ବାତ୍ୟା ପରବର୍ତ୍ତୀ ନୀରବତା: ଉଜୁଡି ଗଲା ଜମି, ଜମା…ଦୁର୍ବିସହ ଜୀବନ

– ଆସନ୍ତାକାଲି ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ନିରୀକ୍ଷଣ କରିବେ ମୁଖ୍ୟମନ୍ତ୍ରୀ
– ଅପରାହ୍ନରେ ନବୀନ ସମୀକ୍ଷା କରିବେ ବାତ୍ୟା ଜନିତ କ୍ଷତି ଓ ପୁନଃଥଇଥାନ ପଦକ୍ଷେପ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ସାମୁଦ୍ରିକ ଝଡ଼ ବୁଲ୍‍ବୁଲ୍‍ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ ଆକାଶ ମାର୍ଗରୁ ନିରୀକ୍ଷଣ କରିବେ। ଅପରାହ୍ନରେ ନବୀନ ବାତ୍ୟା ଜନିତ କ୍ଷତି ଓ ପୁନଃଥଇଥାନ ପଦକ୍ଷେପର ସମୀକ୍ଷା କରିବେ ବୋଲି ଜଣାପଡିଛି। ସାମୁଦ୍ରିକ ଝଡ଼ ବୁଲ୍‍ବୁଲ୍‍ ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି।ଜଗତ୍‍ସିଂହପୁର, ଭଦ୍ରକ, କେନ୍ଦ୍ରାପଡା ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ବହୁ ଗଛ ଓ ବିଦ୍ୟୁତ୍‍ଖୁଣ୍ଟ ଉପୁଡି ପଡିଛି। ପାରାଦ୍ୱୀପରେ ସର୍ବାଧିକ ୨୦୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାବେଳେ ରାଜନଗରରେ ୧୮୦ ମିଲିମିଟର ଓ ଚାନ୍ଦବାଲିରେ ୧୭୯ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ପ୍ରାଥମିକ ତଥ୍ୟ ଅନୁଯାୟୀ ୬ ଲକ୍ଷ ହେକ୍ଟର ଜମିରେ ୪୦ ଭାଗ ଫସଲ ନଷ୍ଟ ହୋଇଛି। କାନ୍ଥ ପଡ଼ି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ହଜାର ୬୮୨ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର୍‍ ଅନୀଲ୍‍ କୁମାର ସାମଲ ଭଦ୍ରକର ଚାନ୍ଦବାଲିରେ କ୍ଷୟକ୍ଷତିର ଆକଳନ କରିଛନ୍ତି। ସେ ଚାନ୍ଦବାଲିର ବିଭିନ୍ନ ଅଞ୍ଚଳ ବୁଲି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ଜିଲ୍ଲାସ୍ତରୀୟ ଅଧିକାରୀମାନେ କ୍ଷୟକ୍ଷତି ସମ୍ପର୍କରେ ତାଙ୍କୁ ଅବଗତ କରାଇଛନ୍ତି। ବିଭିନ୍ନ ଜିଲ୍ଲା ପ୍ରଶାସନକୁ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ପ୍ରଦାନ ପାଇଁ କୁହାଯାଇଛି।

ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ସେ କହିଛନ୍ତି ବାତ୍ୟା ପ୍ରଭାବରେ ଚାନ୍ଦବାଲି, ଧାମରା ଏବଂ ବାସୁଦେବପୁର ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହୋଇଛି। ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ବିଦ୍ୟୁତ୍‍ ସରବରାହକୁ ସ୍ୱାଭାବିକ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ୫୦ଟି ଟ୍ୟାଙ୍କର ସାହାଯ୍ୟରେ କ୍ଷତିଗ୍ରସ୍ତ ଅଞ୍ଚଳରେ ପାନୀୟ ଜଳ ଯୋଗାଇ ଦିଆଯାଉଛି। ବାତ୍ୟା ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଏକ ଭିଡିଓ ବାର୍ତ୍ତା ଜାରି କରି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି…

ଜଗତସିଂହପୁର ଜିଲ୍ଲାରେ ଧାନ ଏବଂ ଅଣଧାନ ଫସଲ ବ୍ୟାପକ କ୍ଷତି ହୋଇଛି। କୁଜଙ୍ଗ, ତିର୍ତ୍ତୋଲ୍‍, ଏରସମା ଓ ବାଲିକୁଦା ଅଞ୍ଚଳରେ ଦର ପାଚିଲା ଧାନ, ପନିପରିବା ଏବଂ ଅନ୍ୟାନ୍ୟ ଅଣଧାନ ଫସଲ ପାଣିରେ ବୁଡ଼ିଯାଇଛି। ଚଳିତ ଖରିଫ୍‍ ଋତୁ ଫସଲ ଅମଳ ବାଧାପ୍ରାପ୍ତ ହୋଇଛି। ପ୍ରାଥମିକ ଆକଳନ ଅନୁଯାୟୀ ଜିଲ୍ଲାରେ ୨୯ହଜାର ୪୦୦ ହେକ୍ଟର ଜମିରେ ଧାନ ଏବଂ ୫୦ ହେକ୍ଟର ଜମିରେ ଅଣଧାନ ଫସଲ ନଷ୍ଟ ହୋଇଛି ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ୯ଟି ବ୍ଲକ୍‍ ଏବଂ ଦୁଇଟି ପୌରାଞ୍ଚଳ ବୁଲ୍‍ବୁଲ୍‍ ପ୍ରଭାବିତ ହୋଇଛି। ବଡ଼ବଡ଼ ଗଛ ଭାଙ୍ଗିଯାଇଥିବାରୁ ବିଚ୍ଛିନ୍ନ ହୋଇପଡ଼ିଥିବା ସଡ଼କ ଯୋଗାଯୋଗ କ୍ରମଶଃ ସ୍ୱାଭାବିକହେବାରେ ଲାଗିଛି। ଜିଲ୍ଲାର ୧ହଜାର ୫୯୨ଟି ଗ୍ରାମ ପ୍ରଭାବିତ ହୋଇଛି। ୧୪ଟି ଆଶ୍ରୟ ସ୍ଥଳରେ ୪ ହଜାର ୭୩୫ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ଜରୁରୀକାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମହାକାଳପଡ଼ା, ରାଜନଗର, ରାଜକନିକାରେ ବୁଲ୍‍ବୁଲ୍‍ର ପ୍ରଭାବ ବିଶେଷ ଭାବରେ ଅନୁଭୂତ ହୋଇଛି। ଅନେକ ସ୍ଥାନରେ ଚାଳ ଛପର ଏବଂ ଆଜବେଷ୍ଟସ ଘର କ୍ଷତିଗ୍ରସ୍ତ ହୋଇଛି। କ୍ଷୟକ୍ଷତିର ଆକଳନ କରି ଯଥାଶୀଘ୍ର ରିପୋର୍ଟ ଦାଖଲ କରିବା ପାଇଁ ଜିଲ୍ଲା ରାଜସ୍ୱ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ବୁଲ୍‍ବୁଲ୍‍ ପ୍ରଭାବରେ କ୍ଷୟକ୍ଷତିର ଆକଳନ କରିବା ପାଇଁ ରାଜ୍ୟ ସରକାର ଏକ କେନ୍ଦ୍ରୀୟ ଟିମ୍‍ ପଠାଇବା ଲାଗି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଏ ନେଇ ମୁଖ୍ୟ ଶାସନ ସଚିବ ଅସିତ୍‍ କୁମାର ତ୍ରିପାଠୀ କ୍ୟାବିନେଟ୍‍ ସଚିବଙ୍କ ସହ ଭିଡ଼ିଓ କନ୍‍ଫରେନସିଂ ମାଧ୍ୟମରେ ଆଲୋଚନା କରିଥିଲେ।

Comments are closed.