କଟକ ବାଲିଯାତ୍ରାକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

0

ଭୁବନେଶ୍ୱର : ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି), ଇଣ୍ଡୋନେସିଆ ପର୍ଯ୍ୟଟନ ବିଭାଗ, ଭାରତୀୟ ସାଂସ୍କୃତିକ ପରିଷଦର ମିଳିତ ଆନୁକୂଲ୍ୟରେ ଚଳିତ ମାସ ୯ରୁ ୧୧ ତାରିଖ ମଧ୍ୟରେ ବାଲିଯାତ୍ରାର ଗୌରବମୟ ଇତିହାସକୁ ନେଇ କଲକାତାର ରବୀନ୍ଦ୍ରନାଥ ଠାକୁର କେନ୍ଦ୍ରଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗଦେଇ ଓଡ଼ିଶା ପର୍ଯ୍ୟଟନ ବିଭାଗ ନିର୍ଦେଶକ ଡ. ନିତିନ ଭାନୁଦାସ ଜାୱଲେ କହିଥିଲେ ଯେ ଓଡ଼ିଶା ସହିତ ବାଲି ଦ୍ୱୀପର ବାଣିଜ୍ୟ ଅତି ପ୍ରାଚୀନ କାଳରୁ ରହିଥିଲା। ଓଡ଼ିଶାର ବଣିକ ନୌକା ଯୋଗେ ବାଲିରେ ବ୍ୟବସାୟ ପାଇଁ ପହଞ୍ଚୁ ଥିଲେ। କେବଳ ବାଣିଜ୍ୟିକ ନୁହେଁ ଏହି ଦେଶ ସହିତ ଆମର ସାଂସ୍କୃତିକ ଓ ପରମ୍ପରାଗତ ସମ୍ପର୍କ ରହିଛି। ଆମର ଏହି ସମ୍ପର୍କ ଆଗକୁ ଅନେକ ନୂଆ ସମ୍ଭାବନାକୁ ବାସ୍ତବ ରୂପ ଦେବ ବୋଲି ସେ କହିଥିଲେ।
କଟକ ବାଲିଯାତ୍ରାର ଗୌରବମୟ ଇତିହାସର ପ୍ରଚାର ପ୍ରସାର ପାଇଁ ୨୦୧୩ ନଭେମ୍ବରରେ କଟକର ଓଡ଼ିଶା ମେରିଟାଇମ୍‍ ମ୍ୟୁଜିୟମ୍‍ ଇନ୍‍ଟାକ୍‍ ତଥା ଇଣ୍ଡୋନେସିଆ ପର୍ଯ୍ୟଟନ ବିଭାଗ ମିଳିତ ସହଯୋଗରେ ବାଲିଯାତ୍ରା ଅବସରେ ଏହି ପ୍ରକଳ୍ପ ଆରମ୍ଭ ହୋଇଛି। ଚଳିତ ବର୍ଷ ମାର୍ଚ୍ଚ ୭ ତାରିଖରେ ନୂଆଦିଲ୍ଲୀର ଇଣ୍ଡୋନେସିଆ ଦୂତାବାସରେ ଏପରି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଚଳିତ ମାସ କଲକତାଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ ସିଦ୍ଧାର୍ଥୋ ସୂର୍ଯ୍ୟୋଦିପୁରୋ ଉପସ୍ଥିତ ଥିଲେ।

Leave A Reply