୫ମ ଟେଷ୍ଟ ପରେ ଅବସର ନେବେ କୁକ୍‍

0

ଲଣ୍ଡନ୍‍ : ଇଂଲଣ୍ଡ ଦଳର ପୂର୍ବତନ ଅଧିନାୟକ ତଥା ଇଂଲଣ୍ଡ ପାଇଁ ଟେଷ୍ଟ କ୍ରିକେଟ୍‍ରେ ସର୍ବାଧିକ ରନ୍‍ ସ୍କୋର୍‍ କରିଥିବା ଆଲଷ୍ଟାୟାର କୁକ୍‍ ଆଉ ମାତ୍ର ଗୋଟିଏ ଟେଷ୍ଟମ୍ୟାଚ୍‍ ଖେଳିବେ। ଆସନ୍ତା ୭ରୁ ଭାରତ ବିପକ୍ଷରେ ଚଳିତ ଟେଷ୍ଟ ସିରିଜ୍‍ର ୫ମ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‍ ପରେ ଆନ୍ତର୍ଜାତିକ କ୍ରିକେଟ୍‍ରୁ ଅବସର ନେବାକୁ ଘୋଷଣା କରିଛନ୍ତି କୁକ୍‍। ଉକ୍ତ ମ୍ୟାଚ୍‍ ୩୩ ବର୍ଷ ବୟସ୍କ ବାମହାତି ଓପ୍‍ନର ଆଲଷ୍ଟାୟାର କୁକ୍‍ଙ୍କର ୧୬୧ତମ ଟେଷ୍ଟମ୍ୟାଚ୍‍ ହେବ। ଅଦ୍ୟାବଧି ୧୬୦ଟି ଟେଷ୍ଟରୁ କୁକ୍‍ ୪୪.୮୮ ଆଭ୍‍ରେଜ୍‍ରେ ୩୨ଟି ଶତକ ଓ ୫୬ଟି ଅର୍ଦ୍ଧଶତକ ସହ ୧୨,୨୫୪ ରନ୍‍ ସ୍କୋର୍‍ କରିଛନ୍ତି। ୨୦୧୧ ସିରିଜ୍‍ରେ ଭାରତ ବିପକ୍ଷରେ ବର୍ମିଂହାମ୍‍ରେ ୨୯୪ ରନ୍‍ କୁକ୍‍ଙ୍କର ସର୍ବାଧିକ ଟେଷ୍ଟ ସ୍କୋର୍‍। କୁକ୍‍ ଇଂଲଣ୍ଡକୁ କ୍ରମାଗତ ୧୫୮ଟି ଟେଷ୍ଟ ମ୍ୟାଚ୍‍ରେ ପ୍ରତିନିଧିତ୍ୱ କରିଛନ୍ତି; ଯାହାକି ଏକ ବିଶ୍ୱରେକର୍ଡ।
ଭାରତ ବିପକ୍ଷ ଚଳିତ ଟେଷ୍ଟ ସିରିଜ୍‍ରେ ଆଲଷ୍ଟାୟାର କୁକ୍‍ ଦୁର୍ବଳ ପ୍ରଦର୍ଶନ କରିଛନ୍ତି। ୪ଟି ଟେଷ୍ଟର ୭ଟି ଇନିଂସରୁ କୁକ୍‍ ମାତ୍ର ୧୦୯ ରନ୍‍ କରିଛନ୍ତି। ଏପରି ପ୍ରଦର୍ଶନ ପରେ କୁକ୍‍ଙ୍କ ଭବିଷ୍ୟତ ନେଇ ଇଂଲଣ୍ଡର ମନୋନୟନକାରୀ କଳ୍ପନା ଜଳ୍ପନା ଆରମ୍ଭ କରି ଦେଇଥିଲେ। ତେବେ ସୋମବାର ଟେଷ୍ଟ କ୍ରିକେଟ୍‍ରୁ ଅବସର ଘୋଷଣା କରିଛନ୍ତି ନିଜ ଭବିଷ୍ୟତର ନିଷ୍ପତ୍ତି କୁକ୍‍ ନିଜେ ନେଇଛନ୍ତି। କୁକ୍‍ କହିଛନ୍ତି, ଗତ କିଛିମାସ ଧରି ମୋର କ୍ରିକେଟ ଜୀବନ ନେଇ ବହୁତ ଭାବିଛି ଏବଂ ବେଶ୍‍ ଆଲୋଚନା କରିଛି। ଭାରତ ବିପକ୍ଷ ଟେଷ୍ଟ ସିରିଜ୍‍ ପରେ ଆନ୍ତର୍ଜାତିକ କ୍ରିକେଟ୍‍ରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି। ମୋ ପାଇଁ ଏହା ନିଶ୍ଚିତ ଦୁଃଖର ଦିନ। ତଥାପି ହସିହସି ଏପରି ନିଷ୍ପତ୍ତି ନେଉଛି। କାରଣ ଇଂଲଣ୍ଡ ଦଳକୁ ମୋର ସବୁକିଛି ଦେଇଛି ଏବଂ ଦେବାକୁ ମୋ ପାଖରେ ଆଉ କିଛି ବାକିନାହିଁ। କ୍ରିକେଟ ଜୀବନର ଆରମ୍ଭରେ ଯାହା ହାସଲ କରିବାର ଆଶା ରଖିଥିଲି; ତା’ଠାରୁ ଢେର୍‍ ଅଧିକ ପାଇଛି। କିଛି ମହାନ୍‍ ଖେଳାଳିଙ୍କ ସହ ଇଂଲଣ୍ଡ ପାଇର୍ ଏତେ ବର୍ଷ ଖେଳିଥିବାରୁ ନିଜକୁ ଧନ୍ୟ ମନେକରୁଛି। ମୋର ସାଥୀ ଖେଳାଳିଙ୍କ ସହ ଡ୍ରେସିଂରୁମ୍‍ରେ ନ ରହିବା ମୋ ନିଷ୍ପତ୍ତିର ସବୁଠାରୁ କଠିନ ଅଂଶ ଥିଲା। ତେବେ ମୁଁ ଭାବୁଛି ଯେ ଅବସର ନେବାର ଏହା ହିଁ ସଠିକ୍‍ ସମୟ। ପିଲାଦିନେ ବଗିଚାରେ ଖେଳିବାଠାରୁ ଅଦ୍ୟାବଧି କ୍ରିକେଟକୁ ବହୁତ ଭଲପାଇଛି। କୁକ୍‍ ସ୍ୱୀକାର କରିଛନ୍ତି ଯେ ତାଙ୍କ କ୍ରିକେଟ ଜୀବନକୁ ଗଢ଼ିବାରେ ପୂର୍ବତନ ଅଧିନାୟକ ଗ୍ରାହାମ୍‍ ଗୁଚ୍‍ଙ୍କର ବଡ଼ ଭୂମିକା ଥିଲା।
ଏହା ସତ ଯେ ଆଲଷ୍ଟାୟାର କୁକ୍‍ଙ୍କ ପାଖରେ ଡେଭିଡ୍‍ ଗୱରଙ୍କ ପରି ଷ୍ଟାଇଲ୍‍ କିମ୍ବା କେଭିନ୍‍ ପିଟରସନ୍‍ଙ୍କ ପରି ଷ୍ଟ୍ରୋକ୍‍ ଖେଳିବାର ଦକ୍ଷତା ନଥିଲେ ବି ରନ୍‍ ସ୍କୋର୍‍ କରିବାରେ କୁକ୍‍ ଥିଲେ ସିଦ୍ଧହସ୍ତ। ତାଙ୍କର ଏକାଗ୍ରତା ଏବଂ ୱିକେଟରେ ଦୀର୍ଘ ସମୟ ରହିବାର ଦକ୍ଷତା ଯୋଗୁଁ କୁକ୍‍ଙ୍କୁ ଆଧୁନିକ କ୍ରିକେଟ୍‍ରେ ଅନ୍ୟତମ ମହାନ୍‍ ବ୍ୟାଟ୍‍ସମ୍ୟାନ୍‍ର ମାନ୍ୟତା ମିଳିଛି।
୨୦୧୨ରେ ତାଙ୍କ ନେତୃତ୍ୱର ଭାରତମାଟିରେ ୨-୧ରେ ଇଂଲଣ୍ଡ ଟେଷ୍ଟ ସିରିଜ୍‍ ଜିତିବା କୁକ୍‍ଙ୍କ ଟେଷ୍ଟ ଜୀବନର ଅନ୍ୟତମ ସଫଳତା ଥିଲା। କେବଳ ଏତିକି ନୁହେଁ; ଏହି ସିରିଜ୍‍ରେ କୁକ୍‍ ୧୭୬, ୧୨୨ ଓ ୧୯୦ ରନ୍‍ ସ୍କୋର୍‍ କରିଥିଲେ। ୨୦୦୬ରେ ୨୧ ବର୍ଷ ବୟସରେ ନାଗପୁରରେ ଭାରତ ବିରୋଧରେ ଆଲଷ୍ଟାୟାର କୁକ୍‍ ଟେଷ୍ଟ ଜୀବନ ଆରମ୍ଭକରି ଏହି ମ୍ୟାଚ୍‍ରେ ହିଁ ଶତକ ମାରିଥିଲେ। ୨୦୧୦-୧୧ରେ ଦୀର୍ଘ ୨୦ ବର୍ଷ ପରେ ଇଂଲଣ୍ଡ ଆସେସ୍‍ ସିରିଜ୍‍ ଜିତିଥିବା ବେଳେ କୁକ୍‍ ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ।

Leave A Reply