ରଥଯାତ୍ରା ପାଇଁ କଟକରେ ଟ୍ରାଫିକ କଟକଣା

0

କଟକ  : ଶନିବାର ଅନୁଷ୍ଠିତ ହେବାକୁ ଥିବା ଚାନ୍ଦିନୀଚୌକ,ରାଣୀହାଟ ଓ ଦୋଳମୁଣ୍ଡାଇ ରଥଯାତ୍ରା ପାଇଁ ଜନସମାଗମକୁ ଦୃଷ୍ଟିରେ ରଖି କମିସନରେଟ ଟ୍ରାଫିକ ପୁଲିସ ପକ୍ଷରୁ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଏହିସବୁ ଅଞ୍ଚଳର କେତେକ ରାସ୍ତାକୁ ସଂପୂର୍ଣ୍ଣ ବନ୍ଦ ରଖାଯିବା ସହିତ ଆଉ କେତେକ ରାସ୍ତାକୁ ଏକତରଫା କରାଯିବାକୁ ନିଷ୍ପତ୍ତି ହୋଇଛି। ଅପରାହ୍ଣ ୧ଟାରୁ ରଥଟଣା ଶେଷ ହେବା ପର୍ଯ୍ୟନ୍ତ ଟ୍ରାଫିକ କଟକଣା ବଳବତ୍ତର ରହିବ। ଏହାଛଡା ସମସ୍ତ ପ୍ରକାର ବିଶୃଙ୍ଖଳାକୁ ଏଡ଼ାଇବା ପାଇଁ ପର୍ଯ୍ୟାପ୍ତ ପୁଲିସ ଫୋର୍ସ ମୁତୟନ କରାଯିବ ବୋଲି ଡିସିପି ସଞ୍ଜୀବ ଆରୋରା ସୂଚନା ଦେଇଛନ୍ତି।
ଚାନ୍ଦିନୀଚୌକ
ରଥଟଣା ସମୟରେ ଏବଂ ରଥ ମାଉସୀ ମା’ମନ୍ଦିର ପାଖରେ (କାଫଲା ଛକ) ଥିବାବେଳେ ମହାନ୍ତିପଡ଼ା ଛକଠାରୁ କୌଣସି ଯାନବାହନ ଚାନ୍ଦିନୀଚୌକ ଆଡକୁ ଆସିପାରିବେ ନାହିଁ। ରଥଟଣା ସମୟରେ ଗୁରୁମହାନ୍ତି ଛକଠାରୁ କୌଣସି ଯାନବାହନ ଚାନ୍ଦିନୀଚୌକ ଆଡକୁ ଯାଇପାରିବେ ନାହିଁ। ରଥଗୁଡିକ ଗୁରୁମହାନ୍ତି ଛକ ଅତିକ୍ରମ କରିବା ପରେ ଏହି ଛକଠାରୁ କୌଣସି ଯାନବାହନ କାଫଲା ଛକ ଆଡକୁ ଯାଇପାରିବେ। ରଥଗୁଡିକ ଗୁରୁମହାନ୍ତି ଛକ ଅତିକ୍ରମ ନ କରିବା ପର୍ଯ୍ୟନ୍ତ ଚାନ୍ଦିନୀଚୌକରୁ କୌଣସି ଯାନବାହନ ଗୁରୁମହାନ୍ତି ଛକ ଆଡକୁ ଯାଇପାରିବେ ନାହିଁ। ରଥଟଣା ସମୟରେ ଡଗରପଡ଼ା ହନୁମାନ ମନ୍ଦିର ଛକଠାରୁ କୌଣସି ଯାନବାହନ ଚାନ୍ଦିନୀଚୌକ ଆଡକୁ ଯାଇପାରିବେ ନାହିଁ। ରଥଗୁଡିକ ଡଗରପଡ଼ା ଛକ ଅତିକ୍ରମ କରି ମାଉସୀ ମା’ମନ୍ଦିର ପାଖରେ ଥିବାବେଳେ ଡଗରପଡା ଛକଠାରୁ କୌଣସି ଯାନବାହନ କାଫଲା ଛକ ଆଡକୁ ଯାଇପାରିବେ ନାହିଁ। ଅଲିଶାବଜାର ଛକଠାରୁ କୌଣସି ଯାନବାହନ କାଫଲା ଛକ ଆଡକୁ ଯାଇପାରିବେ ନାହିଁ।
ଦୋଳମୁଣ୍ଡାଇ
ଦୋଳମୁଣ୍ଡାଇ ରଥଟଣା ସମୟରେ କୌଣସି ଯାନବାହନ ପିଠାପୁର କିମ୍ବା ହରିପୁର ଆଡକୁ ଯାଇପାରିବେ ନାହିଁ। ଗାଡିଗୁଡିକ ବଜ୍ରକବାଟି ଛକ କେନାଲ ରାସ୍ତାଦେଇ ସେମିନାର ଛକରେ ବାହାରି ପିଠାପୁର ଓ ହରିପୁର ଯାଇପାରିବେ। ରଥଟଣା କିମ୍ବା ରଥ ମେଲଣ ପଡିଆରେ ଥିବାବେଳେ ସେମିନାର ଛକଠାରୁ କୌଣସି ତିନି/ଚାରି ଚକିଆ ଯାନବାହନ ଦୋଳମୁଣ୍ଡାଇ ଆଡ଼କୁ ଯାଇପାରିବେ ନାହିଁ। ସେମାନେ ବକ୍ସିବଜାର ଓ ରାଣୀହାଟ ଛକ ଦେଇ ଦୋଳମୁଣ୍ଡାଇ ଆଡକୁ ଯାଇପାରିବେ। ରଥ ମେଲଣ ପଡିଆରେ ଥିବା ସମୟରେ ପିଠାପୁର ଶିବ ମନ୍ଦିର ପାଖରୁ କୌଣସି ତିନି/ଚାରିଚକିଆ ଯାନ ଦୋଳମୁଣ୍ଡାଇ ଆଡକୁ ଆସିପାରିବେ ନାହିଁ। ହୋଟେଲ ଆକବରୀ ପାଖରୁ କୌଣସି ଯାନ ଦୋଳମୁଣ୍ଡାଇ ଆଡକୁ ଆସିପାରିବେ ନାହିଁ। ମେଲଣ ପଡିଆ ପାଖ ଗୁପ୍ତା ଡିଷ୍ଟ୍ରିବ୍ୟୁଟର ପାଖରୁ କୌଣସି ଯାନବାହନ ଦୋଳମୁଣ୍ଡାଇ ଛକ ଆଡକୁ ଯାଇପାରିବେ ନାହିଁ। ହରିପୁର ପାଇଖାନା ଛକରୁ କୌଣସି ଯାନବାହନ ଦୋଳମୁଣ୍ଡାଇ ଆଡକୁ ଆସିପାରିବେ ନାହିଁ।
ରାଣୀହାଟ
ରଥଟଣା ସମୟରେ ଏବଂ ରଥ ମାଉସୀ ମା ମନ୍ଦିର ପାଖରେ ଥିବା ସମୟରେ ଓଏମପି ଛକ ପଟୁ ଆସୁଥିବା ସମସ୍ତ ତିନି/ଚାରି ଚକିଆ ଯାନବାହନଗୁଡିକ ରେଭେନ୍ସା କଲେଜପାଖ ସିଡିଏ ମାର୍କେଟଠାରୁ ରାଣୀହାଟ କିମ୍ବା ଏସସିବି ମେଡିକାଲ ଆଡକୁ ଯାଇପାରିବେ ନାହିଁ। ଯୋବ୍ରା ଆନିକଟ୍‍ ଛକ ଦେଇ ରାଣୀହାଟ ଓ ଏସସିବି ମେଡିକାଲକୁ ଯାଇପାରିବେ। ରଥଟଣା ସମୟରେ କଲେଜଛକଠାରୁ କୌଣସି ଯାନ ରାଣୀହାଟ ଆଡକୁ ଆସିପାରିବେ ନାହିିଁ। ରଥ ଜଗନ୍ନାଥ ମନ୍ଦିର ବା ମାଉସୀ ମା ମନ୍ଦିର ପାଖରେ ଥିବାବେଳେ ମୋଚିସାହି ଛକଠାରୁ କୌଣସି ଯାନବାହନ କଲେଜ ଛକ ଆଡକୁ ଆସିପାରିବେ ନାହିଁ। ଡା.ତେଜେଶ୍ୱର ରାଓ ଛକଠାରୁ କୌଣସି ଯାନ ମୋଚିସାହି ଛକ ଆଡକୁ ଆସିପାରିବେ ନାହିଁ। ଏସସିବି ମେଡିକାଲ କଲେଜ ଗେଟ୍‍ ନିକଟରୁ କୌଣସି ଯାନବାହନ କଲେଜଛକ କିମ୍ବା ରାଣୀହାଟ ଛକ ଆଡକୁ ଆସିପାରିବେ ନାହିଁ।ଛତ୍ରବଜାର ପୋଲ ପାଖରୁ କୌଣସି ଯାନ କେନାଲ କୂଳ ରାସ୍ତାଦେଇ ହିନ୍ଦ୍‍ ସିନେମା ହଲ୍‍ ଛକ ଆଡକୁ ଯାଇପାରିବେ ନାହିଁ। ଉକ୍ତ ଯାନବାହନଗୁଡିକ ପ୍ରିଲିଗ୍ରିମ୍‍ ରୋଡଦେଇ କଲେଜଛକ ଆଡକୁ ଯାଇପାରିବେ। ଅନ୍ୟପକ୍ଷରେ ଯାତ୍ରାକୁ ଶୃଙ୍ଖଳିତ ଭାବେ ପାଳନ କରାଯିବା ପାଇଁ ଦୋଳମୁଣ୍ଡାଇ ଓ ଚାନ୍ଦିନୀଚୌକ ଛକରେ ଦୁଇଟି ପୁଲିସ କଣ୍ଟ୍ରୋଲ ରୁମ୍‍ ଖୋଲାଯାଇଛି।
ରାଜପଥରେ ୨୪ଘଣ୍ଟିଆ ଟ୍ରାଫିକ୍‍ ନିୟନ୍ତ୍ରଣ
ପୁରୀ ରଥଯାତ୍ରା ଦେଖିବା ପାଇଁ ଯାଉଥିବା ଭକ୍ତମାନଙ୍କ ଯାତାୟାତରେ ସୁବିଧା ନିମନ୍ତେ ୨୪ଘଣ୍ଟିଆ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି। ଜାତୀୟ ରାଜପଥରେ ୨୪ ପୁଲିସ ମୁତୟନ ସହିତ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି। ଦୁର୍ଘଟଣାଗ୍ରସ୍ତ ଗାଡି କିମ୍ବା ଯାନ୍ତ୍ରିକ ତ୍ରୁଟିଜନିତ ଗାଡିଗୁଡିକୁ ରାଜପଥରୁ ତୁରନ୍ତ ସ୍ଥାନାନ୍ତର କରିବା ପାଇଁ ତିନିଟି ସ୍ଥାନରେ କ୍ରେନ୍‍ର ବ୍ୟବସ୍ଥା କରାଯାଇଛି। କିଛି ଅଘଟଣ ଘଟିଲେ ଟ୍ରାଫିକ୍‍ ସହାୟତା ପାଇଁ ତୁରନ୍ତ ଟୋଲ ଫ୍ରି ନମ୍ବର ୧୦୯୫ କିମ୍ବା ପୁଲିସ ସହାୟତା ପାଇଁ ୧୦୦ କଲ୍‍ କରିବାକୁ ନିବେଦନ କରାଯାଇଛି।

Leave A Reply