ବରଗଡ଼ରେ ଦେଶୀ ବନ୍ଧୁକ କାରଖାନା ଠାବ : ୩ ଯୁବକ ଗିରଫ, ୩ ବନ୍ଧୁକ, ୨ ପିସ୍ତଲ୍‌ ଜବତ

0
-ପିସ୍ତଲ ତିଆରି କରୁଥିଲେ ଆଇଟିଆଇ ପ୍ରଶିକ୍ଷିତ,-ୟୁଟ୍ୟୁବ୍‌ରୁ ସଂଗ୍ରହ କରିଥିଲେ ନିର୍ମାଣ କୌଶଳ

ବରଗଡ଼ : ବରଗଡ଼ ଜିଲାରେ ଏକ ଦେଶୀ ବନ୍ଧୁକ ତିଆରି କାରଖାନାକୁ ଠାବ କରିଛି ପୁଲିସ। ଏହି ବନ୍ଧୁକ କାରଖାନାରୁ ଗୋଟିଏ ପିସ୍ତଲ, ୩ଟି ବନ୍ଧୁକ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ଜବତ କରାଯାଇଛି । ପୁଲିସ ସମ୍ପୃକ୍ତ ଯୁବକ ଓ ତାଙ୍କଠାରୁ ଗୋଟିଏ ପିସ୍ତଲ କିଣିଥିବା ୨ ଜଣଙ୍କୁ ଗିରଫ କରିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି ।
ରବିବାର ବରଗଡ଼ ଉପକଣ୍ଠସ୍ଥ ଏକାମ୍ରଛକ ଠାରେ ସଦର ଥାନା ପୁଲିସ ପକ୍ଷରୁ ବିଭିନ୍ନ ଗାଡ଼ି ମୋଟର ଯାଞ୍ଚ ସମୟରେ ଚାରପାଲି ଗ୍ରାମର ବାହାଦୁର ପ୍ରଧାନ ଓ ମନବୋଧ ଭୁଏଙ୍କ ବଜାଜ ସିଟି ବାଇକ୍‌(ନଂ. ଓଡି-୧୭ ଏଫ୍‌ ୫୦୭୭) ଯାଞ୍ଚ କରିଥିଲେ। ଏହି ସମୟରେ ଗାଡ଼ିରେ ଏକ ପିସ୍ତଲ ଥିବା ପୁଲିସ ଅଧିକାରୀମାନେ ଦେଖିଥିଲେ। ପୁଲିସ ଅଧିକାରୀ ଏହି ପିସ୍ତଲ୍‌ର କାଗଜପତ୍ର ଯୁବକ ଦ୍ୱୟଙ୍କୁ ମାଗିଥିଲେ ହେଁ ସେମାନେ ଏ ସମ୍ପର୍କରେ କୌଣସି ତଥ୍ୟ ଦେଇ ପାରି ନ ଥିଲେ। ଏହାବ୍ୟତୀତ ପିସ୍ତଲର ଲାଇସେନ୍ସ ମଧ୍ୟ ସେମାନଙ୍କ ନିକଟରେ ନ ଥିଲା। ପୁଲିସ ଉଭୟଙ୍କୁ ଅଟକ ରଖି ଜେରା କରିବା ପରେ ସେମାନେ ବରପାଲି ଥାନା ଅନ୍ତର୍ଗତ ବଝାପଦର ଗ୍ରାମର ଜିତୁ ବିଶ୍ୱାଳଙ୍କଠାରୁ ପିସ୍ତଲ କିଣିଥିବା ପ୍ରକାଶ କରିଥିଲେ। ପୁଲିସ ତୁରନ୍ତ ବଝାପଦର ଯାଇ ଜିତୁର ଘରକୁ ଚଢ଼ାଉ କରିଥିଲା। ସେଠାରୁ ପୁଲିସ ଗୋଟିଏ ପିସ୍ତଲ୍‌, ୩ ଟି ବନ୍ଧୁକ ଏବଂ ଏହା ନିର୍ମାଣ କରିବା ପାଇଁ ବ୍ୟବହାର କରାଯାଉଥିବା ସରଞ୍ଜାମ ଲୁହା ପାଇପ୍‌, ଗଛ ଏବଂ ବିଭିନ୍ନ ଯନ୍ତ୍ରାଂଶ ଜବତ କରିଛି ଓ ତାଙ୍କୁ ଗିରଫ କରିଛି ।

ଜିତୁ ଆଇଟିଆଇ ଛାତ୍ର ଥିବାବେଳେ ୟୁଟ୍ୟୁବ୍‌ରୁ ଦେଶୀ ବନ୍ଧୁକ ତିଆରି କୌଶଳ ଶିଖିବା ଆରମ୍ଭ କରିଥିଲା। ପରେ ସେ ବନ୍ଧୁକ ନିର୍ମାଣ କରିବା କୌଶଳ ଶିଖିବା ସହ ଏହା ନିର୍ମାଣ କରିବା ପାଇଁ ଆଗ୍ରହ ପ୍ରକାଶ କରି ସଫଳ ମଧ୍ୟ ହୋଇଥିଲା। ନିର୍ମାଣ କରିବା ପରେ ପ୍ରଥମ ଥର ପାଇଁ ବାହାଦୁର ପଧାନଙ୍କୁ ଏକ ପିସ୍ତଲ୍‌ ବିକ୍ରି କରିଥିବା ପୋଲିସ୍‌ ସୂତ୍ରରୁ ଜଣା ପଡ଼ିଛି। ଏହି ଘଟଣାରେ ବରଗଡ଼ ସଦର ଥାନାରେ କେଶ ନଂ.୪୬ ଦଫା ୨୫ (୧-ଏ)/(୧)(ଏ) ଆଗ୍ନେୟାସ୍ତ୍ର ଆଇନରେ ମାମଲା ରୁଜୁ କରି ତିନିଜଣଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସଦର ଥାନା ଅଧିକାରୀ କଲ୍ୟାଣୀ ବେହେରା ସୂଚନା ଦେଇଛନ୍ତି । ଗିରଫ ହୋଇଥିବା ଏହି ତିନି ଅଭିଯୁକ୍ତଙ୍କ ନାମରେ ଆଗରୁ କୌଣସି ଅପରାଧିକ ଅଭିଯୋଗ ନ ଥିବା ମଧ୍ୟ ସେ କହିଛନ୍ତି ।

Leave A Reply