ଡରାଉଛି ‘ବୁଲ୍‌ବୁଲ୍‌’

୨୪ଘଣ୍ଟାରେ ଚିତ୍ର ସ୍ପଷ୍ଟ ହେବ, ୯-୧୦ରେ ପବନ, ବର୍ଷା

-ଅଧିକ ସମୟ ସମୁଦ୍ରରେ ବୁଲିବ
-ମୁହାଁଇବ ଉତ୍ତର ଓଡ଼ିଶା- ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ

ଭୁବନେଶ୍ୱର  : ଆଣ୍ଡାମାନ ସାଗରରେ ତୀବ୍ର ଅବପାତର ରୂପ ନେଇଥିବା ଲଘୁଚାପ ଆସନ୍ତା ୧୨ ଘଣ୍ଟାରେ ସାମୁଦ୍ରିକ ବାତ୍ୟା ଏବଂ ପରବର୍ତ୍ତୀ ୨୪ଘଣ୍ଟାରେ ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ। ‘ବୁଲବୁଲ୍’ ଭାବେ ନାମିତ ଏହି ବାତ୍ୟା କେଉଁ ଦିଗରେ ମୁହାଁଇବ ଏବଂ କେଉଁଠି ସ୍ଥଳଭାଗ ସ୍ପର୍ଶକରିବ ତାହାକୁ ନେଇ ସଂଶୟ ବଢ଼ିବାରେ ଲାଗିଛି। ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି ଯେ ତୀବ୍ର ଅବପାତରେ ପରିଣତ ହେବା ପରେ ଲଘୁଚାପ ଏବେ ପାରାଦ୍ବୀପଠାରୁ ୮୦୦କିମି ଦୂରରେ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ରହିଛି।
ଏହା ଏବେ ଖୁବ୍ ମନ୍ଥର ଗତିରେ ଆଗଉଛି ଏବଂ ଘଣ୍ଟା ପ୍ରତି ବେଗ ୧୦କିମି ଭିତରେ ସୀମିତ ଅଛି। ‌​‌ଆସନ୍ତା ୧୨ ଘଣ୍ଟାରେ ବାତ୍ୟା ରୂପ ନେବା ସହିତ ପ୍ରଥମ କିଛି ଘଣ୍ଟା ପଶ୍ଚିମ-ଉତ୍ତର ପଶ୍ଚିମରେ ଗତି କରିବ। ଅଧିକ ସମୟ ସମୁଦ୍ରରେ ବୁଲିବା ପରେ ଏହା ଉତ୍ତର-ଉତ୍ତର ପଶ୍ଚିମରେ ଗତି କରି ପଶ୍ଚିମବଙ୍ଗ ଏବଂ ପାର୍ଶ୍ବବର୍ତ୍ତୀ ଉତ୍ତର ଓଡ଼ିଶା ଓ ବାଂଲାଦେଶ ଉପକୂଳକୁ ମୁହଁାଇବ। ଏହାର ପ୍ରଭାବରେ ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୫୦ରୁ ୬୦ରୁ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ତେବେ ବାତ୍ୟା କେତେବେଳେ ଓ କେଉଁଠି ସ୍ଥଳଭାଗ ଛୁଇଁବ ସେ ନେଇ ଏ ପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ ହୋଇନାହିଁ।
ବାତ୍ୟା ଓଡ଼ିଶା ଉପକୂଳ ଛୁଇଁ ନପାରେ ବୋଲି ଆକଳନ କରାଯାଉଛି। ଭାରତୀୟ ପାଣିପାଗ ବିଭାଗ(ଆଇଏମଡ଼ି) ସୂଚନା ଆଧାରରେ ଗଣମାଧ୍ୟମକୁ ଏହା କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା। ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ​ଜେନା କହିଥିଲେ ଯେ ବାତ୍ୟାର ଗତିବିଧି ସଂକ୍ରାନ୍ତରେ ଆସନ୍ତାକାଲି ସକାଳ ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇପାରେ। ଏବେ ଲଘୁଚାପ ତୀବ୍ର ଅବପାତରେ ପରିଣତ ହୋଇଛି ଏବଂ ପରବର୍ତ୍ତୀ ୨୪ଘଣ୍ଟାରେ ବାତ୍ୟାର ରୂପ ନେବ। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ବର୍ଷା ହେବ। ୪୦ରୁ ୫୦କିମି ବେଗରେ ପବନ ବହିବା ସହିତ ସ୍ଥଳ ବିଶେଷରେ ପବନର ବେଗ ୬୦କିମି ଛୁଇଁପାରେ। ଏଥିପାଇଁ ଉତ୍ତର ଓଡ଼ିଶା ଉପକୂଳ ଜିଲାଗୁଡ଼ିକ ପାଇଁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କ ପାଇଁ ସତର୍କ ସୂଚନା ଜାରି ହୋଇଛି। ମାଛଧରାଳି ଆସନ୍ତା ୭ତାରିଖରୁ ସମୁଦ୍ରରୁ ଫେରିଆସିବାକୁ କୁହାଯାଇଛି। କାରଣ ୮ରୁ ପବନର ବେଗ ବଢ଼ିବ ଏବଂ ସମୁଦ୍ର ଅଶାନ୍ତ ରହିବ।
ଶ୍ରୀ ଜେନା କହିଥିଲେ ଯେ ସେ ବ୍ୟକ୍ତିଗତ ଭାବେ ଜିଳାପାଳମାନଙ୍କ ସହିତ ଏ ବିଷୟରେ ଆଲୋଚନା କରିଛନ୍ତି। ତ୍ସ୍ୟଜୀବୀମାନଙ୍କୁ ସତର୍କ କରିବା ପାଇଁ ମାଇକ ଯୋଗେ ପ୍ରଚାର ବ୍ୟବସ୍ଥା କରିବାକୁ ମତ୍ସ୍ୟ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି।  ବାତ୍ୟାର ଗତିବିଧି ସମ୍ପର୍କରେ ପାଣିପାଗ ତଥ୍ୟ ଆଧାରରେ ସେ କହିଛନ୍ତି ଯେ ୮ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ବାତ୍ୟା ଗୋପାଳପୁରଠାରୁ ୩୨୦କିମି, ୯ତାରିଖ ସନ୍ଧ୍ୟା ୭ଟା ସୁଦ୍ଧା ଅସ୍ତରଙ୍ଗଠାରୁ ୧୭୦କିମି, ୧୦ତାରିଖ ସନ୍ଧ୍ୟା ସୁଦ୍ଧା ପାରାଦ୍ବୀପଠାରୁ ୧୬୦କିମି ଏବଂ ୧୧ତାରିଖ ସକାଳ ସୁଦ୍ଧା ଧାମରାଠାରୁ ୧୪୦କିମି ଦୂରରେ ଅତିକ୍ରମ କରିବ। ନଭେମ୍ବର ୧୦ ସନ୍ଧ୍ୟା ଓ ୧୧ତାରିଖ ସକାଳ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଆଇଏମଡ଼ି ପକ୍ଷରୁ ଯାହା ସୂଚନା ମିଳିଛି ଏହା ଓଡ଼ିଶାରେ ସ୍ଥଳଭାଗ ଛୁଇଁ ନପାରେ। ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନା ମିଳିବା ପରେ ଏସବୁ ସ୍ପଷ୍ଟ ହୋଇଯିବ। ତେବେ ୯ ଓ ୧୦ରେ ଉତ୍ତର ଓଡ଼ିଶା ଉପକୂଳରେ ବର୍ଷାର ସମ୍ଭାବନା ରହିଥିବାରୁ ଏଥିପାଇଁ ସବୁ ପ୍ରକାର ସତର୍କତାମୂଳକ ପଦକ୍ଷେ‌େ‌ପ ନିଆଯାଇଛି। ବର୍ଷା ପାଇଁ ସଜାଗ ରହିବାକୁ ଜିଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ପୂର୍ବରୁ ୧୫ଟି ଜିଲାକୁ ସତର୍କ ସୂଚନା ଦିଆଯାଇଥିଲା ଏବଂ ଏବେ ବି ତାହା ଅପରିବର୍ତ୍ତିତ ରହିଛି। ଆଗକୁ ବାତ୍ୟାର ଗତିବିଧିକୁ ଦେଖି ରାଜ୍ୟ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କ ସୁରକ୍ଷା ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ। ପ୍ରଭାବିତ ହେବାକୁ ଥିବା ଜିଲାର ଜିଲାପାଳମାନେ ସତର୍କ ରହିଛନ୍ତି ଏବଂ ଜଣେ ଜିଲାପାଳ ପୂର୍ବରୁ ଛୁଟିରେ ଯିବାକୁ ଆବେଦନ କରିଥିଲେ ହେଁ ବାତ୍ୟା ପାଇଁ ସେ ତାଙ୍କ ଛୁଟି ବାତିଲ କରିଦେଇଛନ୍ତି।

Comments are closed.