ପାରାଦ୍ବୀପଠାରୁ ମାତ୍ର ୯୦କିମି ଦୂରତାରେ ରହିଛି ‘ବୁଲ୍‌ବୁଲ୍‌’ ; ଆଜି ସନ୍ଧ୍ୟାରେ ଲ୍ୟାଣ୍ଡଫଲ୍ କରିବାର ଆଶଙ୍କା

ଭୁବନେଶ୍ବର : ବାତ୍ୟା ‘ବୁଲ୍‌ବୁଲ୍‌’ ବର୍ତ୍ତମାନ ପାରାଦ୍ବୀପଠାରୁ ମାତ୍ର ୯୦କିମି ଦୂରରେ ରହିଛି । ଘଣ୍ଟା ପ୍ରତି ୧୩ କିମି ବେଗରେ ଗତି କରୁଥିବା ଏସଆରସି ପ୍ରଦୀପ କୁମାର ଜେନା ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଶନିବାର ଅପରାହ୍ନ ୫ଟାରୁ ୧୦ଟା ମଧ୍ୟରେ ବାତ୍ୟା ‘ବୁଲ୍‌ବୁଲ୍‌’ ଲ୍ୟାଣ୍ଡଫଲ୍ କରିବାର ଆଶଙ୍କା କରାଯାଉଛି। ଏବେ ‘ବୁଲ୍‌ବୁଲ୍‌’ ଉତ୍ତର-ପୂର୍ବ ଦିଗକୁ ମୋଡ ନେବା ଆରମ୍ଭ କରିଛି । ତେଣୁ ଆଉ ୪ରୁ ୫ ଘଣ୍ଟା ଯାଏଁ ବର୍ଷା ଜାରି ରହିବ। ବାଲେଶ୍ବର, ଭଦ୍ରକ, କେନ୍ଦ୍ରପଡା ଏବଂ ଜଗତସିଂହପୁର ଜିଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲା ଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲାରେ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି ବୋଲି ଏସଆରସି ପ୍ରଦୀପ କୁମାର  ଜେନା କହିଛନ୍ତି।

ଜଗତସିଂହପୁର, କେନ୍ଦ୍ରାପଡା ଓ ଭଦ୍ରକରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଧାମରାରେ ଘଣ୍ଟା ପ୍ରତି ୧୧୦ କିମି ବେଗରେ ପବନ ବହୁଛି। ପାରାଦ୍ବୀପ, ରାଜନଗର, ଚାନ୍ଦିବାଲି, ବାସୁଦେବପୁରରେ ଅନେକ ଗଛ ଉପୁଡି ପଡିଛି । ଏନଡିଆରଏଫ୍, ଓଡ୍ରାଫ୍ ଟିମ୍ ଦ୍ବାରା ଗଛ କଟା ଆରମ୍ଭ ହୋଇଛି । କିଛି ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଥିବା ସୂଚନା ମିଳିଛି।

ବର୍ତ୍ତମାନ ସୁଦ୍ଧା ଅଢେଇ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଧାମରାରେ ୯ ମତ୍ସ୍ୟଜୀବୀଙ୍କୁ ସର୍ଚ୍ଚ ଟିମ୍ ଉଦ୍ଧାର କରିଛି। ଫସଲ କ୍ଷୟକ୍ଷତିକୁ ନେଇ କୃଷି ସଚିବଙ୍କ ସହ ଆଲୋଚନା ହୋଇଛି । ୬ ଲକ୍ଷ ହେକ୍ଟର ଜମିରେ ୩୦ରୁ ୪୦% କ୍ଷତି ହୋଇଥିବା ଆକଳନ ହୋଇଛି। କ୍ଷୟକ୍ଷତି ଆକଳନ ପାଇଁ ଗୋଟିଏ ଟିମ୍ ବାହାରିଛି ବୋଲି ଏସଆରସି ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।

Comments are closed.