ଚାନ୍ଦବାଲିରେ ବୁଲ୍‌ବୁଲ୍‌ର ତାଣ୍ଡବ ଲୀଳା, ଘଣ୍ଟା ପ୍ରତି ୧୨୦ କିମି ବେଗରେ ବହିଲା ପବନ

ଆରଡି: ଘୂର୍ଣ୍ଣିଝଡ ବୁଲ୍‌ବୁଲ୍‌ ପ୍ରଭାବରେ ସାରା ଚାନ୍ଦବାଲି ଅଞ୍ଚଳରେ ଗତ ଶୁକ୍ରବାର ହାଲକା ହାଲକା ପବନ ବହିବା ସହ ଝିପିଝିପ ବର୍ଷା ଲାଗି ରହିଥିଲା। ହେଲେ ରାତି ଯେତିକି ବଢୁଥିଲା ବୁଲ୍‌ବୁଲ୍‌ ତାର କାୟା ବିସ୍ତାର କରିଚାଲିଥିଲା। ଶନିବାର ଭୋର ସମୟରୁ ଆରମ୍ଭ ହୋଇଯାଇଥିଲା ୧୨୦/୧୩୦ ବେଗରେ ପବନ ତାହା ସାଙ୍ଗକୁ ଭିଷଣ ବର୍ଷା ଯାହାକୁ ନେଇ ଚାନ୍ଦବାଲି ବ୍ଲକର ତଳିଆ ଅଞ୍ଚଳ ଭାବେ ପରିଚିତ ଆରଡି, ସୁନ୍ଦରପୁର, ଓଳଗ ଓ ନାନ୍ଦପୁର , ତେନ୍ତୁଲିଡିହ, ଭୂଇଁବୃତି ଆଦି ଅଞ୍ଚଳର ନଇକୂଳିଆଙ୍କ ସହ ସ୍ଥାନୀୟ ଲୋକ ଭୟଭିତ ହୋଇଯାଇଥିଲେ। ଗତ ଫନି ବାତ୍ୟା ଠାରୁ ଚଳିତ ବୁଲ୍‌ବୁଲ୍‌ ପବନ ଅଧିକ ବେଗରେ ବହୁ ଥିବାରୁ ଗତ ୧୯୯୯ ମସିହା ମହାବାତ୍ୟା ପରି ହେଲା ବୋଲି ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ଦୀର୍ଘ ୫ଘଣ୍ଟା ଧରି ବୁଲ୍‌ବୁଲ୍‌ ପ୍ରଭାବ ଜାରି ରହିବା ଦ୍ୱାରା ସକାଳ ୧୦ଟା ବେଳକୁ ରାସ୍ତା ଉପରେ ବଡବଡ ଗଛ ଉପୁଡି ପଡି ରହିଥିବା ବେଳେ ବିଦ୍ୟୁତ ଖୁଣ୍ଟ, ଓ ତାର ଛିଡି ଯାଇଛି। ଯାହାର ପ୍ରଭାବରେ ସମସ୍ତ ଟେଲିଫୋନ ଅଚଳ ହୋଇଯିବା ସହିତ ଇଣ୍ଟରନେଟ ସେବା ଓ ପାନୀୟକଳ ସେବା ମଧ୍ୟ ଠପ ହୋଇଯାଇଛି। ସବୁଠାରୁ ବଡକଥା ହେଲା ପାଣିପାଗର ପୂର୍ବାନୁମାନର ସୂଚନା ଓ ପ୍ରଶାସନ ପକ୍ଷରୁ କୈାଣସି ସୂଚନା ନମିଳିବା ଫଳରେ ବୁଲ୍‌ବୁଲ୍‌ ଏପରି କାୟା ବିସ୍ତାର କରି ତାଣ୍ଡବ ରଚିବ । କେହିକିଛି ଭାବିବା ଆଗରୁ ସବୁକିଛି ଛାରଖାର ହୋଇଯିବ ତାହା ବିଶ୍ବାସ କରିହେଉନି । ବିଶେଷକରି ନଈକୂଳିଆ ଅଞ୍ଚଳ ଓ ତଳିଆ ଅଞ୍ଚଳ ଗୁଡିକ ଗାଁ ଗଣ୍ଡାରେ ବସବାସ କରୁଥିବା ଲୋକମାନଙ୍କୁ କୋଣସି ସୂଚନ ନମିଳିବା ଫଳରେ କଚାଘରର ଛପର ଉଡିଯିବା ଦ୍ୱାରା ଲୋକମାନଙ୍କ ମଧ୍ୟରେ ଏକ କୋକୁଆ ଭୟ ଦେଖା ଦେଇଥିବା ମୁଆଁ, ଷାଠିବାଙ୍କୁଡା, ସୁନ୍ଦରପୁର, ବୋଡକ, ପାଲଟପୁର ଆଦି ଅଞ୍ଚଳର ଲୋକମାନେ ପ୍ରକାଶ କରିଛନ୍ତି। ଏପରିକି ବଡବଡ ଗଛଉପୁଡି ପଡି ରାସ୍ତାରେ ପଡି ରହିଥିବାରୁ ଭଦ୍ରକ-ଆଖଣ୍ଡଳମଣି-ଯାଜପୁର ଆଦିଅଞ୍ଚଳକୁ ସମ୍ପୁର୍ଣ୍ଣ ଭାବେ ଯାତାୟତ ଦୀର୍ଘ ସମୟ ଧରି ଠପ ହୋଇଯାଇଥିଲା। ଏପଟେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ନେତ ଉଡିଯାଇଥିବା ବେଳେ ମନ୍ଦିର ମଧ୍ୟରେ ଅସ୍ଥାୟୀ ଭାବେ ନିର୍ମାଣ ହୋଇଥିବା ଭାଗବତ ମଣ୍ଡପ ଭୁଷୁଡି ପଡିଛି।

ଫଳରେ ମଣିବାବାଙ୍କ ନୀତିକାନ୍ତିରେ ବିଳମ୍ବ ଦେଖା ଦେବା ସହିତ ଭାଗବତ ପାରାୟଣ ନୀତି ବିଳମ୍ବରେ ଚାଲିଛି। ବୁଲ୍‌ବୁଲ୍‌ ସବୁଠାରୁ ବଡ କ୍ଷତି ଘଟାଇଛି ଚାଷୀମାନଙ୍କର ପବନରେ ଅମଳ ହେବାକୁ ଥିବା ପାଚିଲା ଧାନ ବିଲରେ ଲୋଟିବା ସହ ଆଣ୍ଠୁଏ ଉଚ୍ଚର ବର୍ଷା ପାଣିରେ ବୁଡି ରହିଛି। ଏପଟେ ବର୍ଷା ଜାରି ରହିଥିବାରୁ କ୍ଷୟକ୍ଷତି ବଢିବାର ଆଶଙ୍କା ରହିଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଗୋଟିଏ ପଟେ ବୁଲ୍‌ବୁଲ୍‌ ର ମୁକାବିଲା ପାଇଁ ଜିରୋ କାଜୁଆଲଟି ନିମନ୍ତେ ସରକାର ଡିଣ୍ଡିମ ପିଟୁଥିବା ବେଳେ ଅନ୍ୟପଟେ ପ୍ରଭାବିତ ଅଞ୍ଚଳରେ କୈାଣସି ସୂଚନା ନମିଳିବା ବାତ୍ୟା ଅଞ୍ଚଳର ଲୋକଙ୍କ ପାଇଁ ଉପହାସ ପାଲଟିଛି।

Comments are closed.