ବାଙ୍ଗାଲୋରକୁ ୩ ଉଇକେଟରେ ହରାଇଲା ଚେନ୍ନାଇ

0

ଚେନ୍ନାଇ: ଶନିବାରଠାରୁ ଆରମ୍ଭ ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ୭ ଉଇକେଟରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)କୁ ହରାଇ ଦେଇଛି। ଚେନ୍ନାଇରେ ଖେଳାଯାଇଥିବା ଏହି ମ୍ୟାଚରେ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ୧୭.୧ ଓଭରରେ ସମସ୍ତ ଉଇକେଟ ହରାଇ ୭୦ ରନ ସଂଗ୍ରହ କରିଥିଲା। ଜବାବରେ ଚେନ୍ନାଇ ସୁପରକିଙ୍ଗ୍ସ ୩ ଉଇକେଟ ହରାଇ ୧୭.୪ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଚେନ୍ନାଇ ପକ୍ଷରୁ ରାୟୁଡୁ ସର୍ବାଧିକ ୨୮ ରନ୍‌ କରିଥିଲେ।

ବୋଲରମାନଙ୍କୁ ସୁହାଉଥିବା ଏହି ପିଚ୍‌ରେ ବାଙ୍ଗାଲୋର ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ମାତ୍ର ୬ ରନ କରିବାରେ ସକ୍ଷମ ହୋଇଥିଲେ। ପାର୍ଥିବ ପଟେଲ(୩୫ ରନ)ଙ୍କୁ ଛାଡ଼ି ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଚେନ୍ନାଇ ପକ୍ଷରୁ ହରଭଜନ ସିଂହ ଏବଂ ତାହିର ୩ଟି ଲେଖାଏ ଉଇକେଟ ନେଇଥିବାବେଳେ ରବୀନ୍ଦ୍ର ଜାଡେଜା ୨ଟି ଉଇକେଟ ନେବାରେ ସଫଳ ହୋଇଥିଲେ। ବିଶେଷ କରି ବାଙ୍ଗାଲୋରର ଖେଳାଳିମାନେ ସ୍ପିନରମାନଙ୍କୁ ସାମ୍ନା କରି ନ ପାରି ଜଣକ ପରେ ଜଣେ ପ୍ୟାଭିଲିଅନ ଫେରିଥିଲେ।

୭୧ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ବ୍ୟାଟିଂ ଆରମ୍ଭ କରିଥିବା ଚେନ୍ନାଇ ମଧ୍ୟ ପ୍ରଥମରୁ ଉଇକେଟ ହରାଇଥିଲା। ଦଳର ସ୍କୋର ୮ ରନ ହୋଇଥିବାବେଳେ ୩ୟ ଓଭରର ପ୍ରଥମ ବଲରେ ସେନ୍‌ ୱାଟସନ ବିନା କୌଣସି ରନ କରି ଆଉଟ ହୋଇଯାଇଥିଲେ। ଏହା ପରେ ରାୟୁଡୁ ଏବଂ ସୁରେଶ ରାଇନା ସ୍ଥିତି ସମ୍ଭାଳିଥିଲେ। ଦଳର ସ୍କୋର ୪୦ ରନ ହୋଇଥିବାବେଳେ ରାଇନା ଏବଂ ପରେ ୫୯ ରନରେ ରାୟୁଡୁ ଆଉଟ ହୋଇଥିଲେ। ଚେନ୍ନାଇ ପକ୍ଷରୁ ୩ଟି ଉଇକେଟ ନେଇଥିବା ହରଭଜନ ସିଂହ ମ୍ୟାନ ଅଫ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ।

Leave A Reply