ବେଆଇନ ଗୃହ ନିର୍ମାଣ: ଲାଗୁ ହେଲା ସର୍ବକ୍ଷମା ଯୋଜନା

0

ଭୁବନେଶ୍ୱର: ବିନାଅନୁମୋଦନ ଓ ଅନୁମୋଦନ ବହିର୍ଭୂତ ଗୃହ ନିର୍ମାଣକୁ ବୈଧ କରିବାକୁ ରାଜ୍ୟ ସରକାର ସର୍ବକ୍ଷମା ଯୋଜନା ଘୋଷଣା କରିଛନ୍ତି। ଏ ସମ୍ପର୍କିତ ଆଇନ ପ୍ରଣୟନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ଅବୈଧ ନିର୍ମାଣ ନିୟମିତ ଯୋଜନା ୨୦୧୮ ନାମରେ ଏହି ଆଇନ୍‍ ରାଜ୍ୟର ସମସ୍ତ ଅଞ୍ଚଳ ପାଇଁ କାର୍ଯ୍ୟକାରୀ କରାଯାଇଛି।
ଆଜି ସଚିବାଳୟଠାରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏ ସମ୍ପର୍କରେ ଘୋଷଣା କରି କହିଛନ୍ତି ଯେ ଯେଉଁମାନେ ବିନା ଅନୁମୋଦନ କିମ୍ବା ଅନୁମୋଦନ ବହିର୍ଭୂତ ଅଞ୍ଚଳରେ ଗୃହ ନିର୍ମାଣ କରିଛନ୍ତି ସେମାନେ ସମ୍ପୃକ୍ତ ସହରାଞ୍ଚଳର ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରେ ନିର୍ଦ୍ଦିଷ୍ଟ ଦେୟ ଜମା କରି ନିର୍ମାଣକୁ ବୈଧ କରିପାରିବେ। ଏଥିପାଇଁ ସେମାନଙ୍କୁ ଗୃହ ନିର୍ମାଣ ପ୍ଲାନ୍‍ର ଏକକିତା ନକଲ, ନିର୍ମାଣ ନିୟମାବଳୀ, ଅଗ୍ନିଶମ ବିଭାଗରୁ ନୋ ଅବଜେକସନ୍‍ ସାର୍ଟିଫିକେଟ୍‍ (ଏନ୍‍ଓସି)ବା ଆପତ୍ତିବିହୀନ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ। ବୃହତ୍‍ ଗୃହ ପ୍ରକଳ୍ପ କିମ୍ବା ଆପାର୍ଟମେଣ୍ଟ ପାଇଁ ପୌରପାଳିକା କର୍ତ୍ତୃପକ୍ଷଙ୍କଠାରୁ ଏନ୍‍ଓସି ଆଣିବାକୁ ପଡ଼ିବ। ଜିରୋ ସେଟ୍‍ ବ୍ୟାକ୍‍ ପାଇଁ ପଡ଼ୋଶୀଙ୍କଠାରୁ ଏନ୍‍ଓସି ଆଣିବାକୁ। ୩୦୦ ବର୍ଗ ମିଟର ଅଞ୍ଚଳରୁ କମ୍‍ ସ୍ଥାନରେ ଘର ନିର୍ମାଣ ହୋଇଥିଲେ ପଡ଼ୋଶୀଙ୍କଠାରୁ ଏନ୍‍ଓସି ଆଣିବା ଆବଶ୍ୟକ ନାହିଁ।
ଏଥିସହିତ ଆହୁରି କେତେକ ସର୍ତ୍ତ ମଧ୍ୟ ଧାର୍ଯ୍ୟ କରାଯାଇଛି। ଉକ୍ତ ନିର୍ମାଣ କୌଣସି ସାମାଜିକ ପ୍ରତିବନ୍ଧକ ସୃଷ୍ଟି କରୁ ନଥିବ ଓ ନିର୍ମାଣର ମାନ ଉନ୍ନତ ହୋଇଥିବ, ଜନସାଧାରଣଙ୍କ ଜୀବନଚର୍ଯ୍ୟାରେ ବାଧା ସୃଷ୍ଟି କରୁ ନଥିବ ତେବେ ଯାଇ ନିର୍ମାଣକୁ ଅନୁମୋଦନ ମିଳିପାରିବ।

Leave A Reply