ଦୁଇ ଟେଷ୍ଟ, ଚାରି ଦିନିକିଆରୁ ବାସନ୍ଦ ହେଲେ ଶ୍ରୀଲଙ୍କା ଅଧିନାୟକ, ପ୍ରଶିକ୍ଷକ ଓ ମ୍ୟାନେଜର

0

କଲମ୍ବୋ : ଶ୍ରୀଲଙ୍କା କ୍ରିକେଟ୍‍ ଦଳର ଅଧିନାୟକ ଦିନେଶ ଚାନ୍ଦିମାଲ୍‍, ମୁଖ୍ୟ ପ୍ରଶିକ୍ଷକ ଚନ୍ଦିକା ହାତୁରୁସିଂଘା ଓ ମ୍ୟାନେଜର ଆଶଙ୍କା ଗୁରୁସିଂଘାଙ୍କୁ ୨ଟି ଟେଷ୍ଟ ଓ ୪ଟି ଦିନିକିଆରୁ ବାସନ୍ଦ କରିଛି ଆଇସିସି। ଖେଳୁଆଡ଼ ମନୋଭାବ ବିପରୀତ ଆଚରଣ ପ୍ରଦର୍ଶନ କରିଥିବାରୁ ଏମାନଙ୍କୁ ବାସନ୍ଦ କରାଯାଇଥିବା ଆଇସିସି ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।
ଏହି ବାସନ୍ଦାଦେଶ ପରେ ଏହି ୩ଜଣ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜ୍‍ର ୨ଟି ମ୍ୟାଚ୍‍ ଓ ଦିନିକିଆ ସିରିଜ୍‍ର ୪ଟି ମ୍ୟାଚ୍‍ରୁ ବାଦ୍‍ ପଡ଼ିଛନ୍ତି। ସୂଚନାଥାଉକି ଗତ ଜୁନ୍‍ରେ ସେଣ୍ଟ ଲୁସିଆରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‍ ସମୟରେ ଶ୍ରୀଲଙ୍କା ଖେଳାଳିଙ୍କ ବିରୋଧରେ ବଲ୍‍ ଟାମ୍ପରିଂ ଅଭିଯୋଗ ଆସିଥିଲା। ଏହାକୁ ବିରୋଧ କରି ଶ୍ରୀଲଙ୍କା ଖେଳାଳିମାନେ ଦୀର୍ଘ ସମୟ ଧରି ପଡ଼ିଆକୁ ଆସିନଥିଲେ। ଫଳରେ ମ୍ୟାଚ୍‍ ବିଳମ୍ବିତ ହୋଇଥିଲା। ସେତେବେଳେ ମ୍ୟାଚ୍‍ ରେଫରୀ ୱେଷ୍ଟଇଣ୍ଡିଜକୁ ୫ ପେନାଲ୍‍ଟି ରନ୍‍ ପ୍ରଦାନ କରିଥିଲେ। ଏହି ମାମଲାର ବିଚାର କରି ଆଇସିସି ଚାନ୍ଦିମାଲ୍‍, ହାତୁରୁସିଂଘା ଓ ଗୁରୁସିଂଘାଙ୍କୁ ଆଚରଣ ବିଧିର ନିୟମ ୨.୩.୧ ଭଙ୍ଗ କରିଥିବା ଦର୍ଶାଇଥିଲା। ଏହି ନିୟମ ଅନୁଯାୟୀ ଖେଳୁଆଡ଼ ମନୋଭାବ ବିପରୀତ ଆଚରଣ ନିମନ୍ତେ ଏହି ୩ଜଣଙ୍କୁ ୨ଟି ଟେଷ୍ଟ ଓ ୪ଟି ଦିନିକିଆରୁ ବାଦ୍‍ ଦିଆଯାଇଥିବା ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ୍‍ ରିଚାର୍ଡସନ୍‍ ସୂଚନା ଦେଇଛନ୍ତି। ଆଇସିସି ତରଫରୁ ଗତ ୧୧ ତାରିଖରେ ଭିଡିଓ କନ୍‍ଫରେନ୍ସିଂ ଜରିଆରେ ଏହି ମାମଲାର ଶୁଣାଣି କରାଯାଇଥିଲା। ଦୀର୍ଘ ୬ ଘଣ୍ଟାର ଶୁଣାଣି ପରେ ଏହି ଦଣ୍ଡାଦେଶ ଘୋଷଣା କରାଯାଇଥିଲା।

Leave A Reply