ଓଡ଼ିଶାରେ ସିଏସଆର ପାଣ୍ଠି ବିନିଯୋଗ: ତୈଳ କମ୍ପାନୀର ୪୦୪ କୋଟି ଓ କୋଲ ଇଣ୍ଡିଆର ୭୭୦ କୋଟି

0

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପରିଚାଳନାଧୀନ ତୈଳ କମ୍ପାନୀଗୁଡ଼ିକ ସାମାଜିକ ଦାୟିତ୍ୱବୋଧ ଯୋଜନା (ସିଏସଆର)ରେ ବିଗତ ପାଞ୍ଚ ବର୍ଷରେ ଓଡ଼ିଶାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ସମୁଦାୟ ୪୦୪.୯୫ କୋଟି ଟଙ୍କା ଖର୍ଚ୍ଚ ମଞ୍ଜୁର କରିଛନ୍ତି। ଲୋକସଭାରେ କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖାଡ଼ଗେଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସିଏସଆର ପାଣ୍ଠିରୁ ଆଇଓସିଏଲ ୧୮୦.୪୬ କୋଟି, ଓଏନଜିସି ୧୦୭.୨୪ କୋଟି, ବିପିସିଏଲ ୩୭.୫୩ କୋଟି, ଏଚପିସିଏଲ ୩୭.୧୦ କୋଟି, ଗେଲ ୩୮.୯୩ କୋଟି ଓ ଇଆଇଏଲ ୩.୬୭ କୋଟି ଅନୁଦାନ ମଞ୍ଜୁର କରିଛନ୍ତି। ତୈଳ କମ୍ପାନୀ ସିଏସଆର ପାଣ୍ଠି ଅନୁଦାନ ଓଡ଼ିଶାର ବିଭିନ୍ନ ଅନୁଷ୍ଠାନ, ସଂଗଠନ, ବ୍ୟକ୍ତି ବିଶେଷଙ୍କୁ ଦିଆଯାଇଛି।

Photo Courtesy : India CSR Network

ରାଜ୍ୟସଭାରେ ସିଏସଆର ପାଣ୍ଠି ବିନିଯୋଗ ସଂପର୍କିତ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର କୋଇଲା ମନ୍ତ୍ରୀ ପିୟୁଷ ଗୋଏଲ ଜଣାଇଛନ୍ତି ଯେ ଗତ ଚାରି ବର୍ଷ ମଧ୍ୟରେ ଓଡ଼ିଶାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ସରକାରୀ କୋଇଲା କମ୍ପାନୀ କୋଲ ଇଣ୍ଡିଆ ସିଏସଆର ପାଣ୍ଠିରୁ ସମୁଦାୟ ୭୭୦.୨୩ କୋଟି ଖର୍ଚ୍ଚ କରିଛନ୍ତି। ଅନ୍ୟ କୌଣସି ରାଜ୍ୟ ତୁଳନାରେ ଓଡ଼ିଶାରେ କୋଲ ଇଣ୍ଡିଆ ସର୍ବାଧିକ ସିଏସଆର ପାଣ୍ଠି ଅନୁଦାନ ବିନିଯୋଗ କରିଛି। କୋଇଲା ମନ୍ତ୍ରୀ ଶ୍ରୀ ଗୋଏଲଙ୍କ ଦ୍ୱାରା ଉପସ୍ଥାପିତ ତଥ୍ୟ ଅନୁଯାୟୀ ଆର୍ଥିକ ବର୍ଷ ୨୦୧୪-୧୫ରେ ୭୩.୦୪ କୋଟି, ୨୦୧୫-୧୬ରେ ୨୫୯.୬୨ କୋଟି, ୨୦୧୬-୧୭ରେ ୧୬୯.୮୮ କୋଟି ଓ ୨୦୧୭-୧୮ରେ ୨୬୭.୬୯ କୋଟି ରାଶି ଅନୁଦାନ ସିଏସଆର ପାଣ୍ଠିରୁ ରାଜ୍ୟର ବିଭିନ୍ନ ପ୍ରକଳ୍ପରେ ଖର୍ଚ୍ଚ କରାଯାଇଛି। କେନ୍ଦ୍ର ଆଇନ, ନ୍ୟାୟ ଓ କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପି ପି ଚୌଧୁରୀ ଲୋକସଭାରେ ଓଡ଼ିଶାରେ ବିଗତ ତିନି ବର୍ଷରେ ଉଭୟ ସରକାରୀ ପରିଚାଳନାଧୀନ କମ୍ପାନୀ ଓ ଘରୋଇ କମ୍ପାନୀ ସିଏସଆର ଯୋଜନାରେ ଖର୍ଚ୍ଚ ବିବରଣୀ ତାଲିକା ଉପସ୍ଥାପନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌଧୁରୀଙ୍କ ତଥ୍ୟ ଅନୁଯାୟୀ ଓଡ଼ିଶାରେ ୨୦୧୪-୧୫ରେ ସମୁଦାୟ ୨୫୨.୧୮ କୋଟି, ୨୦୧୫-୧୬ରେ ୬୧୮.୯୧ କୋଟି ଓ ୨୦୧୬-୧୭ରେ ୩୧୧.୯୫ କୋଟି ଟଙ୍କା ସିଏସଆର ପାଣ୍ଠିରୁ ଖର୍ଚ୍ଚ କରାଯାଇଛି। ବ୍ୟୟ ତାଲିକାରେ ଉଭୟ ସରକାରୀ ଓ ଘରୋଇ କମ୍ପାନୀ ସିଏସଆର ପାଣ୍ଠି ଖର୍ଚ୍ଚ ସଂପର୍କିତ ତଥ୍ୟ ଏକାଠି ଦର୍ଶାଯାଇଛି। ସିଏସଆର ପାଣ୍ଠି ବିନିଯୋଗର ସମସ୍ତ ତଥ୍ୟକୁ ଅନୁଧ୍ୟାନ କଲେ ସରକାରୀ କମ୍ପାନୀ ଗୁଡ଼ିକ ଘରୋଇ କମ୍ପାନୀ ତୁଳନାରେ ଆଗରେ ରହିଥିବାର ଜଣାପଡ଼ୁଛି। କମ୍ପାନୀ ଆଇନ-୨୦୧୩ର ଧାରା ୧୩୫ ଅନୁଯାୟୀ ପ୍ରତ୍ୟେକ କମ୍ପାନୀ ନେଟ ଲାଭର ଦୁଇ ପ୍ରତିଶତ ଲାଭାଂଶ ବିଭିନ୍ନ ବିକାଶମୂଳକ ପ୍ରକଳ୍ପରେ ଖର୍ଚ୍ଚ କରିବେ। କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ ସ୍ୱାସ୍ଥ୍ୟ, ଶିକ୍ଷା, ଦାରିଦ୍ର୍ୟ ଦୂରୀକରଣ, କୁପୋଷଣକୁ ରୋକିବା, ସ୍ୱଚ୍ଛ ପାନୀୟ ଜଳ ଓ ପରିମଳ, ଗ୍ରାମ୍ୟ ଉନ୍ନୟନ, ପରିବେଶ ସଂରକ୍ଷଣ, ପଶୁକଲ୍ୟାଣ, ମହିଳା ସଶକ୍ତିକରଣ, ଜରା ନିବାସ ନିର୍ମାଣ, ଖେଳକୁଦକୁ ପ୍ରୋତ୍ସାହନ, କଳା ସଂସ୍କୃତିର ବିକାଶ ଓ ଐତିହ୍ୟର ସଂରକ୍ଷଣ, ସହରାଞ୍ଚଳ ବସ୍ତି ଉନ୍ନୟନ, ବୈଷୟିକ ଜ୍ଞାନ କୌଶଳ ବିକାଶ ଦିଗରେ ସିଏସଆର ପାଣ୍ଠି ଅନୁଦାନ ବିନିଯୋଗ କରାଯାଇ ପାରିବ।

Leave A Reply