ପ୍ରଶାସନ ନିଷ୍ପତ୍ତିର ପ୍ରତିବାଦ ; ବାଲିଯାତ୍ରାରୁ ଓହରିଲା ବ୍ୟବସାୟୀ ସଂଘ

0

କଟକ : ଚଳିତବର୍ଷ ଐତିହାସିକ ବାଲିଯାତ୍ରା ଆୟୋଜନକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଜିଲା ଓ ପୁଲିସ ପ୍ରଶାସନର ଦୂରଦୃଷ୍ଟି ଅଭାବ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି। ବାଲିଯାତ୍ରା ଆଉ ମାତ୍ର ଏକ ସପ୍ତାହରୁ କମ୍‍ ସମୟ ରହିଥିବାବେଳେ ପ୍ଲଟ ଆବଣ୍ଟନ ଅଡୁଆ ତୁଟି ପାରୁନାହିଁ। ପ୍ରତିଦିନ ପ୍ରଶାସନ ପ୍ଲଟ ଆବଣ୍ଟନ ସଂକ୍ରାନ୍ତରେ ନୂଆ ନୂଆ ନିୟମ କରୁଛି। ପ୍ରଶାସନର ଏପରି ନିଷ୍ପତ୍ତିର ପ୍ରତିବାଦ କରି ବ୍ୟବସାୟୀ ସଂଘ ବାଲିଯାତ୍ରାରେ ଭାଗ ନ ନେବାକୁ ଶୁକ୍ରବାର ଘୋଷଣା କରିଛି। ବ୍ୟବସାୟୀ ସଂଘ ସହିତ ଡେକୋରେସନ ଆସୋସିଏସନ, ସପ୍ଲାଇ, ଟେଣ୍ଟ ଓ ଦୋଳି ସଂଘ ସ୍ୱର ମିଳାଇଛି। ବିଭିନ୍ନ ସଂଘ ଜିଦରେ ଅଟଳ ରହିଥିବାରୁ ପ୍ରଶାସନ ଅକଳରେ ପଡିଛି।
ପ୍ରତିବର୍ଷ ବାଲିଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ପ୍ଲଟ ଆବଣ୍ଟନ ଓ ମୂଲ୍ୟ ନିର୍ଦ୍ଧାରଣ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଥାଏ। ଚଳିତବର୍ଷ ନଭେମ୍ବର ୨୩ରୁ ବାଲିଯାତ୍ରା ଆରମ୍ଭ ନେଇ ପ୍ରଶାସନ ଘୋଷଣା କରିଥିଲା। ପ୍ଲଟର ବର୍ଗଫୁଟ ମୂଲ୍ୟ ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି ସୂଚନା ନ ଦେଇ ହଠାତ ବର୍ଗଫୁଟ ୧୦ଟଙ୍କା ବୃଦ୍ଧି କରି ୪୩ଟଙ୍କା କରାଯାଇଥିଲା। ଏହାକୁ ବ୍ୟବସାୟୀ ସଂଘ ବିରୋଧ କରିବା ପରେ ପ୍ରଶାସନ ବର୍ଗଫୁଟ ୩୩ଟଙ୍କା ଧାର୍ଯ୍ୟ କରିଥିଲା। ପ୍ଲଟ ବୁକିଂ ସମୟରେ ବ୍ୟବସାୟୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେଥିନେଇ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ମଧ୍ୟ ହୋଇଥିଲା। ଏଥିସହିତ ୪ହଜାର ବର୍ଗଫୁଟରୁ ଅଧିକ ଜମି ପାଇଁ ଆବେଦନ କରିଥିବା ବ୍ୟବସାୟୀଙ୍କୁ ଜିଲାପାଳ ଅନୁମତି ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଥିଲା। ୪୦୦୦ ବର୍ଗ ଫୁଟରୁ ଊର୍ଦ୍ଧ୍ବ ଜମି ନେବାକୁ ଆଗ୍ରହୀ ପ୍ଲଟ ପାଇଁ ୧୧ତାରିଖରେ ଆବେଦନ କରିଥିଲେ। ୧୬ତାରିଖ ପ୍ଲଟ ଆବଣ୍ଟନର ଶେଷ ତାରିଖ ଥିଲେ ମଧ୍ୟ ସେମାନଙ୍କୁ ଷ୍ଟଲ ନିର୍ମାଣ ପାଇଁ କୌଣସି ନିର୍ଦେଶ ଦିଆଯାଇନଥିଲା। ଜମି ନ ମିଳିବାରୁ ଏହି ବଡ ବ୍ୟବସାୟୀମାନେ ଆଶଙ୍କାରେ ରହିଥିଲେ। ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ହୋଇଥିଲେ ମଧ୍ୟ ତାହା ବାସ୍ତବରେ କାର୍ଯ୍ୟକାରୀ ହୋଇନଥିଲା। ପୂର୍ବରୁ ଗୋଟିଏ ସ୍ଥାନରେ ବ୍ୟବସାୟୀମାନେ ଟଙ୍କା ଜମା କରି ପ୍ଲଟ ନେଉଥିବାବେଳେ ଚଳିତବର୍ଷ ବିଭିନ୍ନ ବିଭାଗ ପକ୍ଷରୁ ଅଲଗା ଅଲଗା ରସିଦ କଟାଯାଇଥିଲା। ରସିଦ କାଟିବା ପରେ କମିସନରେଟ ପୁଲିସ ପକ୍ଷରୁ କ୍ଲିୟରାନ୍ସ ନ ମିଳିବା ପର୍ଯ୍ୟନ୍ତ କୌଣସି ବ୍ୟବସାୟୀ ଷ୍ଟଲ ନିର୍ମାଣ କରିବେ ନାହିଁ ବୋଲି ପୁଲିସ ନିର୍ଦେଶ ଦେଇଥିଲା। ଦିନ ଦିନ ଧରି ବ୍ୟବସାୟୀ ଥାନାକୁ ଦୌଡୁଥିବାବେଳେ ପୁଲିସ ଅନୁମତି ନ ଦେଇ ସମୟ ଗଡେଇ ଚାଲିଥିବା ବହୁ ବ୍ୟବସାୟୀ ଅଭିଯୋଗ କରିଛନ୍ତି। ଏମିତି ଏକାଧିକ ପ୍ରସଙ୍ଗକୁ ନେଇ ବ୍ୟବସାୟୀ ଓ ପ୍ରଶାସନ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବାବେଳେ ଶୁକ୍ରବାର ସନ୍ଧ୍ୟାରେ ତାହା ବିସ୍ଫୋରକରୂପ ନେଇଥିଲା।
ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ବଡ ବ୍ୟବସାୟୀଙ୍କୁ କ୍ଲିୟରାନ୍ସ ନ ମିଳିବାରୁ ଏହାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଯାହାଫଳରେ ବ୍ୟବସାୟୀ ସଂଘଙ୍କ ସହିତ ଅନ୍ୟ ସଂଘର କର୍ମକର୍ତ୍ତା ପ୍ରଶାସନର ଏପରି ବ୍ୟବସାୟୀମାରଣ ନୀତିର ଦୃଢ ପ୍ରତିବାଦ କରିଥିଲେ। ଏଥର କୌଣସି ସଂଘ ବାଲିଯାତ୍ରାରେ ସାମିଲ ନ ହେବାକୁ ନିଷ୍ପତ୍ତି ନେଇଥିଲେ। ସେମାନେ ଆଲୋଚନାକୁ ଯିବେ ନାହିଁ ବୋଲି ବ୍ୟବସାୟୀ ସଂଘର ସମ୍ପାଦକ ସୁଶାନ୍ତ ମହାନ୍ତି କହିଛନ୍ତି। ପ୍ରଶାସନ ଜାଣିଶୁଣି ବ୍ୟବସାୟୀଙ୍କୁ ହଇରାଣ ହରକତ କରୁଛି। ପ୍ରତିଦିନ ଷ୍ଟଲ ପାଇଁ ଗୋଟିଏ ପରେ ଗୋଟିଏ ନୂଆ ନିୟମ କରୁଛି। ଏହିସବୁ କଟକଣା ଯୋଗୁଁ ଦୀର୍ଘବର୍ଷ ଧରି ବ୍ୟବସାୟ କରୁଥିବା ଅନେକ ବ୍ୟବସାୟୀ ଏଥର ଷ୍ଟଲ ଖୋଲିବା ସମ୍ଭବପର ନୁହେଁ ବୋଲି ସେ କହିଛନ୍ତି। ବାଲିଯାତ୍ରା ସପ୍ତାହେରୁ କମ୍‍ ସମୟ ଥିବାବେଳେ ବଡ ବ୍ୟବସାୟୀମାନେ କିପରି ଷ୍ଟଲ ନିର୍ମାଣ କରିବେ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି। ଐତିହାସିକ ବାଲିଯାତ୍ରାର ଗୌରବ କ୍ଷୁଣ୍ଣ କରିବା ପାଇଁ ପ୍ରଶାସନର ଏହା ଏକ ସୁଚିନ୍ତିତ ପଦକ୍ଷେପ ବୋଲି ସେ କହିଛନ୍ତି। କାହାସ୍ୱାର୍ଥରେ ପ୍ରଶାସନ କାର୍ଯ୍ୟ କରୁଛି ବୋଲି ପାଲଟା ପ୍ରଶ୍ନ କରିଛନ୍ତି। ଅପରପକ୍ଷରେ ସଂଘର ଏପରି ଅଭିଯୋଗକୁ ତହସିଲଦଦାର ସଞ୍ଜୟ ପ୍ରତିହାରୀ ଖଣ୍ଡନ କରିଛନ୍ତି। ଏ ସମ୍ପର୍କରେ ସଂଘ ପକ୍ଷରୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇନାହିଁ। ପୂର୍ବ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ପ୍ରଶାସନ ଯାହାକିଛି ନିଷ୍ପତ୍ତି ନେଇଛି। କେତେକ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ନିଜର ସ୍ୱାର୍ଥ ହାସଲ ପାଇଁ ସଂଘକୁ ବ୍ୟବହାର କରୁଥିବା ସେ କହିଛନ୍ତି। ବାଲିଯାତ୍ରା କିପରି ସରସସୁନ୍ଦର ହେବ ଓ ସମସ୍ତ ବ୍ୟବସାୟୀ ସୁରୁଖୁରୁରେ ବ୍ୟବସାୟ କରିବେ ସେଥିପ୍ରତି ପ୍ରଶାସନ ପ୍ରଯତ୍ନ ରହିଛି ବୋଲି ତହସିଲଦାର ଶ୍ରୀ ପ୍ରତିହାରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Leave A Reply