ଜୀବନର ପ୍ରଥମ ଓ ଅନ୍ତିମ ଟେଷ୍ଟରେ ଶତକ

0

ଲଣ୍ଡନ : ୨୦୦୬ରେ ନାଗପୁରରେ ଭାରତ ବିପକ୍ଷରେ ଜୀବନର ପ୍ରଥମ ଟେଷ୍ଟମ୍ୟାଚ୍‍ ଖେଳି ଶତକ ମାରି ଆନ୍ତର୍ଜାତିକ କ୍ରିକେଟ ଜୀବନ ଆରମ୍ଭ କରିଥିଲେ ଆଲଷ୍ଟାୟାର କୁକ୍‍। ଇଂଲଣ୍ଡର ଏହି ଷ୍ଟାଇଲିସ୍‍ ବାମହାତି ଜୀବନର ଅନ୍ତିମ ଟେଷ୍ଟମ୍ୟାଚ୍‍ରେ ମଧ୍ୟ ଶତକ ମାରିଛନ୍ତି। ଭାରତ ବିପକ୍ଷ ଚଳିତ ୫ମ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‍ର ୨ୟ ଇନିଂସରେ କୁକ୍‍ ଶତକ ମାରିଛନ୍ତି। ଏହା କୁକ୍‍ଙ୍କ ଜୀବନର ୩୩ତମ ଟେଷ୍ଟ ଶତକ। ଜୀବନର ପ୍ରଥମ ଏବଂ ଶେଷ ଟେଷ୍ଟରେ ଶତକ ମାରିବାରେ ଆଲଷ୍ଟାୟାର କୁକ୍‍ ବିଶ୍ୱର ୫ମ ବ୍ୟାଟ୍‍ସମ୍ୟାନ୍‍ ହୋଇଛନ୍ତି।
ପୂର୍ବରୁ ୪ ଜଣ ବ୍ୟାଟ୍‍ସମ୍ୟାନ୍‍ ଜୀବନର ପ୍ରଥମ ଓ ଅନ୍ତିମ ଟେଷ୍ଟମ୍ୟାଚ୍‍ରେ ଶତକ ମାରିଛନ୍ତି। ୧୯୦୨ରେ ଅଷ୍ଟ୍ରେଲିଆର ରେଜି ଡଫ୍‍ ମେଲ୍‍ବୋର୍ଣ୍ଣରେ ଜୀବନର ପ୍ରଥମ ଟେଷ୍ଟମ୍ୟାଚ୍‍ରେ ଇଂଲଣ୍ଡ ବିପକ୍ଷରେ ଶତକ ମାରିଥିବା ବେଳେ ୧୯୦୫ରେ ଲଣ୍ଡନରେ ଅନ୍ତିମ ଟେଷ୍ଟମ୍ୟାଚ୍‍ରେ ଇଂଲଣ୍ଡ ବିପକ୍ଷରେ ଶତକ ମାରିଥିଲେ। ଅଷ୍ଟ୍ରେଲିଆର ବିଲ୍‍ ପନ୍‍ସଫୋର୍ଡ ୧୯୨୪ରେ ସିଡ୍‍ନୀରେ ଇଂଲଣ୍ଡ ବିପକ୍ଷରେ ଜୀବନର ସର୍ବପ୍ରଥମ ଟେଷ୍ଟମ୍ୟାଚ୍‍ରେ ଶତକ ମାରିଥିବା ବେଳେ ୧୯୩୪ରେ ଓଭାଲ୍‍ରେ ଇଂଲଣ୍ଡ ବିପକ୍ଷରେ ଜୀବନର ଅନ୍ତିମ ଟେଷ୍ଟମ୍ୟାଚ୍‍ ଖେଳି ଶତକ ମାରିଥିଲେ। ଅଷ୍ଟ୍ରେଲିଆର ଗ୍ରେଗ୍‍ ଚାପେଲ ୧୯୭୦ରେ ପର୍ଥରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟମ୍ୟାଚ୍‍ ଖେଳି ଶତକ ମାରିଥିବା ବେଳେ ୧୯୮୪ରେ ସିଡ୍‍ନୀରେ ପାକିସ୍ତାନ ବିପକ୍ଷରେ ଜୀବନର ଅନ୍ତିମ ଟେଷ୍ଟମ୍ୟାଚ୍‍ ଖେଳି ଶତକ ମାରିଥିଲେ। ଭାରତର ମହମ୍ମଦ ଆଝାରୁଦ୍ଦିନ୍‍ ୧୯୮୪-୮୫ରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଜୀବନର ଆରମ୍ଭକରି ଶତକ ମାରିଥିବା ବେଳେ ୨୦୦୦ରେ ବାଙ୍ଗାଲୋରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅନ୍ତିମ ଟେଷ୍ଟମ୍ୟାଚ୍‍ ଖେଳି ଶତକ ମାରିଥିଲେ। ପୁଣି ରେଜି ଡଫ୍‍ ଓ ବିଲ୍‍ ପନ୍‍ସଫୋର୍ଡ ପରେ ୩ୟ ଖେଳାଳି ଭାବେ ଆଲଷ୍ଟାୟାର କୁକ୍‍ ଗୋଟିଏ ସମାନ ଦଳ ବିପକ୍ଷରେ ଜୀବନର ପ୍ରଥମ ଓ ଶେଷ ଟେଷ୍ଟମ୍ୟାଚ୍‍ ଖେଳି ଶତକ ମାରିଛନ୍ତି। ସୂଚନାଯୋଗ୍ୟ; ଭାରତ ବିପକ୍ଷ ୫ମ ଟେଷ୍ଟମ୍ୟାଚ୍‍ ପରେ ଆନ୍ତର୍ଜାତିକ କ୍ରିକେଟ୍‍ରୁ ଅବସର ନେବାକୁ କୁକ୍‍ ଘୋଷଣା କରିଥିଲେ।

Leave A Reply