ପୁଲିସ ପଞ୍ଝାରେ ଆନ୍ତଃଜିଲା ଡ଼କାୟତ ଗ୍ୟାଙ୍ଗ

ସୁନ୍ଦରଗଡ଼ : ଗତ ଜାନୁଆରୀ ମାସରୁ ଜୁନ ମାସ ପର୍ୟ୍ୟନ୍ତ ସୁନ୍ଦରଗଡ଼ ପୁଲିସ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ପେଟ୍ରୋଲ ପମ୍ପ ଲୁଟ ସମେତ ଅନ୍ୟାନ୍ୟ ସଙ୍ଗିନ ଅପରାଧ ଘଟାଇ ଆସୁଥିବା ଆନ୍ତଃଜିଲା ଡ଼କାୟତ ଗ୍ୟାଙ୍ଗକୁ ଗିରଫ କରିବାରେ ସକ୍ଷମ ହୋଇଛି। ବିଗତ ୬ମାସ ମଧ୍ୟରେ ଘଟିଥିବା ବିଭିନ୍ନ ସଙ୍ଗିନ ଅପରାଧର ପୃଷ୍ଠଭୂମି ଓ ଅପରାଧିଙ୍କ ପୁରୁଣା ରେକର୍ଡ଼କୁ ଯାଞ୍ଚ କରିବା ସହ ନିଜେ ସୁନ୍ଦରଗଡ଼ ଏସ.ପି ସୌମ୍ୟା ମିଶ୍ରା ଏ ଘଟଣା ଗୁଡ଼ିକର ପ୍ରତ୍ୟକ୍ଷ ତତ୍ତ୍ବାବଧାନ କରି ଆସୁଥିଲେ। ଶେଷରେ ୭ ଆନ୍ତଃଜିଲା ଡ଼କାୟତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୫ଟି ମୋବାଇଲ ଫୋନ, ୬ଟି ବାଇକ, ନଗଦ ୪୭ହଜାର ୮ଶହ ୪୧ ଟଙ୍କା, ୩ଟି ଗୁଳି, ଦୁଇଟି ଦେଶୀ ପିସ୍ତଲ ଓ ଗୋଟିଏ ଛୁରୀ ଜବତ କରାଯାଇଥିବା କଥା ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସପି ଶ୍ରୀମତୀ ମିଶ୍ରା ସୂଚନା ଦେଇଛନ୍ତି। ପୁଲିସକୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଥିଲେ ମଧ୍ୟ ତଦନ୍ତରେ ବ୍ୟାଘାତ ହେବା ଦୃଷ୍ଟିରୁ ଏସବୁ ତଥ୍ୟକୁ ପ୍ରକାଶ କରାଯାଉ ନାହିଁ ବୋଲି ଏସପି ସୂଚନା ଦେଇଥିଲେ। ଏହି ଗ୍ୟାଙ୍ଗ ବିଭିନ୍ନ ମାରଣାସ୍ତ୍ର ଦେଖାଇ ୬ଟି ସଙ୍ଗିନ ଅପରାଧ ଘଟାଇ ମୋଟ ୪ଲକ୍ଷ ୬୬ହଜାର ୧୬୦ଟଙ୍କା ଲୁଟ କରିବା ସହ ୫ଟି ମୋବାଇଲ ଫୋନ, ଗୋଟିଏ ବାଇକ, ଦୁଇଟି ସୁନା ଚେନ ଲୁଟି ନେଇଥିଲେ। ଗିରଫ ୭ଜଣ ୩ଟି ପେଟ୍ରୋଲ ପମ୍ପ ଡ଼କାୟତି ଘଟଣା, ଦୁଇଟି କୁକୁଡ଼ା ଫାର୍ମ ଲୁଟ ଘଟଣା ଓ ଗୋଟିଏ ଦେଶୀ ମଦ ଦୋକାନରେ ଡ଼କାୟତି ଘଟଣାରେ ସଂପୃକ୍ତ ଥିଲେ ବୋଲି ଜଣାପଡ଼ିଛି।

ଏହି ଘଟଣାରେ ପୂର୍ବରୁ ପୁଲିସ କୃଷ୍ଣ ଗୋପେ ଓ ଦୀପକ କାକକୁ ଗିରଫ କରି ଜେରା କଲା ବେଳେ ମୁଖ୍ୟ ଅଭିଯୁକ୍ତ ସେମତ ଅନ୍ୟ ସହଯୋଗୀଙ୍କ ସଂପର୍କରେ ସୂଚନା ପାଇଥିଲେ। ପରେ ସ୍ବତନ୍ତ୍ର ସ୍କ୍ବାର୍ଡ଼ର ସଦସ୍ୟ, ଅତିରିକ୍ତ ଏସ.ପି ସବିତା ରାଣୀ ପଣ୍ଡା, ସଦର ଏସ.ଡ଼ି.ପି.ଓ ବଳଭଦ୍ର ଦୀପ, ରାଜଗାଙ୍ଗପୁର ଏସ.ଡ଼ି.ପି.ଓ ବିଜୟ ନନ୍ଦ, ଟାଉନ ଥାନା ଅଧିକାରୀ ବିଭତ୍ସ ପ୍ରଧାନ, ସଦର ଥାନା ଅଧିକାରୀ ପ୍ରମୁଖ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏମାନଙ୍କୁ ଗିରଫ କରିବା ସହ ଏମାନଙ୍କଠାରୁ ନଗଦ ଟଙ୍କା ସହ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଥିଲା। ଏହି ସିରିଜ ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଅମିତ ତିୱାରୀ ଓରଫ ମାମା, ଉପେନ୍ଦ୍ର ନିଖଣ୍ଡିଆ, ଶଙ୍କର କିଶାନ, ରାଜେଶ ଜୟପୁରିଆ, ବିଶାଳ ମୁଣ୍ଡା, ରାଜୁ ଆପଟ, ଶରତ ରାଉତ ପ୍ରମୁଖଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ଡ଼କାୟତମାନେ ସୁନ୍ଦରଗଡ଼, ରାଉରକେଲା, ଝାରସୁଗୁଡ଼ା, ଦେବଗଡ଼ ସମେତ ଅନ୍ୟାନ୍ୟ ଅଞ୍ଚଳରେ ଡ଼କାୟତି କାଣ୍ଡ ଭିଆଇ ଘୁରି ବୁଲୁଥିବାରୁ ପୁଲିସ ସେମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇପାରୁନଥିଲା ହେଲେ ପୁଲିସର ନେଟୱାର୍କ ଆଗରେ ଏହି ଦଳ ଶେଷରେ ହାର ମାନିଯାଇଥିଲେ। ଏହି ଗିରଫଦାରୀ ପୁଲିସ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି।

Comments are closed.