ମୂକସାକ୍ଷୀ କଟକ ପୁରୁଣା ଜେଲ୍‍

0

ଐତିହ୍ୟର ସ୍ମାରକୀ ଏହି କାରାଗାର ୧୮୮୧ରେ ନିର୍ମିତ। ଏଠି ୭୦ରେ ୩୪ ଫୁଟ୍‍ର କାରାକକ୍ଷରେ୧୦୦ ବନ୍ଦୀଙ୍କ ରହଣି ବ୍ୟବସ୍ଥା ଥିଲା। ଏହା ୧୯୧୨ ବେଳକୁ ଜିଲା ଜେଲ୍‍ ଏବଂ ୧୯୩୬ ବେଳକୁ କେନ୍ଦ୍ରୀୟ କାରାଗାର ଏବଂ ୧୯୮୪ରୁ ୧୯୮୮ ମଧ୍ୟରେ ଏହାର ଚୌଦ୍ୱାରକୁ ସ୍ଥାନାନ୍ତର। ଏବେ କିନ୍ତୁ ପ୍ରଶ୍ନ ଆସୁଛି- କଟକ ପୁରୁଣା ଜେଲ୍‍ ସ୍ମାରକୀ ସେଲ୍‍ ପାଇଁ କିଛି କରାଗଲା କି? ଦେଶର ସ୍ୱାଧୀନତା ଆନ୍ଦୋଳନରେ ଓଡିଶାର ବୀର ବରପୁତ୍ରମାନଙ୍କ ତ୍ୟାଗ କିଛି କମ୍‍ ନୁହେଁ। ତେବେ ସେ ସଂଗ୍ରାମର ଜୀବନ୍ତ ସ୍ମୃତିଟିଏ ଏଠି ଏବେ ଖୋଜି ପାଇବା ମୁସ୍କିଲ। ସବୁକିଛି ଲେଖା ଓ ଫଟୋଚିତ୍ରରେ ହିଁ ସୀମିତ। ଏ ମାଟିରେ ଏକମାତ୍ର ମୂକସାକ୍ଷୀ ହେଉଛି କଟକ ପୁରୁଣା ଜେଲ୍‍ର ୧୫ନମ୍ବର ୱାର୍ଡ-ଏହା ଏବେ ସଂଗ୍ରାମୀ ସ୍ମାରକୀ ସେଲ୍‍। ପୁରୁଣା ଜେଲ୍‍ ଭାଙ୍ଗି ଦିଆଯାଇଥିଲେ ମଧ୍ୟ ଏହି ସେଲ୍‍ଟିକୁ ସଂରକ୍ଷିତ ରଖାଯାଇଛି। ଇଏ ସେହି ସେଲ୍‍, ଯେଉଁଠି ଦିନେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଭିତ୍ତିଭୂମି ପଡିଥିଲା।
ନବକୃଷ୍ଣ ଚୌଧୁରୀ, ହରେକୃଷ୍ଣ ମହତାବ, ଗୋପବନ୍ଧୁ ଚୌଧୁରୀ, ପ୍ରାଣକୃଷ୍ଣ ପଢିଆରୀ, ଜାତୀୟ କବି ବୀର କିଶୋର ଦାସ, ଗୌରାଙ୍ଗ ଚରଣ ଦାସଙ୍କ ଭଳି ବିପ୍ଳବୀମାନେ ଏହି ସେଲ୍‍ (୧୫ନମ୍ବର ୱାର୍ଡ)ରେ ବନ୍ଦୀ ଅବସ୍ଥାରେ ଥାଇ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ସ୍ୱପ୍ନ ଦେଖିଥିଲେ। ଏ ସେଲ୍‍ର ବାରଣ୍ଡାରେ କୋମଳମତି ବାନରସେନାଙ୍କ କେତେ ବିନିଦ୍ର ରଜନୀ କଟିଛି। ଅଗଷ୍ଟ୮ ଓ ୯ସହ ଏହି ସେଲ୍‍ ଏକ ମହାନ ସ୍ମୃତିରେ ବନ୍ଧା। ୧୯୪୨ରେ ମହାତ୍ମା ଗାନ୍ଧୀ ଭାରତ ଛାଡ ଆନ୍ଦୋଳନର ଡାକରା ଦେଇଥିଲେ। ଓଡ଼ିଶାରେ ଏହାର ପ୍ରତିକ୍ରିୟା ଥିଲା ତୀବ୍ର। ଅଗଷ୍ଟ ୮ତାରିଖ ମଧ୍ୟରାତ୍ରିରେ ଭାରତ ଛାଡ଼ ଆନ୍ଦୋଳନ ଆରମ୍ଭ ହୋଇ ୯ତାରିଖକୁ ବ୍ୟାପକ ହୋଇଥିଲା। ଓଡ଼ିଶାରେ ଏହାକୁ ଦମନ କରିବା ପାଇଁ ୮ ତାରିଖ ସକାଳୁ ବିପ୍ଳବୀମାନଙ୍କୁ ଗିରଫ କରି ଏହି ସେଲ୍‍ରେ ବନ୍ଦୀ କରିବା ଆରମ୍ଭ ହୋଇଯାଇଥିଲା। ଏହି ୧୫ନମ୍ବର ୱାର୍ଡରେ ବହୁ ବରପୁତ୍ର ଏବଂ ପାର୍ଶ୍ବବର୍ତ୍ତୀ ମହିଳା ସେଲ୍‍ (ସିଡିଏ ତାକୁ ଭାଙ୍ଗି ଦେଇଛି)ରେ ମାଳତୀ ଚୌଧୁରୀ, ରମା ଦେବୀ, ଅନ୍ନପୂର୍ଣ୍ଣା ମହାରଣାଙ୍କ ଭଳି ବିପ୍ଳବିଣୀ ମାନେ ବନ୍ଦୀ ହୋଇଥିଲେ। (ସନ୍ଦିପ ପାଣି)

Leave A Reply