କାର୍ଯ୍ୟାଳୟ ପାଇଁ ବିଶ୍ୱର ନବମ ମହଙ୍ଗା ସ୍ଥାନ ଦିଲ୍ଲୀର କନ୍ନୋଟ ପାଲେସ୍‍

0
136

ନୂଆଦିଲ୍ଲୀ : ଅଫିସ୍‍ କାର୍ଯ୍ୟାଳୟ ସ୍ଥାପନ ପାଇଁ ନୂଆଦିଲ୍ଲୀସ୍ଥିିତ କନ୍ନୋଟ ପାଲେସ୍‍ ହେଉଛି ବିଶ୍ୱର ନବମ ମହଙ୍ଗା ସ୍ଥାନ। ସମ୍ପତ୍ତି ପରାମର୍ଶଦାତା ସିବିଆରଇ ପକ୍ଷରୁ ବୁଧବାର ପ୍ରକାଶିତ ତାଲିକାରେ କନ୍ନୋଟ ପାଲେସ୍‍ ପଛକୁ ମୁମ୍ବଇର ବାନ୍ଦ୍ରା-କୁର୍ଲା କମ୍ପଲେକ୍ସ ୨୬ ନମ୍ବର ସ୍ଥାନରେ ଏବଂ ମୁମ୍ବଇର ନରିମାନ ପଏଣ୍ଟ ୩୭ ନମ୍ବର ସ୍ଥାନରେ ରହିଛନ୍ତି । ସିବିଆରଇ ଅନୁସାରେ କନ୍ନୋଟ ପାଲେସ୍‍ରେ କାର୍ଯ୍ୟାଳୟ ପାଇଁ ପ୍ରତି ବର୍ଗ ଫୁଟ୍‍ (ସ୍କୋୟାରଫୁଟ୍‍) ପିଛା ବାର୍ଷିକ ଭଡ଼ା ୧୫୩ ଆମେରିକୀୟ ଡଲାର (୧୦,୫୨୩.୬୦ ଟଙ୍କା) ରହିଛି। ସେହିପରି ବାନ୍ଦ୍ରା-କୁର୍ଲା କମ୍ପଲେକ୍ସରେ କାର୍ଯ୍ୟାଳୟ ପାଇଁ ପ୍ରତି ବର୍ଗ ଫୁଟ୍‍ ପିଛା ବାର୍ଷିକ ଭଡ଼ା ୯୬.୫୧ ଡଲାର (୬,୬୨୬.୮୬ ଟଙ୍କା) ରହିଛି। ନରିମାନ ପଏଣ୍ଟରେ କାର୍ଯ୍ୟାଳୟ ପାଇଁ ବର୍ଗ ଫୁଟ୍‍ (ସ୍କୋୟାରଫୁଟ୍‍) ପିଛା ବାର୍ଷିକ ଭଡ଼ା ୭୨.୮୦ ଡଲାର (୪,୯୯୮.୮୧ ଟଙ୍କା) ରହିଛି। ଗତ ବର୍ଷ ପ୍ରକାଶିତ ତାଲିକାରେ କନ୍ନୋଟ ପାଲେସ୍‍ ୧୦ମ ସ୍ଥାନରେ ଥିବାବେଳେ ଚଳିତ ଥର ଗୋଟିଏ ସ୍ଥାନ ଉପରକୁ ଉଠିି ୯ମ ସ୍ଥାନରେ ପହଞ୍ଚିଛି। ନରିମାନ ପଏଣ୍ଟ ପୂର୍ବ ତାଲିକାରେ ୩୦ ନମ୍ବର ସ୍ଥାନରେ ଥିବାବେଳେ ଏବେ ପ୍ରକାଶିତ ତାଲିକାରେ ୭ଟି ସ୍ଥାନକୁ ଖସି ୩୭ ନମ୍ବର ସ୍ଥାନରେ ରହିଛି। ସିବିଆରଇର ଭାରତ ଏବଂ ଦକ୍ଷିଣ-ପୂର୍ବ ଏସିଆ ଅଧ୍ୟକ୍ଷ ଅଂଶୁମାନଙ୍କ କହିବା ଅନୁସାରେ ଜାତୀୟ ରାଜଧାନୀ ଦିଲ୍ଲୀ ଏକ ପ୍ରମୁଖ ବଜାର ଭାବେ ଉଭା ହୋଇଛି। ଏଠାରେ ଅବିରତ ଗତିବିଧି ଚାଲୁଥିôବାରୁ କନ୍ନୋଟ ପାଲେସ୍‍ ମହଙ୍ଗା ହୋଇ ୧୦ ସ୍ଥାନରୁ ୯ମ ସ୍ଥାନକୁ ଉନ୍ନୀତ ହୋଇଛି। ଏହି ରିପୋର୍ଟ ଅନୁସାରେ କାର୍ଯ୍ୟାଳୟ ସ୍ଥାପନ ପାଇଁ ହଂକଂ ସେଣ୍ଟ୍ରାଲ ବିଶ୍ୱର ସବୁଠୁ ମହଙ୍ଗା ସ୍ଥାନ। ଏଠାରେ ପ୍ରତି ସ୍କୋୟାରଫୁଟ୍‍ ପିଛା ଭଡ଼ା ହେଉଛି ୩୦୬.୭୫ ଆମେରିକୀୟ ଡଲାର (୨୧,୦୫୦.୬୩ ଟଙ୍କା)। ଏହା ପଛକୁ ଲଣ୍ଡନର ୱେଷ୍ଟଏଣ୍ଡ ଦ୍ୱିତୀୟ, ବେଜିଂର ଫାଇନାନ୍ସ ଷ୍ଟ୍ରିଟ୍‍ ତୃତୀୟ, ହଂକଂ କୋଁଭଲୁନ୍‍ ଚତୁର୍ଥ ଏବଂ ବେଜିଂ ସିବିଡି ଅଞ୍ଚଳ ପଞ୍ଚମ ସ୍ଥାନରେ ରହିଛନ୍ତି। ନ୍ୟୁୟର୍କର ମିଡଟାଉନ ମ୍ୟାନହଟ୍ଟନ ଷଷ୍ଠ ସ୍ଥାନରେ ରହିଛି। ଏଠାରେ କାର୍ଯ୍ୟାଳୟ ପାଇଁ ପ୍ରତି ସ୍କୋୟାରଫୁଟ୍‍ ପିଛା ଭଡ଼ା ହେଉଛି ୧୮୩.୭୮ ଡଲାର।

LEAVE A REPLY

Please enter your comment!
Please enter your name here