାଦନ ଶ୍ରମିକ ଚାଲାଣ ରୂପରେ ଦେଖିବାକୁ ମିଳୁଛି।
ନୂଆଁଖାଇ ପୂର୍ବରୁ ଦାଦନ ଦଲାଲମାନେ ଗାଁଗାଁ ଆସି ଶ୍ରମିକମାନଙ୍କୁ ଅଗ୍ରୀମ ଅର୍ଥ(ବଇନା) ଦେଇଥାନ୍ତି। ନୂଆଁଖାଇ ସରିବା ପରେ କିପରି ସେମାନେ ଦାଦନ ଖଟିବାକୁ ତାଙ୍କ ପରିବାର ସହିତ ଯିବେ, ତାହା ହିଁ ସେମାନଙ୍କ ଲକ୍ଷ୍ୟ। ଏହାକୁ ରୋକିବା ପାଇଁ ନା’ ସରକାର ନା’ ଲୋକପ୍ରତିନିଧି ନା’ ଜିଲା ପ୍ରଶାସନ ନା’ ଶ୍ରମ ବିଭାଗ, କେହି ଦୃଷ୍ଟି ଦେଉନଥିବା ଯୋଗୁଁ ଦିନକୁ ଦିନ ଦାଦନ ଦଲାଲଙ୍କ ଦୌରାତ୍ମ୍ୟ ଯେତେ ବଢିବାରେ ଲାଗିଛି, ସେହି ପରିମାଣରେ ପ୍ରତିବର୍ଷ ଅଧିକ ଦାଦନ ଶ୍ରମିକଙ୍କ ଶବ ଏହି ଜିଲାକୁ ଫେରିବାରେ ଲାଗିଛି। ସବୁଠୁ ଦୁଃଖର କଥା ଯେ, କେତେ ସଂଖ୍ୟାରେ ଦାଦନ ଶ୍ରମିକ ରାଜ୍ୟ ବାହାରକୁ ଆଜି ପର୍ଯ୍ୟନ୍ତ ଯାଇଛନ୍ତି ଓ କେତେ ସେଠାରେ କାମ କରୁଥିବା ସମୟରେ ମୃତ୍ୟୁମୁଖରେ ପଡିଛନ୍ତି, ତାହାର ଠିକ ତଥ୍ୟ କାହା ପାଖରେ ନାହିଁ।
ଭୋକ ଓ ଋଣର କରାଳ ଗ୍ରାସରୁ ବର୍ତ୍ତିବା ପାଇଁ ମଣିଷ ଜୀବନ ସହିତ ସଂଘର୍ଷ କରୁଥିବା ଘଟଣା ବର୍ତ୍ତମାନ କଳାହାଣ୍ଡିର ବହୁ ଅଂଚଳରେ ଦେଖିବାକୁ ମିଳୁଛି। ପୂର୍ବରୁ ଏହି ଜିଲାରେ ନୂଆଁଖାଇ ସରିବା ପରେ ଦାଦନ ଖଟିବାକୁ ଗୋଡ କାଢୁଥିଲେ ଶ୍ରମିକ; କିନ୍ତୁ ଏବେ ବର୍ଷାଋତୁରେ ଚାଷବାସ ଚାଲିଥିବାବେଳେ ନିଜ ଅଂଚଳର କାମ ଛାଡି ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି)ଠାରୁ କରିଥିବା ଋଣ ଶୁଝିବା ପାଇଁ ସେ ଗୋଡ କାଢ଼ି ଚାଲିଯାଉଛି ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ। ସେଠାରେ ସେ ସେହି ଅଜଣା ରାଜ୍ୟର ଅନ୍ଧାରି
ଭବିଷ୍ୟତକୁ ଆପଣେଇ ନେଉଛି ଓ ଭୋଗୁଛି ଶାରୀରିକ-ମାନିସକ ନିର୍ଯାତନା ଓ ଯମ ଯନ୍ତ୍ରଣା। ଅନେକ ସମୟରେ ପାଲଟିଯାଉଛି ଶବ।
ଏଥିପ୍ରତି ରାଜ୍ୟ ସରକାର, ଜିଲା ପ୍ରଶାସନ, ଶ୍ରମ ବିଭାଗ, ଲୋକପ୍ରତିନିଧିମାନଙ୍କର ଆନ୍ତରିକତା ଅଭାବରୁ ଜିଲାରେ ଦାଦନ ସମସ୍ୟା ଉତ୍କଟ ହେଉଛି। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ବହୁତ କୁମ୍ଭୀର କାନ୍ଦଣା କାନ୍ଦିଛନ୍ତି; କିନ୍ତୁ ଫଳ ଶୂନ। ଦାଦନ ସମସ୍ୟା ଉପରେ କଳାହାଣ୍ଡି ପ୍ରଭାତୀୟ ଶ୍ରମ ଆୟୁକ୍ତ ପ୍ରଦୀପ କୁମାର ମହାନ୍ତିଙ୍କୁ ପଚାରିବାରୁ ସେ ପ୍ରକାଶ କରିଥିଲେ ଯେ ଆମ ପାଖକୁ ଯେଉଁ ଅଭିଯୋଗ ଆସୁଛି ତୁରନ୍ତ ସମ୍ପୃକ୍ତ ଜିଲା ପ୍ରଶାସନ ସହିତ ଯୋଗସୂତ୍ର କରି କିପରି ଉକ୍ତ ଦାଦନ ଶ୍ରମିକଙ୍କ ଶବ ଗାଁକୁ ଫେରିବ, ତାହା ଉପରେ ପଦକ୍ଷେପ ନିଆଯାଉଛି; କିନ୍ତୁ ଯେଉଁ ଶ୍ରମିକମାନେ ଶ୍ରମ ବିଭାଗରେ ନାମ ପଞ୍ଜୀକୃତ ନକରି ଲୁଚିଛପି ଯାଉଛନ୍ତି, ତାହା ଉପରେ ଠିକ ତଥ୍ୟ ନପାଇବା ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଷ୍ଟକର ହେଉଛି। ତେବେ ପୂର୍ବ ଅପେକ୍ଷା ଦାଦନ ସମସ୍ୟା ଜିଲାରେ କମ ଅଛି ବୋଲି ସେ କହିଛନ୍ତି।
ଏହି ଅଞ୍ଚଳରେ ପଞ୍ଚାୟତରାଜ ବ୍ୟବସ୍ଥା ଏକ ପ୍ରହସନରେ ପରିଣତ ହୋଇଛି। ସରକାରଙ୍କ ତରଫରୁ ହେଉଥିବା କାମ ସମୁଦ୍ରକୁ ଶଙ୍ଖେ ପାଣି। ଫଳରେ ଏହି ଅଞ୍ଚଳର ଲୋକମାନେ ବାଧ୍ୟ ହୋଇ ଅନ୍ୟ ଉପାୟ ନପାଇ କାମ ଅନ୍ୱେଷଣରେ ଦଲାଲମାନଙ୍କର ସହାୟତା ନେଉଛନ୍ତି। ଦଲାଲମାନେ ସେମାନଙ୍କର ଦାରିଦ୍ର୍ୟ ସୁଯୋଗ ନେବା ସହିତ ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରତିଦିନ ଶ୍ରମିକମାନଙ୍କୁ ରାଜ୍ୟ ବାହାରକୁ ନେଇଯାଉଛନ୍ତି, ଯାହାର ହିସାବ କାହା ପାଖରେ ନାହିଁ।

Comments are closed.