‘ବୁଲ୍‌ବୁଲ୍’ ପ୍ରଭାବରେ ଉପକୂଳ ଛିନ୍ନଛତ୍ର : ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ ବ୍ୟାପକ କ୍ଷତିଗ୍ରସ୍ତ

-୬ଲକ୍ଷ ହେକ୍ଟର ଜମିରେ ୪୦ଭାଗ ଫସଲ ନଷ୍ଟ
-ଧାମରାରେ ପବନର ବେଗ ଥିଲା ୧୧୦ କିମି
-ଉପୁଡ଼ିଲା ଗଛ, ବିଦ୍ୟୁତ୍‌ ଖୁଣ୍ଟ
-ପାରାଦ୍ବୀପରେ ସର୍ବାଧିକ ୨୦୬ ମିମି ବର୍ଷା
-କାନ୍ଥପଡ଼ି ଜଣକର ମୃତ୍ୟୁ, ଏନଡ଼ିଆରଏଫ ଟିମର ଜଣେ ଆହତ
-ସ୍ଥାନାନ୍ତର ହୋଇଛନ୍ତି ୩୬୮୨ ଜଣ
-୨୪ଘଣ୍ଟାରେ ସ୍ବାଭାବିକ ହେବ ସ୍ଥିତି :ଏସଆରସି

ଭୁବନେଶ୍ୱର : ବୁଲବୁଲ ଓଡ଼ିଶାରେ ସ୍ଥଳଭାଗ ଛୁଇଁ ନଥିଲେ ହେଁ ଏହାର ପ୍ରଭାବରୁ ଉପକୂଳ ଓଡ଼ିଶାକୁ ନିସ୍ତାର ମିଳିନି। ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଦ୍ବାରା ଲୋକଙ୍କ ଜୀବନ ରକ୍ଷା ପାଇଯାଇଛି, ମାତ୍ର ଉପକୂଳର ୬ଟି ଜିଲାରେ ଅମଳ ଅପେକ୍ଷାରେ ଥିବା ପ୍ରାୟ ୪୦ ପ୍ରତିଶତ ଖରିଫ ଧାନ ଫସଲ ପ୍ରଭାବିତ ହୋଇଛି।

ବୁଲବୁଲ୍ ପ୍ରଭାବରେ ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା ଓ ବାଲେଶ୍ବର ଜିଲାରେ ପ୍ରବଳ ବର୍ଷା ହୋଇଥିବାବେଳେ ଏସବୁ ଜିଲାରେ ପବନର ବେଗ ଅଧିକ ରହିବାରୁ ଅଧିକାଂଶ ଅଞ୍ଚଳରେ ବହୁ ଗଛ, ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଛି। ବାତ୍ୟା ଓଡ଼ିଶା ଉପକୂଳ ଅତିକ୍ରମ  କରିବା ସମୟରେ ପବନର ବେଗ ୯୦କିମି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲିି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଥିଲେ ହେଁ ଶନିବାର ସକାଳେ ଧାମରା ବନ୍ଦରଠାରେ ୧୧୦କିମି ବେଗରେ ପବନ ବହିଥିଲା। ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର ଏବଂ ଭଦ୍ରକ ଜିଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ଥଣ୍ଡା/କୋହଲା ପବନ ଘଣ୍ଟା ପ୍ରତି ୬୦ରୁ ୭୦କିମି ବେଗରେ ଏପରିକି ବେଳେ ବେଳେ ୮୦କିମି ବେଗରେ ପ୍ରବାହିତ ହୋଇଥିଲା। ପରବର୍ତ୍ତୀ ସମୟରେ ଏସବୁ ଜିଲାରେ ଝଡ଼ର ବେଗ ଘଣ୍ଟା ପ୍ରତି ୮୦ ରୁ ୯୦କିମି ବେଗରେ ପହଞ୍ଚିଥିଲା। ପୁରୀ ଓ ଗଞ୍ଜାମଠାରେ ୬୦କିମି ବେଗରେ ପବନ ବହିଥିଲା।

ଶନିବାର ସକାଳେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରିବା ସହିତ ବାତ୍ୟାର ଗତିବିଧି ଏବଂ ଏହାର ପ୍ରଭାବ ନେଇ ପାଣିପାଗ କେନ୍ଦ୍ର ନିର୍ଦେଶକଙ୍କ ସହିତ ଆଲୋଚନା କରିଥିଲେ। ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ପର୍ଯ୍ୟବେକ୍ଷଣ କେନ୍ଦ୍ର ସହିତ ଗତକାଲି ରାତିରୁ ପାରାଦ୍ବୀପ ଓ ଗୋପାଳପୁରଠାରେ ଥିବା ଡ଼ପଲର ଉଇଦର ରାଡ଼ର ବାତ୍ୟାର ଗତିବିଧି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଥିଲା ପୂର୍ବାହ୍ନରେ ବାତ୍ୟା ଓଡ଼ିଶା ଉପକୂଳ ଅତିକ୍ରମ କରିବା ସମୟରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର ଓ ଭଦ୍ରକ ଜିଲାରେ ୮୦ରୁ ୯୦କିମି ବେଗରେ ପବନ ବହିବା ଯୋଗୁଁ ଅଧିକାଂଶ ଅଞ୍ଚଳରେ ସ୍ବାଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା।

ପାରାଦ୍ବୀପରେ ସର୍ବାଧିକ  ୨୦୬ ମିମି ବର୍ଷା ରେକର୍ଡ଼ କରାଯାଇଛି। ସେହିପରି ରାଜନଗରରେ  ୧୮୦, ଚାନ୍ଦବାଲିରେ ୧୭୯, କେନ୍ଦ୍ରାପଡ଼ାର ରାଜକନିକାରେ ୧୩୬ ଏବଂ ଜଗତସିଂହପୁରର ତିର୍ତ୍ତୋଲରେ ୧୦୦ ମିମି ବର୍ଷା ହୋଇଛି। ଆଳି, ଏର୍ସମା, ମହାକାଳପଡ଼ା, ଭଦ୍ରକ, କୁଜଙ୍ଗ, ବାଲିକୁଦା, ଭୋଗରାଇ ଏବଂ ବିଞ୍ଝାରପୁରରେ ୫୦ରୁ ୧୦୦ମିମି ମଧ୍ୟରେ ବର୍ଷା ହୋଇଛି। ଶନିବାର ସକାଳ ସାଢ଼େ ଆଠଟା ସୁଦ୍ଧା ରେକର୍ଡ଼ ହୋଇଥିବା ତଥ୍ୟ ଅନୁସାରେ କେନ୍ଦ୍ରାପଡ଼ା ଜିଲାରେ ହାରାହାରି ୭୫.୬ମିମି ବର୍ଷା ରେକର୍ଡ଼ କରାଯାଇଥିବାବେଳେ ଭଦ୍ରକରେ ୫୪.୬, ଜଗତସିଂହପୁରରେ ୫୧.୬, ବାଲେଶ୍ବରରେ ୩୭.୯ ଏବଂ ଯାଜପୁରରେ ୨୧.୭ ମିମି ବର୍ଷା ହୋଇଛି।

ଏସଆରସି ପ୍ରଦୀପ କୁମାର ଜେନା କହିଛନ୍ତି ଯେ ବର୍ଷା ଓ ପବନ ଯୋଗୁଁ ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ମୟୂରଭଞ୍ଜ, ଯାଜପୁର ଏବଂ ଭଦ୍ରକ ଜିଲା କ୍ଷତିଗ୍ରସ୍ତ ହୋଇଛି। ପ୍ରାଥମିକ ତଥ୍ୟ ଅନୁଯାୟୀ ଜଗତସିଂହପୁର ଜିଲାର ସମସ୍ତ ୮ଟି ବ୍ଳକ ଓ ୨ଟି ପୌର ପରିଷଦ କ୍ଷତିଗ୍ରସ୍ତ ହୋଇଛି। ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର ଜିଲାର ଉପକୂଳ ଅଞ୍ଚଳରେ ପବନ ଯୋଗୁଁ ବହୁ ଗଛ ଉପୁଡ଼ିବା ସହିତ ଗଛ ଡ଼ାଳ ଭାଙ୍ଗି ଗମନାଗମନ ବିଚ୍ଛିନ୍ନ ହୋଇଛି। କେତେକ ଅଞ୍ଚଳରେ ବିଦ୍ୟୁତ ଖୁଣ୍ଟ ଉପୁଡ଼ିବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ବର୍ଷା ଓ ପବନ ପ୍ରଭାବରେ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ଧାନ ଓ ଅଣଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି। କୃଷି ସଚିବଙ୍କଠାରୁ ମିଳିଥିବା ତଥ୍ୟ ଅନୁସାରେ ପ୍ରାଥମିକ ଚାକ୍ଷୁଷ ଆକଳନ ଅନୁଯାୟୀ ପ୍ରାୟ ୬ଲକ୍ଷ ହେକ୍ଟର ଚାଷ ଜମିରୁ ୩୫ରୁ ୪୦ଭାଗ ଚାଷ ଜମିରେ ଫସଲହାନି ହୋଇଥିବା ଜଣାପଡ଼ିଛି।

ଏସଆରସି କହିଛନ୍ତି ଯେ କେନ୍ଦ୍ରାପଡ଼ା ଜିଲା ରାଜକନିକାରେ ଘର କାନ୍ଥ ପଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିନେଇ କ୍ଷେତ୍ରସ୍ତରରେ ତଦନ୍ତ ଚାଲିଛି। ଏନଡ଼ିଆରଏଫ ଟିମର ଜଣେ ସଦସ୍ୟ ଆହତ ହୋଇଥିବାବେଳେ ତାଙ୍କୁ ଚିକିତ୍ସା ପାଇଁ  କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର ଜିଲାରେ ବିପଦସଙ୍କୁଳ ସ୍ଥାନଗୁଡ଼ିକରେ ପ୍ରାୟ ୩୬୮୨ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସେମାନଙ୍କୁ ୪୬ଟି ଆଶ୍ରୟ ସ୍ଥଳରେ ରଖାଯାଇଛି। ସେମାନଙ୍କୁ ଶୁଖିଲା ଖାଦ୍ୟ ସହିତ ରନ୍ଧା ଖାଦ୍ୟ ପାନୀୟ ଜଳ ଯୋଗାଇ ଦିଆଯାଇଛି।

ପଶ୍ଚିମବଙ୍ଗ ଅଞ୍ଚଳରୁ ଆସିଥିବା ୪୩ଟି ମାଛଧରା ଡ଼ଙ୍ଗା ଓ ସେଥିରେ ଥିବା ୩୮୧ଜଣ କ୍ରିଉ ଷ୍ଟାଫ ଧାମରା ମାଛଧରା ବନ୍ଦର ଓ ତାଳଚୁଆଠାରେ ଆଶ୍ରୟ ନେଇଛନ୍ତି। ସେମାନଙ୍କୁ ନିରାପଦ ଆଶ୍ରୟ ଓ ଖାଦ୍ୟ ଯୋଗାଇ ଦିଆଯାଇଛି। ଧାମରାଠାରୁ କିଛି ଦୂରରେ ସମୁଦ୍ର କୂଳରେ ଏକ ଡ଼ଙ୍ଗା ଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ମାତ୍ର ସେଥିରେ ଥିବା ୯ଜଣଙ୍କୁ ଉଦ୍ଧାର କରି ନିରାପଦ ସ୍ଥାନରେ ରଖାଯାଇଛି।

ବର୍ଷା, ପବନରେ ବାଲେଶ୍ବର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର ଜିଲାରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ  ହୋଇଥିଲା। ପ୍ରାଥମିକ ତଥ୍ୟ ଅନୁସାରେ ୩୩କେଭି ଫିଡ଼ର, ୩୩/୧୧କେଭି ଫିଡ଼ର, ୧୧କେଭି ଫିଡ଼ର, ବିଦ୍ୟୁତ ବିତରଣ କରୁଥିବା ଟ୍ରାନ୍ସଫର୍ମର ପ୍ରଭାବିତ ହୋଇଛି। ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟ ଜିଲାଗୁଡ଼ିକରେ ଚାଲୁ ରହିଛି। କୁଶଳୀ ଗ୍ୟାଙ୍ଗମ୍ୟାନ ବିଚ୍ଛିନ୍ନ ହୋଇଥିବା ବିଦ୍ୟୁତ୍ ସରବରାହ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ପ୍ରଭାବିତ ଜିଲାରେ ଓଡ଼୍ରାଫ ଟିମ, ଏନଡ଼ିଅାରଏଫ ଓ ଅଗ୍ନିଶମ ବାହିନୀ ଦ୍ବାରା ରାସ୍ତା ଓ ଘର ଉପରେ ପଡ଼ିଯାଇଥିବା ଗଛଗୁଡ଼ିକୁ କାଟି ସଫା କରି ଗମନଗମନ ସ୍ବାଭାବିକ କରିବା ଉଦ୍ୟମ ଚାଲିଛି। ରାସ୍ତାରେ ଉପୁଡ଼ି ପଡ଼ିଥିବା ବିଦ୍ୟୁତ ଖୁଣ୍ଟ ହଟାଇ ଗମନାଗମନ ସ୍ବାଭାବିକ କରାଯାଇଛି। ବର୍ଷା, ପବନର ତୀବ୍ରତା କମିବା ପରେ ମୟୂରଭଞ୍ଜ ଏବଂ ବାଲେଶ୍ବର ଜିଲାରେ ରାସ୍ତା ଏବଂ ବିଦ୍ୟୁତ ସରବରାହ ଭିତ୍ତିଭୂମିର ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ୨୪ଘଣ୍ଟାରେ ବିଜୁଳି ସରବରାହ ସମ୍ପୂର୍ଣ୍ଣ ସ୍ବାଭାବିକ ହେବ ବୋଲି ଏସଆରସି କହିଛନ୍ତି।

Comments are closed.