ଦୁଷ୍କର୍ମ ନିବାରଣ ପାଇଁ ଜନସଚେତନତା ଓ ତ୍ୱରିତ ନ୍ୟାୟ ଆବଶ୍ୟକ : ‘ଦୁଷ୍କର୍ମ ନିବାରଣ ଅଭିଯାନ’

ଆଇନରେ ବ୍ୟାପକ ପରିବର୍ତ୍ତନ ଆସିବା ପରେ ମଧ୍ୟ ଓଡିଶାରେ ଦୁଷ୍କର୍ମ ଅଭିଯୋଗ ଅହେତୁକ ଭାବେ ବୃଦ୍ଧି, ଗଣ ସମ୍ମିଳନୀରେ ଉଦବେଗ

ଭୁବନେଶ୍ୱର : ମହିଳା ଓ ବାଳିକାମାନଙ୍କୁ ଯେପରି ଦୁଷ୍କର୍ମରୁ ସୁରକ୍ଷା ଦିଆଯାଇପାରିବ ସେଥିପାଇଁ ୧୬୦ ବର୍ଷ ପୂର୍ବରୁ ଭାରତୀୟ ଦଣ୍ଡବିଧି ସଂହିତାରେ ବ୍ୟବସ୍ଥା ଥିବା ସତ୍ତ୍ବେ ଏବଂ ଦିଲ୍ଲୀରେ ନିର୍ଭୟା ଘଟଣା ଘଟିବା ପରେ ଆଇନରେ ବ୍ୟାପକ ପରିବର୍ତ୍ତନ ଅଣାଯାଇଛି। କିନ୍ତୁ ଏହା ପରେ ମଧ୍ୟ ଓଡିଶାରେ ଦୁଷ୍କର୍ମ ଅଭିଯୋଗ ଅହେତୁକ ଭାବେ ବୃଦ୍ଧି ପାଇଛି।
ଏଭଳି ଘଟଣା ରାଷ୍ଟ୍ର ଓ ସମାଜ ପାଇଁ ଚିନ୍ତାଜନକ ପାଲଟିଛି। ଏହି ମର୍ରେମରେ ଦୁଷ୍କର୍ମର କାରଣ ଓ ନିରାକରଣ ସମ୍ପର୍କରେ ସମ୍ମିଳିତ ଉଦ୍ୟମ ହେବା ଉଚିତ୍‍ ବୋଲି ଇଡ୍‍କଲ୍‍ ଅଡିଟୋରିୟମରେ ‘ଦୁଷ୍କର୍ମ ନିବାରଣ ଅଭିଯାନ’ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଗଣ ସମ୍ମିଳନୀରେ ମତ ପ୍ରକାଶ ପାଇଛି।

ଏହି କାର୍ଯ୍ୟକ୍ରମରେ ଦୁଷ୍କର୍ମ ନିବାରଣ ଅଭିଯାନର ମୁଖ୍ୟ ଆବାହକ ଡ. ବିକାଶ ଦାସ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ, ରାଜ୍ୟରେ ବଢି ଚାଲୁଥିବା ଦୁଷ୍କର୍ମକୁ ରୋକିବା ଅପରିହାର୍ଯ୍ୟ ହୋଇପଡିଛି । ନିକଟ ଅତୀତରେ ଏ ସମ୍ପର୍କରେ ବିଧାନସଭାରେ ଆଲୋଚନା କରାଯାଇ ରାଜ୍ୟ ସରକାର ଏକ ଶ୍ୱେତପତ୍ର ଉପସ୍ଥାପନ କରିଥିଲେ। ଏଥିରୁ ଜଣାପଡିଛି ଯେ ବିଗତ ବର୍ଷମାନଙ୍କରେ ଦୁଷ୍କର୍ମ ସଂଖ୍ୟା ବହୁଳଭାବେ ବୃଦ୍ଧି ପାଇଛି। ଗତ ୨୦୧୪ ମସିହାରେ ୧୯୭୮ଟି  ଦୁଷ୍କର୍ମ ମାମଲା ହୋଇଥିବାବେଳେ ୨୦୧୫ ମସିହାରେ ୨୨୫୧ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି।

ସେହିପରି ୨୦୧୬ ମସିହାରେ ୧୯୮୩ ମାମଲା, ୨୦୧୭ ମସିହାରେ ୨୨୨୧ ମାମଲା ଏବଂ ୨୦୧୮ ମସିହାରେ ୨୫୦୨ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ୨୦୧୯ ପ୍ରଥମ ତିନି ମାସରେ ୫୫୨ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ସେହିପରି ଶିଶୁ ଯୌନ ନିର୍ଯାତନା ମଧ୍ୟ ବୃଦ୍ଧି ପାଇଥିବା ଦୃଷ୍ଟିଗୋଚର ହୋଇଛି। ମାତ୍ର ନ୍ୟାୟ ପ୍ରଦାନ କ୍ଷେତ୍ରରେ ଅଧିକ ବିଳମ୍ବ ହେତୁ ଦୁଷ୍କର୍ମ ପିଡୀତାମାନେ କଠିନ ସମସ୍ୟାର ସମ୍ମୁଖୀନ ହେବା ସହ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି।

 

ପୂର୍ବ ଆୟକର ବିଭାବଗର ସରତ ଦାସ ତାଙ୍କ ଭାଷଣରେ କହିଥିଲେ ଯେ ,ଏଭଳି ଘଟଣା ନହେବା ପାଇଁ ନ୍ୟାୟିକ ପ୍ରକ୍ରିୟା ଶୀଘ୍ର ପୂରଣ କରିବା ଆବଶ୍ୟକ। ବରିଷ୍ଠ ଓକିଲ ମାନସ ମହାପାତ୍ର ଯୋଗଦେଇ କହିଥିଲେ ଯେ, ଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ସୁବିଧା ନିଶୁଳ୍କ ଭାବେ ଦେଇ ତାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପୂରଣ କରିବା ଆବଶ୍ୟକ।

ବରିଷ୍ଠ ସାମ୍ବାଦିକ ତଥା ଦୁଷ୍କର୍ମ ନିବାରଣ ଅଭିଯାନର ଅଧ୍ୟକ୍ଷ ପ୍ରଦୋଷ ପଟ୍ଟନାୟକ ଏହି ନାଗରିକ ସମ୍ମିଳନୀରେ ଯୋଗ ଦେଇ କହିଲେ ଯେ, ଆଇନ ଥିବା ସତ୍ତ୍ବେ ଦୁଷ୍କର୍ମ ମାମଲା ବୃଦ୍ଧି ନାଗରିକ ସମାଜକୁ ବ୍ୟଥିତ କରିଛି। ଏପରି କ୍ଷେତ୍ରରେ ନାଗରିକ ସମାଜ ନିରବଦ୍ରଷ୍ଟା ହୋଇ ବସି ପାରିବେନି। ତେଣୁ ଏହାକୁ କିପରି ପ୍ରତିହତ କରାଯିବ ସେ ସମ୍ପର୍କରେ ଜନମତ ସଂଗ୍ରହ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଦୁଷ୍କର୍ମ ନିବାରଣ ଅଭିଯାନ ପକ୍ଷରୁ ଆୟୋଜିତ ଗଣ ସମ୍ମିଳନୀକୁ ଉଦ୍‍ଘାଟନ କରି ରାଜ୍ୟ ମାନବିକ ଅଧିକାର ଆୟୋଗର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଜଷ୍ଟିସ୍‍ ବୀର କିଶୋର ମିଶ୍ର ପ୍ରଚଳିତ ଆଇନ ଓ ସର୍ବୋଚ୍ଚ ନ୍ୟାୟାଳୟଙ୍କ ବିଭିନ୍ନ ରାୟ ସମ୍ପର୍କରେ ଆଲୋଚନା କରି ତ୍ୱରିତ ନ୍ୟାୟ ଉପରେ ଗୁରୁତ୍ୱାରୋପ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ, ପଞ୍ଚାନନ କାନୁନ୍‍ଗୋ, ଡଃ ସେବା ମହାପାତ୍ର, ଡ. ଜ୍ୟୋସ୍ନା ମହାପାତ୍ର, ହାଇକୋର୍ଟ ବାର୍‍ ଆସୋସିଏସନ୍‍ ସଭାପତି ଗୋପାଳକୃଷ୍ଣ ମହାନ୍ତି, ମହିଳା ଅଧିକାର ପ୍ରବକ୍ତା ଶୁଭଶ୍ରୀ ଦାସ, ଦିପ୍ତୀ ଦେବୀ, ସାମ୍ବାଦିକ ସୁଜାତା ସିଂ, ସମାଜ ବିଜ୍ଞାନୀ ସତ୍ୟଜିତ୍‍ ମହାପାତ୍ର, ସୁନିତା ମହାପାତ୍ର, ନରୋତ୍ତମ ଦାସ, ଆଡ୍‍ଭୋକେଟ୍‍ ସଙ୍ଗୀତା ମାଝୀ,
ରାଷ୍ଟ୍ରୀୟ ଯୁବ ପ୍ରକଳ୍ପର ମଧୁସୁଦନ ଦାସ, ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ଅଞ୍ଚଳରୁ ୪ ଶହ ପ୍ରତିନିଧି ଯୋଗ ଦେଇ ଦୁଷ୍କର୍ମର କାରଣ ଓ ନିବାରଣ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଆଲୋଚନାର ନିଷ୍କର୍ଷକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ଦୁଷ୍କର୍ମ ନିବାରଣ ଅଭିଯାନ ପକ୍ଷରୁ ଅମୀୟବାଳା ପରିଡା କହିଛନ୍ତି।

Comments are closed.