ବାତ୍ୟା ‘ବୁଲବୁଲ’ : ସତର୍କ ରହିବାକୁ ବିଭିନ୍ନ ବିଭାଗ, ଆରଡିସି, ଜିଲାପାଳଙ୍କୁ ନିର୍ଦେଶ

ଭୁବନେଶ୍ୱର :  ଆଣ୍ଡାମାନ ସାଗରରେ ବାତ୍ୟା ରୂପ ନେଉଥିବା ଲଘୁଚାପକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ନିମନ୍ତେ ସଜାଗ ରହିବା ପାଇଁ ସ୍ବତନ୍ତ୍ର ରିଲିଫ କମିଶନର ବିଭିନ୍ନ ବିଭାଗ, ଆରଡ଼ିସି, ଜିଲା ପ୍ରଶାସନକୁ ସ୍ବତନ୍ତ୍ର ବାର୍ତ୍ତା ଜରିଆରେ ଅବଗତ କରାଇଛନ୍ତି।
ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଓ ପବନ ଯୋଗୁଁ କ୍ଷୟକ୍ଷତିର ଆଶଙ୍କା ଥିବାରୁ ଏଥିପାଇଁ ଏସଆରସି କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସମେତ ସମବାୟ, ଖାଦ୍ୟ​ ‌େ​‌ଯାଗାଣ ଓ ଖାଉଟି କଲ୍ୟାଣ, ସମସ୍ତ ଆରଡ଼ିସି, ପୁଲିସ ଓ ଅଗ୍ନିଶମ ବିଭାଗ, ଏନଡ଼ିଆରଏଫ, ପଶୁ ସମ୍ପଦ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ, ତଫସିଲଭୁକ୍ତ ଜନଜାତି ଓ ଜାତି ଉନ୍ନୟନ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବଙ୍କୁ ପରିସ୍ଥିତି ସମ୍ପର୍କରେ ଅବଗତ କରିବା ସହିତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି।
ବାର୍ତ୍ତାରେ ଏସଆରସି ଉଲ୍ଲେଖ କରିଛନ୍ତି ଯେ ବାତ୍ୟା ପ୍ରଭାବରେ ଉତ୍ତର ଓଡ଼ିଶା ଉପକୂଳ, ଦକ୍ଷିଣ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ୮ରୁ ୧୦ ତାରିଖ ମଧ୍ୟରେ ବର୍ଷା ହୋଇପାରେ। ଏହି ସମୟରେ ଓଡ଼ିଶା ଉପକୂଳରେ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ପ୍ରାୟ ୬୦କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏଥିଯୋଗୁଁ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନେ ୮ତାରିଖରୁ ବାତ୍ୟା ପ୍ରକୋପ ନକମିବା ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।
ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ସବୁ ଜିଲା ପ୍ରଶାସନକୁ ଅବଗତ କରାଯିବା ସହିତ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି। ଜିଲା ଜରୁରୀକାଳୀନ କେନ୍ଦ୍ର ୨୪ଘଣ୍ଟା ଖୋଲା ରଖିବାକୁ କୁହାଯାଇଛି। ବର୍ଷା ପାଇଁ ଅମଳ ଅବସ୍ଥାରେ ଥିବା ଧାନ ଓ ଅନ୍ୟାନ୍ୟ ଫସଲ କିପରି ସୁରକ୍ଷିତ ରଖାଯାଇପାରିବ ସେଥିପାଇଁ ଓୟୁଏଟି ଏବଂ କୃଷି ନିର୍ଦେଶକଙ୍କ ପକ୍ଷରୁ ଜାରି ହୋଇଥିବା ପରାମର୍ଶ ପାଳନ କରିବାକୁ ଚାଷୀମାନଙ୍କୁ ଅନୁରୋଧ କରାଯାଇଛି।
ବର୍ଷା ସହିତ ପବନର ସମ୍ଭାବନା ଥିବାରୁ ଗଞ୍ଜାମ, ଗଜପତି, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର ଓ ଢ଼େଙ୍କାନାଳ ଜିଲା ପ୍ରଶାସନ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ସବୁ ପ୍ରକାର ପଦକ୍ଷେ‌େ‌ପ ନେବାକୁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି। ଆସନ୍ତ ୮ତାରିଖରୁ କୌଣସି ମତ୍ସ୍ୟଜୀବୀ ଯେପରି ସମୁଦ୍ରକୁ ନଯା’ନ୍ତି ଏବଂ ସମୁଦ୍ରରେ ଥିବା ମତ୍ସ୍ୟଜୀବୀ ଯେପରି ୭ତାରିଖ ସନ୍ଧ୍ୟା ସୁଦ୍ଧା ଫେରିଆସନ୍ତି ତାହା ନିଶ୍ଚିତ କରିବାକୁ କୁହାଯାଇଛି।

Comments are closed.