କର୍ଣ୍ଣାଟକ ବିଜେପି ନେତାଙ୍କୁ ଭେଟିଲେ ୨ କଂଗ୍ରେସ ବିଧାୟକ, ରାଜନୈତିକ ହଲଚଲ ଆରମ୍ଭ

ବେଙ୍ଗାଲୁରୁ : ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏର ଐତିହାସିକ ବିଜୟ ପରଠାରୁ କର୍ଣ୍ଣାଟକ ଏବଂ ମଧ୍ୟପ୍ରଦେଶରେ ରାଜନୈତିକ ହଟଚମଟ ଜାରି ରହିଛି। ଏହି କ୍ରମରେ ରବିବାର କର୍ଣ୍ଣାଟକ ରାଜନୀତିରେ ନୂଆ ଗତିବିଧି ଦେଖିବାକୁ ମିଳିଛି। କଂଗ୍ରେସର ୨ ଜଣ ବିଧାୟକ କଂଗ୍ରେସ ତ୍ୟାଗକରି ବିଜେପିରେ ଯୋଗଦେଇଥିବା ଏସ୍‍ଏସ୍‍ କୃଷ୍ଣାଙ୍କୁ ରବିବାର ସକାଳେ ତାଙ୍କ ବାସଭବନରେ ଭେଟିଛନ୍ତି । ତେବେ ଏହି ସାକ୍ଷାତକାର ସୌଜନ୍ୟମୂଳକ ଥିଲା ବୋଲି କଂଗ୍ରେସ ବିଧାୟକ ଦ୍ୱୟ କହିଛନ୍ତି।
ସୂଚନା ଅନୁସାରେ କଂଗ୍ରେସ ବିଧାୟକ ରମେଶ ଜରକିହୋଲି ଏବଂ ଡ. ସୁଧାକର ରବିବାର ସକାଳେ ଏସ୍‍ଏସ୍‍ କୃଷ୍ଣଙ୍କୁ ତାଙ୍କ ବେଙ୍ଗାଲୁରୁସ୍ଥିତ ବାସଭବନରେ ସାକ୍ଷାତ କରିଥିଲେ। କୃଷ୍ଣାଙ୍କ ଘରେ ବିଜେପି ନେତା ଆର. ଅଶୋକ ମଧ୍ୟ ଉପସ୍ଥିତ ଥିଲେ। ଜରକିହୋଲି କହିଛନ୍ତି ଯେ ଏହା କୌଣସି ରାଜନୈତିକ ସାକ୍ଷାତକାର ନଥିଲା। କର୍ଣ୍ଣାଟକରେ ୨୫ ଲୋକସଭା ଆସନରେ ବିଜେପି ବିଜୟୀ ହୋଇଥିବାରୁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଇବାକୁ ଆସିଥିଲା। ଏହା ଏକ ସୌଜନ୍ୟମୂଳକ ସାକ୍ଷାତାକର ଥିଲା।
ପ୍ରକାଶ ଯେ ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ କର୍ଣ୍ଣାଟକର କଂଗ୍ରେସ-ଜେଡିଏସ୍‍ ସରକାର ଭାଙ୍ଗିଯିବ ବୋଲି ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଡି.ଭି ସଦାନନ୍ଦ ଗୌଡ଼ା ଦାବି କରିଥିଲେ। ଏହାକୁ ନେଇ କଂଗ୍ରେସ ଅଭିଯୋଗ କରିଥିଲା ଯେ ବିଜେପି ଘୋଡ଼ା ବେପାର ମାଧ୍ୟମରେ କର୍ଣ୍ଣାଟକ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ସରକାର ଭାଙ୍ଗିବାକୁ ପ୍ରୟାସ ଜାରି ରଖିଛି। ‘ଅପରେସନ ଲୋଟସ’ରେ ବିଜେପି କର୍ଣ୍ଣାଟକରେ କେତେକ ଅସନ୍ତୁଷ୍ଟ କଂଗ୍ରେସ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଛି। ଏବେ ବିଜେପି ନେତାଙ୍କ ସହ କଂଗ୍ରେସ ବିଧାୟକଙ୍କ ସାକ୍ଷାତକାରକୁ ରାଜନୈତିକ ମହଲରେ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି।

Comments are closed.