ହାଇକୋର୍ଟରେ ଶିଶୁ ଭବନ ଅଧୀକ୍ଷକଙ୍କ ସତ୍ୟପାଠ : ୧୧୬ କୋଟିରେ ହେବ ନୂଆ କୋଠା

କଟକ :  ଶିଶୁ ଭବନ ପରିସରରେ ନିର୍ମାଣ ହେବାକୁ ଥିବା ବହୁତଳ କୋଠା ନିର୍ମାଣ କାର୍ଯ୍ୟ ୨୦୨୧, ଫେବୃଆରୀ ୨୬ ତାରିଖ ସୁଦ୍ଧା ଶେଷ ହେବ। ତେବେ ନ୍ୟାସନାଲିଷ୍ଟ ଲୟର୍ସ ଫୋରମ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି ସମୟ‌େର ଶିଶୁ ଭବନ ଅଧୀକ୍ଷକ ସରୋଜ କୁମାର ଶତପଥୀଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଶିଶୁ ଭବନ ପରିସରରେ ନିର୍ମିତ ହେବାକୁ ଥିବା ନୂଆ କୋଠା ପାଇଁ ବ୍ରିଜ୍ ଆଣ୍ଡ୍ ରୁଫ୍ କୋ(ଇଣ୍ଡିଆ)କୁ ଟେଣ୍ଡର ଦିଆଯାଇଛି। ଏହି ନିର୍ମାଣ ପାଇଁ ଖର୍ଚ୍ଚ ୧୧୬ କୋଟି ୯୨ ଲକ୍ଷ ୧୧ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି ଓ ନିର୍ମାଣ ପାଇଁ ୨୪ ମାସ ଲାଗିବ।
ଏହି ‌ପ୍ରସଙ୍ଗରେ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ଅଧୀକ୍ଷକଙ୍କ ପକ୍ଷରୁ ‘ଆର୍ ଆଣ୍ଡ୍ ବି’କୁ ଚିଠି ଲେଖା ଯାଇଥିଲା। ୨୦୧୯, ଏପ୍ରିଲ ୯ରେ ଆର୍ ଅାଣ୍ଡ୍ ବି ନିର୍ବାହୀ ଯନ୍ତ୍ରୀ ଏ ନେଇ ଶିଶୁ ଭବନ ଅଧୀକ୍ଷକଙ୍କୁ ଅବଗତ କରିଥିଲେ। ଏଥି ପାଇଁ ଟଣ୍ଡର ପାଇଥିବା ସଂସ୍ଥା ସହିତ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟରୁ ଡିଜାଇନ୍ ନେଇ ଅନୁମୋଦନ ମିଳିବା ପରେ ସଂସ୍ଥା ନିର୍ମାଣ କାର୍ଯ୍ୟ କରିବ ବୋଲି ଦର୍ଶାଯାଇଛି।
ଅଧୀକ୍ଷକଙ୍କ ପକ୍ଷରୁ ହାଇକୋର୍ଟରେ ଦାଖଲ ସତ୍ୟପାଠ ସହିତ ଏହି ଚିଠିର କପି ମଧ୍ୟ ଦାଖଲ କରାଯାଇଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଶିଶୁ ଭବନ ପରିସରରେ ନିର୍ମିତ ହେବାକୁ ଥିବା ନୂଆ ବହୁତଳ କୋଠା ପ୍ରକଳ୍ପ ପ୍ରସଙ୍ଗରେ ସବିଶେଷ ତଥ୍ୟ ଦାଖଲ ପାଇଁ ମାର୍ଚ୍ଚ ୨୫ରେ ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ.ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଘାସିରାମ ବର୍ମା ଓ ତାପସ କୁମାର ଦ୍ବିବେଦୀ ମାମଲା ପରିଚାଳନା କରୁଛନ୍ତି।

Comments are closed.