ଦୁର୍ନୀତିକୁ ନୀତି କରୁଛନ୍ତି ମୁଖ୍ୟମନ୍ତ୍ରୀ; ଦାମ

0

ଭୁବନେଶ୍ୱର : ସୋମବାର ପୁଣି ଗଣମାଧ୍ୟମ ସମ୍ମୁଖରେ ବିଜେଡି ଦଳର ବହିଷ୍କୃତ ବରିଷ୍ଠ ନେତା ଦାମୋଦର ରାଉତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ସୂର୍ୟ୍ୟ ନାରାୟଣ ପାତ୍ର ଓ ସମୀର ଦାଶଙ୍କୁ ଟାର୍ଗେଟ କରି ବର୍ଷିଛନ୍ତି । ସୂର୍ୟ୍ୟ ଜଣେ ନୀତିହୀନ, ଭ୍ରଷ୍ଟ ଓ ଦୁର୍ନୀତିଗ୍ରସ୍ତ ଲୋକ । ପଇସା ପାଇଁ ପୁଅର ବାପା ନାଁ ବି ବଦଳାଇ ଦେଇପାରନ୍ତି । ସୂର୍ଯ୍ୟ ପଚାସଢା ଲୋକ , ସେ ଗଡଫାଦରଙ୍କୁ ପୂଜା କରୁଛନ୍ତି । ଫ୍ୟାରୀ ବାବୁ ସୂର୍ଯ୍ୟଙ୍କୁ କ’ଣ ଦାନ କରିଥିଲେ ତାର ଫଟୋ ଅଛି ବୋଲି ଦାମ କହିଛନ୍ତି ।

ସେହିଭଳି ମଦ ଦୋକାନ ଲାଇସେନ୍ସ ପ୍ରଦାନ ଅଭିଯୋଗ ପ୍ରସଙ୍ଗରେ ଦାମ କହିଛନ୍ତି ଯେ, ଇଚ୍ଛାକୃତ ଭାବେ ମୋତେ ଅବକାରୀ ବିଭାଗ ଦିଆଯାଇଥିଲା। କେହି ମଦ ପିଇ ମଲେ, ମୋତେ ଇସ୍ତଫା ଦେବାକୁ ପଡିବ କୁହାଯାଇଥିଲା । ୩ ବର୍ଷ ମନ୍ତ୍ରୀ ରହିଲି, ଜଣେ ବି କେହି ମଦ ପିଇ ମଲେନି । ମୋ ସମୟରେ ରାଜସ୍ବ ବଢିଛି, କେଉଁଠି ଅନ୍ୟାୟ କରାଯାଇନାହିଁ।

ଦାମ ବାବୁ ଆହୁରି ମଧ୍ୟ କହିଛନ୍ତି, ବିଜୁ ବାବୁ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ମାଡ଼ ଦେବାକୁ କହିଥିଲେ ହେଲେ ତାଙ୍କ ପୁଅ ନବୀନ ଦୁର୍ନୀତିକୁ ନୀତି କରିସାରିଲେଣି ।

ଅପରପକ୍ଷରେ ଗ୍ୟାଙ୍ଗଷ୍ଟର ଟିଟୋ ସହ ଦାମଙ୍କ ଲିଙ୍କ୍ ଥିବା ନେଇ ମନ୍ତ୍ରୀ ସୂର୍ୟ୍ୟ ନାରାୟଣ ପାତ୍ର ଅଭିଯୋଗ ଆଣିଥିଲେ । ଟିଟୋ ସହ ଦାମଙ୍କ ସଂମ୍ପୃକ୍ତି ରହିଛି, ତଦନ୍ତ ପରେ ତଥ୍ୟ ସାମ୍ନାକୁ ଆସିବ ବୋଲି ସୂର୍ଯ୍ୟପାତ୍ର କହିଥିଲେ । ଦାମ ଜଣେ ଦୋମୁହାଁ ବ୍ୟକ୍ତି, ରାଜ୍ୟବାସୀ ତାଙ୍କୁ କ୍ଷମା ଦେବେନି । ମନ୍ତ୍ରୀପଦ ଥିବା ଯାଏଁ ମୁଖ୍ୟମନ୍ତ୍ରୀ ଭଲ ଥିଲେ । ମନ୍ତ୍ରୀପଦ ଗଲା ପରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣୁଛନ୍ତି । ତାଙ୍କୁ ଦଳରୁ ବହିଷ୍କାର କରିବା ବ୍ୟତିତ ଅନ୍ୟ କୌଣସି ବାଟ ନ ଥିଲା ବୋଲି ସୂର୍ଯ୍ୟପାତ୍ର କହିଛନ୍ତି ।

ଏହାର ପାଲଟା ଜବାବରେ ପ୍ରତିକ୍ରିୟା ରଖି ଦାମ କହିଛନ୍ତି, ଟଙ୍କା ଓ କ୍ଷମତା ପାଇଁ ସୂର୍ଯ୍ୟପାତ୍ର ସବୁ କିଛି କରିପାରନ୍ତି । ଟିଟୋ ସହ କିଏ ସଂଶ୍ଳିଷ୍ଟ ରହିଛି ତାହା ଅଳ୍ପ ଦିନରେ ଜଣାପଡିବ ।

ସେହିପରି ସାମ୍ବାଦିକଙ୍କ ଆହୁରି ଅନେକ ପ୍ରଶ୍ନରେ ଦାମ ବାବୁ ବେକାର କଥା କହି ଏଡେଇ ଦେଇଥିଲେ । ତାଙ୍କ ପୁଅ ସମ୍ବିତ ରାଉତଙ୍କ ରାଜନୌତିକ ଜୀବନର କିଛି ପ୍ରଶ୍ନକୁ ସେ ଅଣଦେଖା କରିଥିଲେ ।

Leave A Reply