ଝଲସିବ କଟକ ଐତିହାସିକ ବାଲିଯାତ୍ରା – ପ୍ରସ୍ତୁତି ଜୋରଦାର

କଟକ: ଆସନ୍ତା ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି କଟକର ଐତିହାସିକ ବାଲିଯାତ୍ରା। ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ପ୍ରତି ବର୍ଷ ଅନୁଷ୍ଠିତ ହେଉଥିବା ଏହି ବାଲିଯାତ୍ରାକୁ ସ୍ୱତନ୍ତ୍ରଭାବେ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ଜୋରଦାର ପ୍ରସ୍ତୁତି ଜାରି ରଖିଛି। କାର୍ତ୍ତିକ ପୂର୍ଣ୍ଣିମା ତିଥିରୁ ମହାନଦୀର କୂଳରେ ଥିବା ଗଡଗଡିଆ ଘାଟର ତଳ ଓ ଉପର ପଡିଆରେ ଆରମ୍ଭ ହେବ ଏହି ଯାତ୍ରା। ସାମୁଦ୍ରିକ ଝଡ ବୁଲବୁଲ ପାଇଁ ଏଥର ଯାତ୍ରା ପସ୍ତୁତିରେ ସାମାନ୍ୟ ବିଳମ୍ବ ହୋଇଥିଲେ ହେଁ ଆଜିଠାରୁ ପଡିଆରେ କାର୍ଯ୍ୟ ଆଗେଇ ଚାଲିଛି। ଜିଲା ପ୍ରଶାସନ, କଟକ ମହାନଗର ନିଗମ ଓ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ଏଥର ବାଲିଯାତ୍ରାରେ ବହୁ ନୂତନ ଯୋଜନା ହାତକୁ ନିଆଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ନେଇ ଏକ ଭିଡିଓ ଜାରି କରାଯାଇଛି।

ସାଇକେଲ୍‍ ପାଇଁ ବାଲିଯାତ୍ରା ପଡିଆ ନିକଟରେ ମାଗଣା ପାର୍କିଂ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି। ଲୋକେ ନିର୍ଦ୍ଦିଷ୍ଟ ଦେୟ ଦେଇ ମୋ ରିକ୍ସା ଯୋଜନା ଅଧୀନରେ ପଡିଆ ନିକଟକୁ ଆସିପାରିବେ। ସେହିପରି ଲୋକଙ୍କ ପାଇଁ ବୋଟିଂର ମଧ୍ୟ ସୁବିଧା କରାଯାଇଛି, ନିର୍ଦ୍ଦିଷ୍ଟ ଦେୟ ଦେଇ ଲୋକେ ବୋଟିଂ ମଜା ଉଠାଇପାରିବେ। ଏହା ଛଡା ଏଥର ବାଲିଯାତ୍ରାରେ ୪ଟି ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଯାତ୍ରା ସମୟରେ ପଥ ଉତ୍ସବର ମଧ୍ୟ ଆୟୋଜନ କରାଯିବ ବୋଲି ଉପଜିଲାପାଳ ତଥା ବାଲିଯାତ୍ରା ନୋଡାଲ ଅଫିସର ସୁଭ୍ରାଂଶୁ ମିଶ୍ର କହିଛନ୍ତି।

ବାଲିଯାତ୍ରାରେ କଟକ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏଥର ଯାତ୍ରା ପାଇଁ ୫୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଉଥିବାବେଳେ ଉଭୟ ପଡିଆରେ ସି.ସି.ଟି.ଭି. ଲଗାଯିବ ଓ ବିଭିନ୍ନ ସ୍ଥାନରେ ୱାଚ ଟାୱାର ସ୍ଥାପନ କରାଯିବ। ସେହିପରି ପଡିଆରେ ସାଧା ପୋଷାକଧାରୀ ପୁଲିସ, ର‍୍ୟାପିଡ୍‍ ଆକ୍ସନ ଫୋର୍ସ ମଧ୍ୟ ମୁତୟନ ହେବେ ବୋଲି କଟକ ଡି.ସି.ପି. ଅଖିଳେଶ୍ୱର ସିଂହ କହିଛନ୍ତି।

କଟକ ମହାନଗର ନିଗମ ପକ୍ଷରୁ ଉଭୟ ପଡିଆରେ ଲୋକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ବାଲିଯାତ୍ରା ପଡିଆରେ ପଲିଥିନ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ନିଗମ ପକ୍ଷରୁ ପ୍ରଥମ ଦିନ ପଲିଥିନ ବର୍ଜନ ନେଇ ଲୋକ ଓ ବ୍ୟବସାୟୀଙ୍କୁ ସଚେତନ କରାଯିବ।

ଦ୍ୱିତୀୟ ଦିନଠାରୁ ସ୍ୱତନ୍ତ୍ର ସ୍କ୍ୱାଡ୍‍ ଚଢ଼ଉ କରି ପଲିଥିନ ବ୍ୟବହାରକାରୀଙ୍କଠାରୁ ଜରିମାନା ଆଦାୟ କରିବ ବୋଲି ସି.ଏମ୍‍.ସି. କମିଶନର ଅନନ୍ୟା ଦାସ କହିଛନ୍ତି। ୧୨ ତାରିଖ ସନ୍ଧ୍ୟାରେ ଯାତ୍ରାର ଉଦ୍‍ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଯାତ୍ରା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ।

Comments are closed.