ଏକମାତ୍ର ଟ୍ୱେଣ୍ଟି-୨୦ରେ ଦକ୍ଷିଣ ଆଫ୍ରିକା ବିଜୟୀ

0

କାରାରା : ଶନିବାର ଏଠାରେ ଖେଳାଯାଇଥିବା ସିରିଜର ଏକମାତ୍ର ଟ୍ୱେଣ୍ଟି୨୦ କ୍ରିକେଟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୨୧ ରନରେ ଘରୋଇ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ପ୍ରବଳ ବର୍ଷା ଯୋଗୁଁ ମ୍ୟାଚ ପ୍ରାୟ ଦୁଇ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ଫଳରେ ଅମ୍ପାୟାର ଏହାକୁ ୧୦ ଓଭରରେ ସୀମିତ ରଖିବାକୁ ନିଷ୍ପତ୍ତି ନେଇଥିଲେ। ଟସ୍‍ରେ ହାରି ପ୍ରଥମେ ବ୍ୟାଟିଂ ନିର୍ଦେଶ ପାଇଥିବା ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୧୦ ଓଭରରେ ୬ ୱିକେଟ ବିନିମୟରେ ୧୦୮ ରନ କରିଥିଲା। ଅଧିନାୟକ ଫାଫ୍‍ ଡୁ’ ପ୍ଲେସି ୨୭, କ୍ୱିଣ୍ଟନ ଡି’କକ୍‍ ୨୨ ଓ ରିଚା ହେଣ୍ଡ୍ରିକ୍‍ସ ୧୯ ରନ କରିଥିବାବେଳେ ଅଷ୍ଟ୍ରେଲିଆ ପକ୍ଷରୁ ନାଥାନ କୌଟର-ନାଇଲ, ଆଣ୍ଡ୍ରୁ ଟାଏ ୨ଟି ଲେଖାଏଁ ଓ ବେନ୍‍ ଷ୍ଟାନ୍‍ଲେକ୍‍, ଗ୍ଲେନ ମ୍ୟାକ୍ସୱେଲ ପ୍ରତ୍ୟେକ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ।
ଜବାବରେ ଅଷ୍ଟ୍ରେଲିଆ ୧୦ ଓଭରରେ ୭ ୱିକେଟ ହରାଇ ୮୭ ରନ କରିଥିଲା। ମ୍ୟାକ୍ସୱେଲ ସର୍ବାଧିକ ୩୮ ଓ କ୍ରିସ ଲିନ୍‍ ୧୪ ରନ କରିଥିବାବେଳେ ଅନ୍ୟ କୌଣସି ବ୍ୟାଟସମ୍ୟାନ ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିପାରିନଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏଙ୍ଗିଡି, କ୍ରିସ ମୋରିସ ଓ ଆଣ୍ଡିଲ ଫେଲୁକ୍‍ୱାୟୋ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

Leave A Reply