ଦୁଇଦିନିଆ ୟୁଏଇ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନ୍ତରାଷ୍ଟ୍ରୀୟ ପେଟ୍ରୋଲିୟମ ପ୍ରଦର୍ଶନୀ ଏବଂ ସମ୍ମିଳନୀରେ ଯୋଗଦେବେ,-ଭାରତ ପ୍ୟାଭିଲିୟନକୁ ଉଦଘାଟନ କରିବେ

-ଭାରତ ଏବଂ ୟୁଏଇ ମଧ୍ୟରେ ଚାଲୁଥିବା ସମସ୍ତ ବ୍ୟବସାୟିକ କାର୍ଯ୍ୟ ଉପରେ କରିବେ ଆଲୋଚନା
-ଅନ୍ତର୍ଜାତୀୟ ଉର୍ଜା ସଂଗଠନର ମୁଖ୍ୟ ଏବଂ ବିଶ୍ୱ ତୈଳ ଓ ଗ୍ୟାସ କମ୍ପାନୀର ସିଇଓଙ୍କୁ ସାକ୍ଷାତ୍‍ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : କେନ୍ଦ୍ର ତୈଳ ଓ ପ୍ରାକୃତିକ ବାସ୍ପ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନଭେମ୍ବର ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଦୁଇଦିନିଆ ୟୁଏଇ ଗସ୍ତରେ ଯାଇଛନ୍ତି । ଶ୍ରୀ ପ୍ରଧାନଙ୍କ ସହ ଉଚ୍ଚସ୍ତରୀୟ ସରକାରୀ ଅଧକାରର ମଣ୍ଡଳୀ ସହ ଏକ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀ ମଧ୍ୟ ମନ୍ତ୍ରୀଙ୍କ ସହ ଏହି ବିଦେଶ ଗସ୍ତରେ ସାମିଲ ହୋଇଛନ୍ତି।
ଶ୍ରୀ ପ୍ରଧାନ ୟୁଏଇ ମନ୍ତ୍ରୀ ଡ. ସୁଲତାନ ଅହମ୍ମଦ ଅଲ୍‍ ଜାବେରଙ୍କ ନିମନ୍ତ୍ରଣ କ୍ରମେ ଆସନ୍ତା ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆବୁଧାବୀ ଅନ୍ତରାଷ୍ଟ୍ରୀୟ ପେଟ୍ରୋଲିୟମ ପ୍ରଦର୍ଶନୀ ଏବଂ ସମ୍ମିଳନୀ(ଆଡିପେକ୍‍)ରେ ଯୋଗଦେବେ। ଏହି ଦିନ ଏକ ମନ୍ତ୍ରୀସ୍ତରୀୟ ବୈଠକରେ ମଧ୍ୟ ଶ୍ରୀ ପ୍ରଧାନ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ପ୍ରଧାନ ଏବଂ ୟୁଏଇ ମନ୍ତ୍ରୀ ସୁଲତାନ ଅହମ୍ମଦ ଅଲ୍‍ ଜାବେର ଉଭୟ ଏଫଆଇପିଆଇ, ଡିଜିଏଚ ଏବଂ ସିଆଇଆଇ ସହଯୋଗରେ ଆୟୋଜିତ ଭାରତ ପ୍ୟାଭିଲିୟନକୁ ଉଦଘାଟନ କରିବେ। ଏହି ଅବସରରେ ଡିଜିଏଚ ପକ୍ଷରୁ ଭାରତର ଅନ୍ୱେଷଣ ଓ ଉତ୍ପାଦନ ଏବଂ ତୈଳ ଓ ଗ୍ୟାସ କ୍ଷେତ୍ରରେ ବିଦେଶୀ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ପାଇଁ ଏକ ରୋଡ ସୋ’ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି ।
ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ୟୁଏଇର ଉର୍ଜା ଓ ଶିଳ୍ପ ମନ୍ତ୍ରୀ ଏବଂ ଡ. ସୁଲତାନ ଅହମ୍ମଦ ଅଲ୍‍ ଜାବେରଙ୍କୁ ଭେଟି ହାଇଡ୍ରୋକାର୍ବନ, ଇସ୍ପାତ୍‍ କ୍ଷେତ୍ର ସମ୍ବନ୍ଧରେ ଆଲୋଚନା କରିବା ସହ ଭାରତ ଏବଂ ୟୁଏଇ ମଧ୍ୟରେ ଚାଲୁଥିବା ସମସ୍ତ ବ୍ୟବସାୟିକ କାମ ଉପରେ ଚର୍ଚ୍ଚା କରିବାର କାର୍ଯ୍ୟକ୍ରମ ରହିଛି।
ସେହିପରି ଶ୍ରୀ ପ୍ରଧାନ ଆଡିପେକ୍‍ ୨୦୧୯ କାର୍ଯ୍ୟକ୍ରମ ଅଧୀନରେ ଯୋଗ ଦେଇଥିବା ଅନ୍ତର୍ଜାତୀୟ ଉର୍ଜା ସଂଗଠନର ମୁଖ୍ୟ ଏବଂ ବିଶ୍ୱ ତୈଳ ଓ ଗ୍ୟାସ କମ୍ପାନୀର ସିଇଓଙ୍କୁ ସାକ୍ଷାତ୍‍ କରିବାର କାର୍ଯ୍ୟକ୍ରମ ରହିଛି। ମଧ୍ୟପୂର୍ବ ଦେଶ ଗୁଡିକରେ ଇସ୍ପାତ୍‍ ଯୋଗାଣର ସମ୍ଭାବନା ଉପରେ ମଧ୍ୟ ଗୁରୁତ୍ୱାରୋପ କରିବେ।

Comments are closed.