ବିଗ୍‌ ବାସ୍‌ ଲିଗ୍‌: ମେଲବୋର୍ଣ୍ଣ ରେନିଗେଡ୍‌ସ ଚମ୍ପିଆନ

0

ମେଲବୋର୍ଣ୍ଣ : ମେଲବୋର୍ଣ୍ଣ ରେନିଗେଡ୍‌ସ ଚଳିତବର୍ଷ ବିଗ୍‌ ବାସ୍‌ ଲିଗ୍‌ ଟ୍ବେଣ୍ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ମେଲବୋର୍ଣ୍ଣ ରେନିଗେଡ୍‌ସ ୧୩ ରନରେ ମେଲବୋର୍ଣ୍ଣ ଷ୍ଟାର୍ସକୁ ପରାସ୍ତ କରିଛି। ଟସ୍‌ରେ ହାରି ପ୍ରଥମେ ବ୍ୟାଟିଂ ନିର୍ଦେଶ ପାଇଥିବା ମେଲବୋର୍ଣ୍ଣ ରେନିଗେଡ୍‌ସ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ବିନିମୟରେ ୧୪୫ ରନ କରିଥିଲା। ୬୫ ରନରେ ୫ଟି ୱିକେଟ ହରାଇ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ଟମ କୁପର ଓ ଡାନିଏଲ ଖ୍ରିଷ୍ଟିଆନ ୬ଷ୍ଠ ୱିକେଟ ପାଇଁ ଅବିଭାଜିତ ୯.୪ ଓଭରରେ ୮୦ ରନ ଯୋଗ କରିବାରୁ ଦଳୀୟ ସ୍କୋର ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚିଥିଲା। କୁପର ୪୩ ଓ ଖ୍ରିଷ୍ଟିଆନ ୩୮ ରନରେ ଅପରାଜିତ ଥିଲେ। ମେଲବୋର୍ଣ୍ଣ ଷ୍ଟାର୍ସ ପକ୍ଷରୁ ଜ୍ୟାକସନ ବାର୍ଡ ଓ ଆଦାମ ଜମ୍ପା ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।
୧୪୬ ରନ୍‌ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ମେଲବୋର୍ଣ୍ଣ ଷ୍ଟାର୍ସର ଦୁଇ ଓପନର ବେନ୍‌ ଡଙ୍କ୍‌ (୫୭) ଓ ମାର୍କସ ଷ୍ଟୋଇନିସ (୩୯) ପ୍ରଥମ ୱିକେଟ ପାଇଁ ୧୩ ଓଭରରେ ୯୩ ରନ ଯୋଗ କରିଥିଲେ। ହାତରେ ୧୦ଟି ୱିକେଟ ଥାଇ ସେମାନେ ଅବଶିଷ୍ଟ ୭ ଓଭରରେ ବିଜୟ ପାଇଁ ୫୩ ରନ ଆବଶ୍ୟକ କରୁଥିଲେ। ତେବେ ୯୯ ରନ ମଧ୍ୟରେ ଦୁଇ ଓପନରଙ୍କ ସମେତ ୩ ଜଣ ବ୍ୟାଟସମ୍ୟାନଙ୍କ ୱିକେଟ ହରାଇବା ପରେ ଦଳୀୟ ସ୍ଥିତି ବିପନ୍ନ ହୋଇ ପଡିଥିଲା। ପରବର୍ତ୍ତୀ ପାଞ୍ଚଜଣ ବ୍ୟାଟସମ୍ୟାନ ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାରେ ବିଫଳ ହେବାରୁ ମେଲବୋର୍ଣ୍ଣ ଷ୍ଟାର୍ସ ୨୦ ଓଭରରେ ୭ ୱିକେଟରେ ୧୩୨ ରନ କରିଥିଲା। ମେଲବୋର୍ଣ୍ଣ ରେନିଗେଡ୍‌ସ ପକ୍ଷରୁ କ୍ରିସ ଟ୍ରିମେନ୍‌, କାମେରନ ବଏସ୍‌ ଓ ଡାନିଏଲ ଖ୍ରିଷ୍ଟିଆନ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିବାବେଳେ ହ୍ୟାରୀ ଗୁର୍ନିଙ୍କୁ ଗୋଟିଏ ୱିକେଟ ମିଳିଥିଲା। ଡାନିଏଲ ଖ୍ରିଷ୍ଟିଆନ ‘ପ୍ଲେୟାର ଅଫ୍‌ ଦି ମ୍ୟାଚ’ ହୋଇଛନ୍ତି।

Leave A Reply