କଟକ ପୁଲିସ୍‌ର ଏନକାଉଣ୍ଟର, ଦୁଇ ଅପରାଧୀ ଆହତ

0

କଟକ : କଟକ ସଦର ଥାନା ଅଞ୍ଚଳରେ ରବିବାର ଭୋରୁ ଏନକାଉଣ୍ଟର ଘଟିଛି। ଏଥିରେ ଦୁଇଜଣ ଅପରାଧୀ ଆହତ ହୋଇଛନ୍ତି। ସଦର ଥାନା ୱାଲମୀ ନିକଟରେ ପୁଲିସ ରାତିରେ ପ୍ରହରା ଦେଉଥିବାବେଳେ ଦୁଇଟି ବାଇକରେ ଦୁଇଜଣ ୱାଲିମୀ ଆଡ଼କୁ ଆସୁଥିଲେ। ସେମାନେ ପୁଲିସକୁ ଦେଖି ଗାଡ଼ି ବୁଲାଇ ପଳାଇଥିଲେ। ପୁଲିସ ସେମାନଙ୍କର ପିଛାକରି ୱାଲିମୀର କୁଆଖାଇ ଗଡ଼ାରେ ଅପରାଧୀଙ୍କ ନିକଟତର ହେବାରୁ ପୁଲିସ ଉପରକୁ ଦୁଇ ଅପରାଧୀ ଗୁଳି ଚଳାଇଥିଲେ। ପୁଲିସ ଆତ୍ମରକ୍ଷା ପାଇଁ ପାଲଟା ଗୁଳି ଚାଳନା କରିଥିଲା। ଫଳରେ ସୁଧାକର ପାତ୍ର ଓରଫ ଲିପୁ ଏବଂ ମନୋଜ ମହାରଣା ଓରଫ ମଙ୍ଗୁ ଆହତ ହୋଇଛନ୍ତି।

ଲିପୁରର ବାମ ଗୋଡ଼ରେ ଗୁଳି ବାଜିଥିବାବେଳେ ମଙ୍ଗୁର ଦୁଇ ଗୋଡ଼ରେ ଗୁଳି ବାଜିଛି। ଉଭୟଙ୍କୁ ଆହତ ଅବସ୍ଥାରେ କଟକ ବଡ଼ଡାକ୍ତରଖାନା ଆଶୁ ଚିକିତ୍ସା ବିଭାଗକୁ ଅଣାଯାଇଥିଲା। ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭୋର ୪ଟାବେଳେ ଅସ୍ଥିଶଲ୍ୟ ବିଭାଗକୁ ସ୍ଥାନାନ୍ତର କରାଯାଇଛି। ଏସପି ଦେବଦତ୍ତ କର ଓ ସ୍ପେଶାଲ ସ୍କ୍ୱାଡର ଅଧିକାରୀମାନେ ଏହି ଏନକାଉଣ୍ଟରରେ ସାମିଲ ଥିବା ସୂଚନା ମିଳିଛି। ହୋଲିଦିନ କେତେକ ଯୁବକ ଏକ ସ୍କୁଲ ପରିସରରେ ଭୋଜି କରୁଥିବାବେଳେ ପୂର୍ବ ଶତ୍ରୁତାକୁ ନେଇ ଏହି ଦୁଇଜଣ ସେମାନଙ୍କ ସହ ଝଗଡ଼ା କରିବା ସହ ଗୁଳି ଚାଳନା କରି ଫେରାର ହୋଇଯାଇଥିଲେ। ଏମାନଙ୍କଠାରୁ ଦୁଇଟି ବନ୍ଧୁକ, ୧୫ ରାଉଣ୍ଡ ଗୁଳି ଓ ଦୁଇଟି ବାଇକ ଜବତ କରାଯାଇଛି।

Leave A Reply