ନବନିର୍ମାଣ କୃଷକ ସଂଗଠନର ବିଶାଳ ବିକ୍ଷୋଭ

0

କଟକ : କୃଷକଙ୍କର ବିଭିନ୍ନ ଦାବି ପୂରଣ ପାଇଁ ବୁଧବାର ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହି ବିକ୍ଷୋଭ ସମାବେଶରେ ହଜାରହଜାର କୃଷକ ଯୋଗଦେଇଥିଲେ।
ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ପ୍ରତିବାଦ ସଭାରେ ବକ୍ତାମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ ମାରଣନୀତିକୁ ଦୃଢ ସମାଲୋଚନା କରିଥିଲେ। ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ କୃଷକଙ୍କୁ ଉପଯୁକ୍ତ ପ୍ରାପ୍ୟ ମିଳିପାରୁନାହିଁ। କୃଷକ ହେଉଛନ୍ତି ଦେଶର ମେରୁଦଣ୍ଡ। ସର୍ବଦା କୃଷି ପ୍ରତି ଅବହେଳା ପ୍ରଦର୍ଶନ କରାଯାଉଛି। ସରକାର କୃଷି ଓ କୃଷକର ବିକାଶ ପ୍ରତି ଦୃଷ୍ଟି ଦେଉନଥିବାରୁ ଦେଶରେ ଦିନକୁ ଦିନ ଚାଷୀ ଆତ୍ମହତ୍ୟା ବଢିଚାଲିଛି। ସ୍ୱାଧୀନତା ପରଠାରୁ ଦେଶରେ ୩ଲକ୍ଷ ୨୦ ହଜାର କୃଷକ ଆତ୍ମହତ୍ୟା କରିସାରିଲେଣି। ଓଡିଶାରେ ୨୦୦ରୁ ଊର୍ଦ୍ଧ୍ବ ଚାଷୀ କୃଷିକାରଣରୁ ଆତ୍ମହତ୍ୟା କରିଥିବା ବେଳେ ସରକାର ଏହାକୁ ସ୍ୱୀକାର କରୁନାହାନ୍ତି। ଜଳସେଚନ, ଶୀତଳ ଭଣ୍ଡାର, ବଜାର ବ୍ୟବସ୍ଥା, ଗୋଦାମ ଘର, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସ୍ଥାପନ, ରିଲିଫ୍‍ କୋର୍ଡ ସଂଶୋଧନ, ଭାଗଚାଷୀଙ୍କୁ ଚାଷର ମାନ୍ୟତା ସହ ଭୂ ସଂସ୍କାର ପାଇଁ ସଂଗଠନ ପକ୍ଷରୁ ୮ ବର୍ଷ ହେବ ଦାବି କରାଯାଉଛି। ଏହା ଉପରେ ସରକାର କୌଣସି ଗୁରୁତ୍ୱ ଦେଉନାହାନ୍ତି।
ଚାଷୀଙ୍କୁ ଉତ୍ପାଦିତ ଦ୍ରବ୍ୟର ଉଚିତ୍‍ ମୂଲ୍ୟ ପ୍ରଦାନ ଓ ପ୍ରତ୍ୟେକ ଚାଷୀଙ୍କୁ ୫ ହଜାର ଟଙ୍କା ହିସାବରେ ୨୧,୬୦୦ କୋଟି ଟଙ୍କା ଚାଷୀ ସୁରକ୍ଷା ଭତ୍ତା ପ୍ରଦାନ କରିବା ପାଇଁ ବକ୍ତାମାନେ ଦାବି କରିଥିଲେ। ଏହି ପ୍ରତିବାଦ ସଭାରେ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ବରିଷ୍ଠ ସାମ୍ବାଦିକ ରବି ଦାସ, ଶୈଳଜ ରବି, ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, କର୍ପୋରେଟର ଗିରିବାଳା ବେହେରା ପ୍ରମୁଖ ଉଦ୍‍ବୋଧନ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଚାଷୀଙ୍କୁ ଉପଯୁକ୍ତ ପ୍ରାପ୍ୟ ନ ମିଳିଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ବକ୍ତାମାନେ ଚେତାବନୀ ଦେଇଥିଲେ। ପରେ ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଖାନନଗରରୁ ଏକ ବିରାଟ ଶୋଭାଯାତ୍ରାରେ ହଜାରହଜାର ଚାଷୀ କଟକ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Leave A Reply